ସବୁଠୁ ଶକ୍ତିଶାଳୀ ହୋଇପାରେ ‘ଗଡ୍ଜିଲା ଏଲ୍ନିନୋ’: ୨୦୨୭ରେ ଖାଦ୍ୟ ସୁରକ୍ଷା ପ୍ରତି ବିପଦ
‘ଏଲ୍ନିନୋ’ ଚଳିତବର୍ଷ ଇତିହାସର ସବୁଠୁ ଶକ୍ତିଶାଳୀ ଜଳବାୟୁ ଘଟଣା ମଧ୍ୟରୁ ଗୋଟିଏ ହୋଇପାରେ। ବିଶେଷଜ୍ଞ ଏହାକୁ ‘ଗଡ୍ଜିଲା ଏଲ୍ନିନୋ’ ନାମ ଦେଇଛନ୍ତି। ଗଡ୍ଜିଲା ଅର୍ଥ ବିଶାଳ।

ନୂଆଦିଲ୍ଲୀ: ‘ଏଲ୍ନିନୋ’ ଚଳିତବର୍ଷ ଇତିହାସର ସବୁଠୁ ଶକ୍ତିଶାଳୀ ଜଳବାୟୁ ଘଟଣା ମଧ୍ୟରୁ ଗୋଟିଏ ହୋଇପାରେ। ବିଶେଷଜ୍ଞ ଏହାକୁ ‘ଗଡ୍ଜିଲା ଏଲ୍ନିନୋ’ ନାମ ଦେଇଛନ୍ତି। ଗଡ୍ଜିଲା ଅର୍ଥ ବିଶାଳ। ଏହାର ପ୍ରଭାବ ୨୦୨୭ ପର୍ଯ୍ୟନ୍ତ ରହିପାରେ। ଏଣୁ ବିଶ୍ୱର ଖାଦ୍ୟ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି। ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ନୋଆ) ଅନୁଯାୟୀ, ୨୦୨୭ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଶକ୍ତିଶାଳୀ ଏଲ୍ନିନୋର ତୀବ୍ରତା ଅଧିକ ରହିବାର ସମ୍ଭାବନା ୭୯ ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଇଛି।
୨୨ଟି ଦେଶର ୯୦ ଲକ୍ଷ ଲୋକଙ୍କ ପାଇଁ ୨୦୨ ନିୟୁତ ଡଲାରର ସହାୟତା ଯୋଜନା
ତଥ୍ୟ ମୁତାବକ ଏଲ୍ନିନୋ ପ୍ରଭାବରେ କେତେକ ଅଞ୍ଚଳରେ ଦୀର୍ଘକାଳୀନ ମରୁଡ଼ି ଦେଖାଯିବାକୁ ଥିବାବେଳେ ଅନ୍ୟ କେତେକ ସ୍ଥାନରେ ଅତିବୃଷ୍ଟି ଓ ବନ୍ୟା ହୋଇପାରେ। ଅଧିକ ତାପମାତ୍ରା ଫସଲର ଜଳ ଆବଶ୍ୟକତା ବଢ଼ାଇବ। ମରୁଡ଼ିରେ ଚାଷଜମି ଶୁଖିଯିବା ଏବଂ ବନ୍ୟାରେ ଅମଳ ପୂର୍ବରୁ ଫସଲନଷ୍ଟ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ଖାଦ୍ୟଶସ୍ୟ ଉତ୍ପାଦନ କମିବା ସହ ବଜାରରେ ଖାଦ୍ୟଦ୍ରବ୍ୟର ଦର ବଢ଼ିପାରେ। ଯୁଦ୍ଧ, ବିସ୍ଥାପନ ଓ ମୂଲ୍ୟବୃଦ୍ଧିର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ।
ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ନଭେମ୍ବର ୧୭ରେ ଜାରି କରିଥିବା ଆକଳନରେ ଏଲ୍ନିନୋ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଖାଦ୍ୟ ଉତ୍ପାଦନ ପ୍ରତି ବିପଦ ବଢ଼ୁଥିବା କହିଛି। ପରିସ୍ଥିତିର ମୁକାବିଲା ପାଇଁ ଏଫ୍ଏଓ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍ପି) ମିଳିତ ଭାବେ ୨୦୨ ନିୟୁତ ଡଲାରର ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ୨୨ଟି ବିପଦପ୍ରବଣ ଦେଶର ପ୍ରାୟ ୯୦ ଲକ୍ଷ ଲୋକଙ୍କୁ ସହାୟତା ଦେବାର ଲକ୍ଷ୍ୟ ରହିଛି। ଭାରତ ପାଇଁ ମଧ୍ୟ ଏହି ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ହୋଇଛି। ଏଲ୍ନିନୋ ସାଧାରଣତଃ ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ଦୁର୍ବଳ କରିବା ସହ ଜଡ଼ିତ। ୨୦୨୭ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷାର ଗତି ଓ ପରିମାଣ ଉପରେ ଏହାର ପ୍ରଭାବ ରହିପାରେ। ବର୍ଷା କମିଲେ ବର୍ଷା ଉପରେ ନିର୍ଭରଶୀଳ ଚାଷ, ଜଳଭଣ୍ଡାର ଓ ଭୂତଳ ଜଳସ୍ତର ପ୍ରଭାବିତ ହେବ।
ସୌଜନ୍ୟ ସମ୍ବାଦ




