ଦେଶ ବିଦେଶ

ପୁଣିି ୟୁଜିସି ନେଟ୍ ପରୀକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ : ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଦେଶରେ ବିବାଦ ଥମି ନ ଥିବାବେଳେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଆଉ ଏକ ବିଫଳତା ସାମନାକୁ ଆସିଛି। ନିଜଆଡୁ ନୁହେଁ, ପୁଣିଥରେ ଛାତ୍ରଛାତ୍ରୀ ଏହି ଏଜେନ୍ସିକୁ ପରୀକ୍ଷାରେ ହୋଇଥିବା ତ୍ରୁଟି ଦର୍ଶାଇଛନ୍ତି। ଏ ଦିଗରେ ପଦକ୍ଷେପ ନେଇ ୟୁଜିସି-ନେଟର ଇଂରାଜୀ-ବାଣିଜ୍ୟ ଓ ସାମାଜିକ ବିଜ୍ଞାନ ପରୀକ୍ଷାକୁ ଏନଟିଏ ରବିବାର ରଦ୍ଦ କରିଦେଇଛି। ଏହି ସବୁ ବିଷୟର ପ୍ରଶ୍ନପତ୍ରରେ ବନାନ ଓ ମୁଦ୍ରଣ ଜନିତ ତ୍ରୁଟି ଥିଲା ବୋଲି ଏନଟିଏ ସ୍ବୀକାର କରିଛି। ଏନଟିଏ ପକ୍ଷରୁ କୁହାଯାଇଛି ଯେ ପ୍ରଶ୍ନପତ୍ରରେ ପୂର୍ବ ବର୍ଷ ପଚରା ଯାଇଥିବା ପ୍ରଶ୍ନର ପୁନରାବୃତ୍ତି ହୋଇଥିଲା। ଉତ୍ତର ଖାତା ଜାରି କରିବା ପରେ ଛାତ୍ରଛାତ୍ରୀ ତ୍ରୁଟି ଥିବା ସୂଚନା ଦେଇଥିଲେ। ଏ ସବୁକୁ କେବଳ ପ୍ରଶ୍ନ ହଟାଇ ଠିକ୍ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।
ଏହି ତିନି ବିଷୟର ପରୀକ୍ଷା ପାଇଁ ଏନଟିଏ ନୂଆ ତାରିଖ ଧାର୍ଯ୍ୟ କରିଛି। ଇଂରାଜୀ, ବାଣିଜ୍ୟ ଓ ସାମାଜିକ ବିଜ୍ଞାନ ପରୀକ୍ଷା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବ। ଇଂରାଜୀ ପରୀକ୍ଷା ସେପ୍ଟେମ୍ବର ୯ ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ। ସେହିଦିନ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ବାଣିଜ୍ୟ ପରୀକ୍ଷା ହେବ। ସେହିପରି ସାମାଜିକ ବିଜ୍ଞାନ ପରୀକ୍ଷା ସେପ୍ଟେମ୍ବର ୯ଟାରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।
ଏନଟିଏ ପକ୍ଷରୁ କୁହାଯାଇଛି ଯେ ଅନେକ ଅଭିଯୋଗ ପାଇବା ପରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ପ୍ରଶ୍ନପତ୍ରରେ ଅନେକ ତଥ୍ୟଗତ, ଟାଇପିଂ ଓ ଅନୁବାଦ ତ୍ରୁଟି ଥିବା ଚିହ୍ନଟ କରିଥିଲା। ଏଥିରେ ଭୁଲ୍ ନାମ, ବହିର ତ୍ରୁଟିପୂର୍ଣ୍ଣ ନାମ, ଭୁଲ୍ ଭାବେ ପ୍ରଶ୍ନ ଲେଖାଯିବା, ବ୍ୟାକରଣ ତ୍ରୁଟି ଆଦି ସାମିଲ ରହିଥିଲା। ପୂର୍ବ ପରୀକ୍ଷାରୁ ବହୁ ସଂଖ୍ୟକ ପ୍ରଶ୍ନ ପୁନରାବୃତ୍ତି ହୋଇଥିବା ମଧ୍ୟ ଜଣା ପଡ଼ିଥିଲା। ଏନଟିଏ ଆଜି ସକାଳେ ୟୁଜିସି-ନେଟର ୮୭ଟି ବିଷୟ ମଧ୍ୟରୁ ୮୪ଟି ପାଇଁ ଅସ୍ଥାୟୀ ଉତ୍ତର ତାଲିକା ଜାରି କରିଥିବାବେଳେ ବାକି ତିନଟିକୁ ସ୍ଥଗିତ ରଖିଥିଲା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button