ବେଲଗାମ୍ ଘରୋଇ ପ୍ଲେ-ସ୍କୁଲ: ତଦାରଖ ଦାୟିତ୍ୱ କାହାର ? ବିଭାଗ କହୁଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଆମର

ଭୁବନେଶ୍ୱର,୨୩/୧୧: ଘରୁ ବାହାରି ଘେରାଏ ବୁଲି ଆସିଲେ, ଆଖିରେ ଗୋଟିଏ ଯୋଡ଼ିଏ ପଡ଼ିଯାଏ ପ୍ଲେ-ସ୍କୁଲ । ଲଗାମ ନାହିଁ କି ଫିକର ନାହିଁ, ପୁଣି ବଢ଼ିଆ ରୋଜଗାର । ସେଥିପାଇଁ ସବୁ ଆଡ଼େ ମାଳ ମାଳ ପ୍ଲେ-ସ୍କୁଲ ଖୋଲୁଛି । ଏପରି କି, ରାଜ୍ୟରେ କେତୋଟି ଘରୋଇ ପ୍ଲେ-ସ୍କୁଲ ଚାଲିଛି ତାହାର ହିସାବ ମଧ୍ୟ ଶିକ୍ଷା ବିଭାଗ ପାଖରେ ବି ନାହିଁ । ସ୍କୁଲ ଖୋଲିବାକୁ ଅନୁମତି ଓ ସ୍ୱୀକୃତି କେମିତି ମିଳୁଛି, ତାହା ମଧ୍ୟ ଜଣାନାହିଁ । ଏ ସମ୍ପର୍କିତ ଏକ ମାମଲାରେ ଓଏଚ୍ଆରସିଙ୍କୁ ଗଣଶିକ୍ଷା ବିଭାଗ ଦେଇଥିବା ଉତ୍ତର ଆହୁରି ଚିନ୍ତାଜନକ । ବିଭାଗୀୟ ସଚିବ କହିଛନ୍ତି, ଆମ ମୁଣ୍ଡରେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଦାୟିତ୍ୱ । ତା’ହେଲେ ଘରୋଇ ପ୍ଲେ-ସ୍କୁଲ ପ୍ରକୃତରେ କାହାର ?
ତଥ୍ୟ ଅନୁଯାୟୀ, ପ୍ରତିବର୍ଷ କେବଳ ଭୁବନେଶ୍ୱରରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଘରୋଇ ପ୍ଲେ’ ସ୍କୁଲରେ ନାମ ଲେଖାଉଛନ୍ତି । ଏଥିପାଇଁ ମୋଟା ଅଙ୍କର ଅର୍ଥ ବି ଦେଉଛନ୍ତି ଅଭିଭାବକ । କେଉଁଠି ଭଡ଼ା ଘରେ ତ ଆଉ କେଉଁଠି ଦୁଇ ମହଲା ଉପରେ ଚାଲୁଛି । ଏପରିକି ଛାତ ଉପରେ ଆଜବେଷ୍ଟସ୍ ପକାଇ ମଧ୍ୟ ପ୍ଲେ ସ୍କୁଲ୍ ବ୍ୟବସାୟ ଚାଲୁଥିବା ନଜିର ରହିଛି । ସିଓଆର୍ ଓ ଅନୁମତି ବିନା ବିପଦସଂକୁଳ ଅବସ୍ଥାରେ ପିଲାଙ୍କୁ ଆଦ୍ୟ ଶୈଶବ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁ ସୁରକ୍ଷା ଏଠାରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ । ହେଲେ ବିଡ଼ମ୍ବନା, ରାଜ୍ୟ କଥା ଛାଡ଼ନ୍ତୁ କେବଳ ରାଜଧାନୀରେ କେତେ ଘରୋଇ ପ୍ଲେ-ସ୍କୁଲ ଅଛି ତାହାର ତଥ୍ୟ ମଧ୍ୟ କାହା ପାଖରେ ନାହିଁ । ପିଲାଙ୍କ ପ୍ରାଥମିକ ଶିକ୍ଷା ପାଇଁ ଘରୋଇ ପ୍ଲେ-ସ୍କୁଲ ଉପରେ ନିର୍ଭରତା ବଢୁଥିବାରୁ ଚାହିଦା-ଫାଇଦା ଦୃଷ୍ଟିରୁ ଏଭଳି ସ୍ଥିତି ଉପୁଜିଛି ।
ଏହି ବେଆଇନ୍ ପ୍ଲେ-ସ୍କୁଲଗୁଡ଼ିକୁ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ଓଏଚଆରସିଙ୍କ ନିକଟରେ ଏକ ମାମଲା ରୁଜୁ ହୋଇ ବିଚାର ପ୍ରକ୍ରିୟା ଚାଲିଛି । ସରକାରଙ୍କ ନିୟମ ଅନୁଯାୟୀ ପଞ୍ଜୀକୃତ କରି ପ୍ଲେ ସ୍କୁଲଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିବାକୁ ନ୍ୟାସନାଲ ପ୍ୟାରେଣ୍ଟସ୍ ଫେଡେରେସନ ପକ୍ଷରୁ ଏହି ଆବେଦନ କରାଯାଇଛି । ଏନେଇ ଓଏଚ୍ଆର୍ସିଙ୍କ ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଜ ପକ୍ଷରେ ରଖିଥିବା ଉତ୍ତର ଚକିତ କରିଛି । ବିଭାଗୀୟ ସଚିବ ଗୋଟିଏ ପଟେ କହିଛନ୍ତି ଯେ, ଘରୋଇ ପ୍ରାକ୍-ବିଦ୍ୟାଳୟ ବା ପ୍ଲେ-ସ୍କୁଲଗୁଡ଼ିର ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ପୁଣି କହିଛନ୍ତି, ପ୍ରାଥମିକ ଶିକ୍ଷା କହିଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀକୁ ହିଁ ବୁଝାଏ । ପ୍ରଥମରୁ ପଞ୍ଚମ ଶ୍ରେଣୀ ହେଉଛି ପ୍ରାଥମିକ ଶିକ୍ଷା ଏବଂ ଷଷ୍ଠ-ଅଷ୍ଟମ ଶ୍ରେଣୀ ହେଉଛି ଉଚ୍ଚ ପ୍ରାଥମିକ ଶିକ୍ଷା । ତେଣୁ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ବିଭାଗ ପକ୍ଷରୁ ମାନଦଣ୍ଡ ଓ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରାଯାଇ ସିଓଆର୍ ତଥା ଅନୁମତି ପ୍ରଦାନ କରାଯାଉଛି । କିନ୍ତୁ ପ୍ଲେ-ସ୍କୁଲ ଖୋଲିବା ପାଇଁ ଅନୁମତି ଓ ସ୍ୱୀକୃତି କେମିତି ଏବଂ କେଉଁ ଆଧାରରେ ଦିଆଯାଉଛି ସଚିବ କହିପାରି ନାହାନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭ଠାରୁ ଏନ୍ସିପିସିଆର୍ ପକ୍ଷରୁ ବେସରକାରୀ ପ୍ଲେ ସ୍କୁଲଗୁଡ଼ିକୁ ସରକାରଙ୍କ ନିୟନ୍ତ୍ରଣାଧୀନ କରି ସ୍ୱୀକୃତି ପ୍ରଦାନ କରିବା ପାଇଁ ଏକ ସ୍ପଷ୍ଟ ନିୟମାବଳୀ ଜାରି ହୋଇଛି । ପ୍ରତ୍ୟେକ ରାଜ୍ୟ ଏହି ନିୟମାବଳୀ ଲାଗୁ କରି ପ୍ଲେ-ସ୍କୁଲ ଖୋଲିବାକୁ ସ୍ୱୀକୃତି ଦେବା କଥା । ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ମଧ୍ୟ ଶିକ୍ଷା ବିଭାଗ ଅଧୀନରେ ୩-୬ ବୟସ ପର୍ଯ୍ୟନ୍ତ ଆଦ୍ୟ ଶୈଶବ ଶିକ୍ଷା ଅନ୍ତର୍ଭୂକ୍ତ କରାଯାଇଛି । ୨୦୨୧ ଡିସେମ୍ବରରେ ଲୋକସଭାରେ ଆଗତ ଏହି ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତର ରଖି ତତ୍କାଳୀନ କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ କହିଥିଲେ, ବେସରକାରୀ ସ୍କୁଲରେ ଆଦ୍ୟ ଶୈଶବ ଶିକ୍ଷା ନିମନ୍ତେ ଏନ୍ସିଇଆର୍ଟି ତରଫରୁ ନିୟମାବଳୀ ରହିଛି । ତଦନୁଯାୟୀ, ପ୍ଲେ-ସ୍କୁଲର ଭିତ୍ତିଭୂମି, ଷ୍ଟାଫ୍, ନାମଲେଖା ପ୍ରକ୍ରିୟା, ରେକର୍ଡ, ଦରମା, ନିଯୁକ୍ତି ଆଦିର ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି । ଏନ୍ସିପିସିଆର୍ଙ୍କ ପକ୍ଷରୁ ବେସରକାରୀ ପ୍ଲେ ସ୍କୁଲ ଓ ନର୍ସରୀଗୁଡ଼ିକୁ ନିୟନ୍ତ୍ରଣାଧୀନ ଏବଂ ସିଓଆର୍ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ମଧ୍ୟ ଜାରି କରାଯାଇଛି । ବେସରକାରୀ ପ୍ଲେ-ସ୍କୁଲ ମଧ୍ୟରେ ଥିବା ଅସାମଞ୍ଜସ୍ୟ ଦୂର କରି ଗୋଟିଏ ଢାଞ୍ଚାରେ ସମନ୍ୱିତ ଶିଶୁ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉତ୍ତର ରଖିଥିଲେ ।
ସୌଜନ୍ୟ ପ୍ରମେୟ




