ଜାତୀୟ

ମୋଦି କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଧର୍ମେନ୍ଦ୍ରଙ୍କ ସମେତ ଏହି ସବୁ ନେତାଙ୍କୁ ମିଳିବ ଦାୟିତ୍ୱ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ, ୧୯।୮: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମ ଘୋଷଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଭାଜପାର ସଂଗଠନରେ ହୋଇଥିବା ପରିବର୍ତ୍ତନ କେବଳ ‘ଟ୍ରେଲର’ ଏବଂ ଆଗକୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ହୋଇପାରେ।

ଏହି ଚର୍ଚ୍ଚା ପଛରେ ଗତ କିଛି ମାସର ଅନେକ ରାଜନୈତିକ ଘଟଣା ରହିଛି। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ ଛାଡ଼ିବା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ୨୪ ଜୁଲାଇ ୨୦୨୬ରେ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହେବା ପରେ ରେଳ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ପଦ ଛାଡ଼ିଛନ୍ତି। ଜୁନରେ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହେବା ପରେ ଅଳ୍ପସଂଖ୍ୟକ ବ୍ୟାପାରର ରାଜ୍ୟମନ୍ତ୍ରୀ ଜର୍ଜ କୁରିଆନ ମଧ୍ୟ ପଦ ଛାଡ଼ିଥିଲେ।

ଏହାସହ ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ ସଂଗଠନରେ ନୂଆ ଦାୟିତ୍ୱ ଦିଆଯାଇଛି। ରାଜ୍ୟମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦିଲ୍ଲୀ ଭାଜପା ସଭାପତି ଏବଂ ପଙ୍କଜ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ଭାଜପା ସଭାପତି କରାଯାଇଛି। ଏବେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିବାରୁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ସମ୍ଭାବନା ନେଇ ଚର୍ଚ୍ଚା ଆହୁରି ବଢ଼ିଛି।

ନୂଆ ସଂଗଠନ ଟିମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ କରାଯିବା ସବୁଠାରୁ ଚର୍ଚ୍ଚିତ ଘଟଣା। ସେ ଏକମାତ୍ର କେନ୍ଦ୍ରମନ୍ତ୍ରୀ, ଯିଏ ନୀତିନ ନବୀନଙ୍କ ନୂଆ ଟିମରେ ସ୍ଥାନ ପାଇଛନ୍ତି।

ଭାଜପାରେ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ଏକ ଅଲିଖିତ ନିୟମ ଭାବେ ଦେଖାଯାଏ। ଏହାକୁ ନେଇ ପୀୟୂଷ ଗୋୟଲଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ସଂଗଠନର ଦାୟିତ୍ୱ ଦିଆଯିବ କି ନାହିଁ, ତାହା ନେଇ ପ୍ରଶ୍ନ ଉଠିଛି।

ତେବେ ରାଜନୈତିକ ବିଶ୍ଳେଷକଙ୍କ ମତରେ ଏହି ନିୟମ ସବୁବେଳେ କଠୋର ଭାବେ ଲାଗୁ ହୁଏ ନାହିଁ। ଜେ.ପି. ନଡ୍ଡା ଏହାର ଉଦାହରଣ। ୨୦୨୪ରେ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଦଳର ଜାତୀୟ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହ ଆମେରିକା ସହ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ବା FTA ଆଲୋଚନାରେ ଗୋୟଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କୁ ତୁରନ୍ତ ହଟାଇବା ସରକାର ପାଇଁ ସହଜ ନିଷ୍ପତ୍ତି ହେବ ନାହିଁ।

ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେଲେ କିଛି ନୂଆ ମୁହଁଙ୍କୁ ସାମିଲ କରାଯିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି

ଅନୁରାଗ ଠାକୁର: ହିମାଚଳ ପ୍ରଦେଶର ହମୀରପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ନୂଆ ସଂଗଠନ ଟିମରେ ସ୍ଥାନ ମିଳିନାହିଁ। ତେଣୁ ତାଙ୍କର ପୁଣିଥରେ କେନ୍ଦ୍ରମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ତେଜସ୍ବୀ ସୂର୍ଯ୍ୟା: ବିଜେପି ଯୁବମୋର୍ଚ୍ଚାର ଜାତୀୟ ସଭାପତି ପଦରୁ ହଟିବା ପରେ ତେଜସ୍ବୀ ସୂର୍ଯ୍ୟାଙ୍କୁ ଏବେ ସଂଗଠନରେ ବଡ଼ ଦାୟିତ୍ୱ ମିଳିନାହିଁ। ଯୁବ ଚେହେରା ଓ ଦଳର ପ୍ରଭାବଶାଳୀ ବକ୍ତା ଭାବେ ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ରାଘବ ଚଢ଼ା: ଏପ୍ରିଲ ୨୦୨୬ରେ ଆମ ଆଦମୀ ପାର୍ଟି ଛାଡ଼ି ଭାଜପାରେ ସାମିଲ ହୋଇଥିବା ସାତ ରାଜ୍ୟ ସଭା ସାଂସଦଙ୍କ ମଧ୍ୟରେ ରାଘବ ଚଢ଼ା ଅଛନ୍ତି। ନୂଆ ସଂଗଠନ ଟିମରେ ତାଙ୍କୁ ସ୍ଥାନ ନ ମିଳିବା ପରେ କ୍ୟାବିନେଟରେ ତାଙ୍କୁ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ବଢ଼ିଛି। ବିଶେଷକରି ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ନଜରରେ ରଖି ଭାଜପା ତାଙ୍କୁ ଗୁରୁତ୍ୱ ଦେଇପାରେ। ଏହା ସହିତ ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବ କି ନାହିିଁ ସେନେଇ କୌଣସି ଠୋସ୍‌ ଖବର ନାହିିଁ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button