ଦେଶ ବିଦେଶ

ଦେଶର ପ୍ରଥମ Hydrogen Trainକୁ ମଞ୍ଜୁରୀ: କେତେ ରହିବ ବେଗ, କଣ ରହିଛି ବୈଶିଷ୍ଟ୍ୟ ?

India's 1st Hydrogen Train: ଏହି ପ୍ରଯୁକ୍ତିବିଦ୍ୟାରେ ହାଇଡ୍ରୋଜେନ୍ ଏବଂ ଅମ୍ଳଜାନ ମଧ୍ୟରେ ଏକ ରାସାୟନିକ ପ୍ରତିକ୍ରିୟା କରାଯାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ। ଏହି ପ୍ରକ୍ରିୟାରେ କୌଣସି ବିଷାକ୍ତ ଗ୍ୟାସ୍ ବା ଧୂଆଁ ବାହାରେ ନାହିଁ। ଏହାର ଏକମାତ୍ର ବାହ୍ୟ ଉତ୍ପାଦ ହେଉଛି ଜଳୀୟ ବାଷ୍ପ ଏବଂ ସାମାନ୍ୟ ଉତ୍ତାପ।

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପରିବେଶ ଅନୁକୂଳ ତଥା ପ୍ରଦୂଷଣମୁକ୍ତ ଯାତ୍ରା ଦିଗରେ ଏକ ଐତିହାସିକ ସଫଳତା ହାସଲ କରିଛି। ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍ ସେଲ୍ ଚାଳିତ ଟ୍ରେନ୍ ଚଳାଚଳକୁ ସରକାରୀ ଭାବରେ ଅନୁମୋଦନ ମିଳିଛି। ଏହି ଟ୍ରେନ୍‌ ହରିୟାଣାର ଉତ୍ତର ରେଳବାଇ ଅନ୍ତର୍ଗତ ଜିନ୍ଦ-ସୋନିପତ ରୁଟରେ ଚାଲିବ। ବ୍ରଡ୍-ଗେଜ୍ ରେଳ ନେଟୱାର୍କରେ ଏହା ବିଶ୍ୱର ସବୁଠାରୁ ଲମ୍ବା ଏବଂ ଶକ୍ତିଶାଳୀ ହାଇଡ୍ରୋଜେନ୍ ଟ୍ରେନ୍ ବୋଲି କୁହାଯାଉଛି।
ଏହି ବଡ଼ ପଦକ୍ଷେପ ସହ ଭାରତ ଏବେ ଜର୍ମାନୀ, ଜାପାନ, ଚୀନ ଏବଂ ଆମେରିକା ଭଳି ବିଶ୍ୱର ସେହି ସୀମିତ ଦେଶଗୁଡ଼ିକର କ୍ଲବ୍‌ରେ ସାମିଲ ହୋଇଛି, ଯେଉଁଠି ହାଇଡ୍ରୋଜେନ୍ ଚାଳିତ ରେଳ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି।

ହାଇଡ୍ରୋଜେନ୍ ଟ୍ରେନ୍‌ର ପ୍ରମୁଖ ବିଶେଷତ୍ୱ
ଏହି ଟ୍ରେନରେ ମୋଟ ୧୦ଟି କୋଚ୍ ବା ବଗି ରହିବ। ଏଥିରେ ୧,୨୦୦ କିଲୋୱାଟ୍ (kW) ର ହାଇଡ୍ରୋଜେନ୍ ଫ୍ୟୁଲ୍ ସେଲ୍ ପ୍ରୋପଲସନ୍ ସିଷ୍ଟମ ବ୍ୟବହାର କରାଯାଇଛି।  ଟ୍ରେନର ଆଗ ଓ ପଛରେ ଦୁଇଟି ଡ୍ରାଇଭିଂ ପାୱାର କାର୍ ରହିବ। ପ୍ରତ୍ୟେକ କାର୍ ୧,୨୦୦ କିଲୋୱାଟ୍ ଲେଖାଏଁ ଶକ୍ତି ଉତ୍ପାଦନ କରିବେ, ଯାହାଫଳରେ ଟ୍ରେନ୍‌ର ମୋଟ ଶକ୍ତି ୨,୪୦୦ କିଲୋୱାଟ୍ ହେବ। ବାକି ୮ଟି କୋଚ୍ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ବ୍ୟବସାୟିକ ଭାବରେ ଏହି ଟ୍ରେନ୍ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବ। ତେବେ ଏହାର ଗତି ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ମାତ୍ର ଥରେ ହାଇଡ୍ରୋଜେନ୍ ଇନ୍ଧନ ଭରିବା ଦ୍ୱାରା ଏହି ଟ୍ରେନ୍ ପ୍ରାୟ ୨୫୦ କିଲୋମିଟର ପର୍ଯ୍ୟନ୍ତ ସହଜରେ ଯାତ୍ରା କରିପାରିବ।

କେମିତି କାମ କରେ ହାଇଡ୍ରୋଜେନ୍ ଫ୍ୟୁଲ୍ ସେଲ୍ ଟେକ୍ନୋଲୋଜି ?
ଏହି ପ୍ରଯୁକ୍ତିବିଦ୍ୟାରେ ହାଇଡ୍ରୋଜେନ୍ ଏବଂ ଅମ୍ଳଜାନ ମଧ୍ୟରେ ଏକ ରାସାୟନିକ ପ୍ରତିକ୍ରିୟା କରାଯାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ। ଏହି ପ୍ରକ୍ରିୟାରେ କୌଣସି ବିଷାକ୍ତ ଗ୍ୟାସ୍ ବା ଧୂଆଁ ବାହାରେ ନାହିଁ। ଏହାର ଏକମାତ୍ର ବାହ୍ୟ ଉତ୍ପାଦ ହେଉଛି ଜଳୀୟ ବାଷ୍ପ ଏବଂ ସାମାନ୍ୟ ଉତ୍ତାପ। ସରଳ ଭାଷାରେ କହିଲେ, ଏହି ଟ୍ରେନ୍ ଚାଲୁଥିବା ସମୟରେ ନିଜ ଭିତରେ ହିଁ ନିଜ ପାଇଁ ବିଦ୍ୟୁତ୍ ସୃଷ୍ଟି କରିଥାଏ। ଡିଜେଲ୍ କିମ୍ବା ଅନ୍ୟାନ୍ୟ ଜୀବାଶ୍ମ ଇନ୍ଧନ ତୁଳନାରେ ଏହା ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ଏବଂ ପରିବେଶ ଉପଯୋଗୀ ।

ଟ୍ରେନ୍‌ର ସମ୍ମୁଖ ଭାଗରେ ୨୭ଟି ଏବଂ ପଛ ଭାଗରେ ୨୭ଟି ହାଇଡ୍ରୋଜେନ୍ ସିଲିଣ୍ଡର ସୁରକ୍ଷିତ ଭାବେ ସ୍ଥାପନ କରାଯାଇଛି। ଟ୍ରେନ୍ ଭିତରେ ଇନ୍ଧନ ସିଲିଣ୍ଡର, ବ୍ୟାଟେରୀ ଏବଂ କଣ୍ଟ୍ରୋଲ ସିଷ୍ଟମ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ ରଖାଯାଇଛି।  ଏହି ଟ୍ରେନକୁ ଇନ୍ଧନ ଯୋଗାଇବା ପାଇଁ ହରିୟାଣାର ଜିନ୍ଦଠାରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ହାଇଡ୍ରୋଜେନ୍ ଷ୍ଟୋରେଜ୍ ଏବଂ ରିଫ୍ୟୁଲିଂ (Refuelling) କେନ୍ଦ୍ର ସ୍ଥାପନ କରାଯାଇଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button