ଦେଶ ବିଦେଶ

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା;ଖୁବ୍‌ଶୀଘ୍ର ତୁଟିବ ମହାନଦୀ ବିବାଦ

ନୂଆଦିଲ୍ଲୀ/ଭୁବନେଶ୍ବର : ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର-ଓଡ଼ିଶା-ଛତିଶଗଡ଼ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସକାରାତ୍ମକ ଆଲୋଚନା ହୋଇଛି। ସବୁ ପ୍ରକାର ତଥ୍ୟକୁ ଆଧାର କରି କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଖୁବ୍‌ଶୀଘ୍ର ମହାନଦୀ ଜଳ ଆବଣ୍ଟନର ସୂତ୍ର ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗୁରୁବାର ଦିଲ୍ଲୀର କର୍ତ୍ତବ୍ୟ ଭବନଠାରେ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ମଧ୍ୟରେ ବୈଠକ ବସିଥିଲା। ଓଡ଼ିଶା ନିବାସଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି ଯେ ଆମେ ଧୀରେଧୀରେ ସମାଧାନର ନିକଟତର ହେଉଛୁ। ଖୁବ୍‌ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ। ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ବାହାରିବ। ସମସ୍ୟା ସମାଧାନ ପାଇଁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସିଡବ୍ଲୁସିକୁ ଦାୟିତ୍ବ ଦିଆଯାଇଛି। ଉଭୟ ରାଜ୍ୟର ମୁଖ୍ୟ ସଚିବ, ବିଭାଗୀୟ ସଚିବ, ବିଶେଷଜ୍ଞ ସହ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବା ପାଇଁ ତିନି ମାସ ସମୟ ଦିଆଯାଇଥିଲା। ଇତିମଧ୍ୟରେ ଦୁଇ ମାସ ଅତିକ୍ରମ କରିଛି। ତେଣୁ ଖୁବ୍‌ଶୀଘ୍ର ସିଡବ୍ଲୁସି ରିପୋର୍ଟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ନିଷ୍କର୍ସ ବାହାର କରିବେ। ଏ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇ ସମାଧାନର ପନ୍ଥା ବାହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।
୨୦୨୫ ଜୁଲାଇ-ଅଗଷ୍ଟରେ ଆମ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହା ମଧ୍ୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବ ସ୍ତରରେ ଅନେକ ବୈଠକ ହୋଇଯାଇଛି। ଗତ ଜୁଲାଇରେ ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମାଧାନ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ଡିସ୍‌ପୁଟ ରିଜୋଲ୍ୟୁସନ୍ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଶାର କୋଟିକୋଟି ଲୋକଙ୍କ ଜୀବନଜୀବିକାର ପନ୍ଥା ହେଉଛି ମହାନଦୀ। ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଯୋଗାଣ, ପରିବେଶ ଆଦି ଅନେକ ବିଷୟରେ ସେ ବୈଠକରେ ଉପସ୍ଥାପନ କରିଛନ୍ତି ବୋଲି କହିଥିଲେ। ଓଡ଼ିଶାକୁ କିପରି ପର୍ଯ୍ୟାପ୍ତ ପରିମାଣରେ ଜଳ ଉପଲବ୍ଧ ହେବ, ତାହା ଉପରେ ସେ ବୈଠକରେ ସେ ଗୁରୁତ୍ୱ ଦେଇଛନ୍ତି। ଆମର ଡବଲ ଇଞ୍ଜିନ ସରକାର ଆସିବା ପରେ, ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ ସମସ୍ୟାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଇନଗତ ପ୍ରକ୍ରିୟା ସହିତ ପ୍ରଶାସନିକ ଓ ରାଜନୈତିକ ସମାଧାନର ପନ୍ଥାକୁ ମଧ୍ୟ ବ୍ୟାପକ କରାଯାଇଛି ବୋଲି ସେ କହିଥିଲେ। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button