ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ

ତେଲ ଆଭିଭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ବଡ଼ ଝଟକା ଲାଗିଛି। ଗାଜା ପାଇଁ ଟ୍ରମ୍ପ ଦେଇଥିବା ୧୫ ସୂତ୍ରୀ ଶାନ୍ତି ଯୋଜନାକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଦେଇଛି। ହମାସ ସମ୍ପୂର୍ଣ୍ଣ ଅସ୍ତ୍ରହୀନ ନ ହେବା ପର୍ଯ୍ୟନ୍ତ ପଛକୁ ହଟିବୁ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି। କ୍ୟାବିନେଟ ବୈଠକରେ ସେ ଏହି ଟିପ୍ପଣୀ ଦେଇଥିଲେ। ନାଗରିକ ଏବଂ ସେନା ପ୍ରତି ଥିବା ବିପଦକୁ ପ୍ରତିହତ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଅଟକିବନି। ଗାଜାରୁ ସେନା ପ୍ରତ୍ୟାହାର କରାଯିବନି ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଥିଲେ। ସେପଟେ ଆମେରିକା ଯୋଜନାକୁ ହମାସ ସମର୍ଥନ ଦେଇଛି। ଇସ୍ରାଏଲ ଉପରେ ଚାପ ପକାଇବାକୁ ମଧ୍ୟ ଅନୁରୋଧ କରିଛି। ଶନିବାର ଟ୍ରମ୍ପଙ୍କ ଶାନ୍ତି ବୋର୍ଡକୁ ହମାସ ଜଣାଇ ଦେଇଥିଲା ଯେ ନୂଆ କରି ଗଠନ ହୋଇଥିବା ପାଲେଷ୍ଟାଇନ ପରିଚାଳନା କମିଟି ନିକଟରେ ଏହାର ସଦସ୍ୟ ଅସ୍ତ୍ରଶସ୍ତ୍ର ସମର୍ପଣ କରିବେ। ଇସ୍ରାଏଲର ଅନୁମୋଦନ ମିଳିବା ପରେ ଚୁକ୍ତି କାର୍ଯ୍ୟକାରୀ ହେଲେ ଦ୍ବିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ କରାଯିବ। ଏହା ପୂର୍ବରୁ କିଛି ଦିନ ତଳେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ ଅନ୍ୟ ୭ଟି ମୁସଲିମ ରାଷ୍ଟ୍ର ମିଳିତ ଘୋଷଣାପତ୍ର ଜାରି କରି ଗାଜାରେ ଇସ୍ରାଏଲର ସାମରିକ ଅଭିଯାନକୁ ତୀବ୍ର ସମାଲୋଚନା କରିଥିଲେ। ଇସ୍ରାଏଲ ଆକ୍ରମଣ ଯୋଗୁଁ ଟ୍ରମ୍ପଙ୍କ ଶାନ୍ତି ଯୋଜନା ଲକ୍ଷ୍ୟଚ୍ୟୁତ ହେବ ବୋଲି ଅଭିଯୋଗ କରିଥିଲେ।
ସୌଜନ୍ୟ ସମାଜ




