ଜାତୀୟ

ନୂଆ ଖଣି ଆଇନ: ରାଜ୍ୟ କ୍ଷମତା ଦୁର୍ବଳ

ନୂଆଦିଲ୍ଲୀ,୧୧।୮(ପି.ଟି.): ଖଣି ଓ ଖଣିଜ ନିୟମରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍‌ ଆଗତ କରିଛନ୍ତି, ଯାହାଦ୍ୱାରା ରାଜ୍ୟ ସରକାରମାନେ ଖଣିଜ ଅଧିକାର ଉପରେ ଆଉ କୌଣସି ଅତିରିକ୍ତ ଟିକସ ଲଗାଇ ପାରିବେ ନାହିଁ। ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ମଧ୍ୟରେ କୋଇଲା ଓ ଖଣିମନ୍ତ୍ରୀ ଜି. କିଷାନ ରେଡ୍ଡୀ ଏହି ‘ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୬’ ଉପସ୍ଥାପନ କରିଛନ୍ତି।
ଏହି ନୂତନ ସଂଶୋଧନ ଜରିଆରେ କେନ୍ଦ୍ର ସରକାର ଖଣିଜ ପଦାର୍ଥ ଥିବା ସମସ୍ତ ଜମିର ନିୟନ୍ତ୍ରଣ ଓ ସେ ସମ୍ପର୍କିତ ନିୟମାବଳୀକୁ ନିଜ ଅଧୀନକୁ ନେବାକୁ ଚାହୁଁଛନ୍ତି। ଫଳରେ ରାଜ୍ୟ ସରକାରମାନେ ଖଣିଜ ପଦାର୍ଥ, ଏହାର ମୂଲ୍ୟ କିମ୍ବା ରୟାଲଟି ଆଧାରରେ କୌଣସି ପ୍ରକାରର ଟ୍ୟାକ୍ସ, ସେସ୍‌ କିମ୍ବା ଅନ୍ୟ କୌଣସି ଶୁଳ୍କ ଆଦାୟ କରିପାରିବେ ନାହିଁ। କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁସାରେ ହିଁ କଟକଣା ଲାଗୁ ହେବ। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ, ସଂଶୋଧନ ଆଇନ ଲାଗୁ ହେବା ପୂର୍ବରୁ ଯଦି କୌଣସି ଟ୍ୟାକ୍ସ ବା ସେସ୍‌ ରାଜ୍ୟ ସରକାରଙ୍କ ପାଖରେ ଜମା ହୋଇନାହିଁ କିମ୍ବା ଆଦାୟ କରାଯାଇ ନାହିଁ, ତେବେ ତାହାକୁ ସମ୍ପୂର୍ଣ୍ଣ ରୂପେ ଅବୈଧ ଘୋଷଣା କରାଯିବ। କେହି ବି ସେହି ବାକିଆ ଅର୍ଥ ରାଜ୍ୟକୁ ଦେବାକୁ ବାଧ୍ୟ କରିବେ ନାହିଁ। କିନ୍ତୁ ଯେଉଁ ଟ୍ୟାକ୍ସ ପୂର୍ବରୁ ଆଦାୟ ହୋଇ ସାରିଛି, ତାହା ରାଜ୍ୟ ସରକାର କମ୍ପାନୀଗୁଡ଼ିକୁ ଫେରସ୍ତ କରିବେ ନାହିଁ।
ଖଣିମନ୍ତ୍ରୀ କହିଛନ୍ତି, ଏହି ସଂଶୋଧନ ଦ୍ୱାରା ଦେଶର ଖଣି କ୍ଷେତ୍ରରେ ସ୍ଥିରତା ଓ ସ୍ପଷ୍ଟତା ଆସିବ, ଯାହା ‘ଆତ୍ମନିର୍ଭର ଭାରତ’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଅଲଗା ଅଲଗା ରାଜ୍ୟରେ ଅତ୍ୟଧିକ ଟିକସ ଯୋଗୁ ସ୍ଥାନୀୟ ଖଣିଜପଦାର୍ଥ ମହଙ୍ଗା ହେଉଥିଲା। ଫଳରେ ଶିଳ୍ପଗୁଡ଼ିକ ବିଦେଶରୁ ଆମଦାନୀ ଉପରେ ନିର୍ଭର କରୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଖଣି ଉତ୍ପାଦନ ସମୟରେ ଅଧିକ ଟିକସ ଲାଗିବା ଦ୍ୱାରା ଜିନିଷପତ୍ରର ଦାମ୍‌ ବଢ଼ିଯାଏ ଏବଂ ସାଧାରଣ ଜନତାଙ୍କ ଉପରେ ଜୀବନଯାପନର ବୋଝ ବଢ଼ିଥାଏ। ପଛୁଆ ତାରିଖରୁ ଟିକସ ଲଗାଇବା ଦ୍ୱାରା ନିବେଶକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଥିଲା। ଅନ୍ୟପଟେ ବିରୋଧୀ ଦଳ ଏହି ବିଲ୍‌କୁ ଜୋରଦାର ବିରୋଧ କରିଛନ୍ତି। ଆର୍‌ଏସ୍‌ପି ନେତା ଏନ. କେ. ପ୍ରେମଚନ୍ଦ୍ରନ ଏହି ବିଲ୍‌କୁ ବିରୋଧ କରି କହିଛନ୍ତି, ଏହା ଦେଶର ସଂଘୀୟ ଢାଞ୍ଚା ବିରୋଧୀ ଏବଂ ଏହାଦ୍ୱାରା ରାଜ୍ୟଗୁଡ଼ିକର ଅଧିକାର କ୍ଷୁଣ୍ଣ ହେବ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button