ରାଜ୍ୟ

Patha Utsav 2026 : ରାଜଧାନୀକୁ ଫେରିବ ପଥ ଉତ୍ସବ, ଜମିବ ଶୀତୁଆ ସକାଳର ମଜା

ଭୁବନେଶ୍ୱର, ୨୩/୧୧ : ରାଜଧାନୀକୁ ଫେରିବ ଶୀତୁଆ ସକାଳର ମଜା । ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ ପଥ ଉତ୍ସବ । ଏନେଇ ବିଏମ୍‌ସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହାସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ କଳାକୁ ଲୋକଲୋଚନକୁ ଆଣିବାକୁ ବିଏମ୍‌ସି ଆରମ୍ଭ କରିବ ଭୁବନେଶ୍ୱର ଭାଇବ୍‌ସ । ପଥ ଉତ୍ସବକୁ ନେଇ ବିଦ୍ଧିବଦ୍ଧ ଭାବେ ଏକ ସ୍ୱତନ୍ତ୍ର ବୈଠକ ବସିବ । ମେୟରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି୍‌ ବୈଠକରେ ସବୁ କର୍ପୋରେଟର ଓ ଅଧିକାରୀ ଯୋଗଦେବେ । ପୂର୍ବଥର ଭଳି ଏଥର ମଧ୍ୟ ୩ ଜୋନ୍‌ରେ ବିଏମ୍‌ସି ପକ୍ଷରୁ ପଥ ଉତ୍ସବ କରାଯିବ ।

ଡିସେମ୍ବର ମାସ ଶେଷ ଏବଂ ଜାନୁଆରୀ ମାସର ଦୁଇଟି ସପ୍ତାହରେ ପଥ ଉତ୍ସବ ଅନୁଷ୍ଠିତ ହେବ । ପ୍ରଥମ ପଥ ଉତ୍ସବ ଜନପଥର ମାଷ୍ଟର କ୍ୟାଣ୍ଟିନ୍‌ରୁ ରାମମନ୍ଦିର ରାସ୍ତାରେ ହେବ । ଏହା ସହ ବାକି ୨ ପଥ ଉତ୍ସବ ଜାନୁଆରୀ ମାସରେ କରାଯିବ । ଉତ୍ତର ଏବଂ ଦକ୍ଷିଣ-ପିଶ୍ଚିମ ଜୋନ୍‌ରେ ପଥ ଉତ୍ସବ ସମ୍ପର୍କରେ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯିବ । ପଥଉତ୍ସବରେ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ଏବଂ ଦିବ୍ୟାଙ୍ଗଠାରୁ ଆରମ୍ଭ କରି ଟ୍ରାନ୍‌ସଜେଣ୍ଡର-ସମସ୍ତ ବର୍ଗର ନାଗରିକ ସାମିଲ ହେବାକୁ କୁହାଯାଇଛି । ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ୍‌, ଲୁଡୁ, କୁଇଜ୍‌ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ୍‌ ସୋ, କ୍ଲେ ଆର୍ଟ, ଫେସ୍‌ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ ବିଭାଗ ରହିଛି । ପୁରା ମାଷ୍ଟର କ୍ୟାଣ୍ଟିନଠାରୁ ଆରମ୍ଭ କରି ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଭୁବନେଶ୍ୱର ନାଗରିକ ଝୁମିବେ, ନାଚିବେ, ଗାଇବେ, ବ୍ୟାୟାମ କରିବେ ଏବଂ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଏହି ପଥ ଉତ୍ସବ । ସୂଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button