Rahul Gandhi: ପାକିସ୍ତାନୀ ଛାତ୍ରଙ୍କ ପ୍ରଶ୍ନରେ ରାହୁଲଙ୍କ କଡ଼ା ଜବାବ! ଆତଙ୍କବାଦ ବନ୍ଦ ହେଲେ ହିଁ ଆରମ୍ଭ ହେବ କଥାବାର୍ତ୍ତା!
ଶ ମାଟିରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଉଠିଲା ବଡ଼ ପ୍ରଶ୍ନ। ସାମ୍ନାରେ ଥିଲେ ଜଣେ ପାକିସ୍ତାନୀ ଛାତ୍ର, ଆଉ ଉତ୍ତର ଦେଉଥିଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ପ୍ରଶ୍ନ ଥିଲା, ଶେଷ ହେବ କି ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘଦିନର ତିକ୍ତତା? ଦୁଇ ଦେଶ କେବେ ଏକାଠି ବସି ଆଲୋଚନା କରିବେ?

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଉଠିଲା ବଡ଼ ପ୍ରଶ୍ନ। ସାମ୍ନାରେ ଥିଲେ ଜଣେ ପାକିସ୍ତାନୀ ଛାତ୍ର, ଆଉ ଉତ୍ତର ଦେଉଥିଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ପ୍ରଶ୍ନ ଥିଲା, ଶେଷ ହେବ କି ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘଦିନର ତିକ୍ତତା? ଦୁଇ ଦେଶ କେବେ ଏକାଠି ବସି ଆଲୋଚନା କରିବେ? ଏହାର ଉତ୍ତରରେ ରାହୁଲ ଯାହା କହିଲେ, ତାହା ଏବେ ଚର୍ଚ୍ଚାର ବିଷୟ। ଆମେରିକାର ୟୁନିଭର୍ସିଟି ଅଫ୍ ଚିକାଗୋରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଥିଲେ ରାହୁଲ ଗାନ୍ଧି। ଏହି ସମୟରେ ଜଣେ ଛାତ୍ର ନିଜକୁ ପାକିସ୍ତାନୀ ନାଗରିକ ବୋଲି ପରିଚୟ ଦେଇ ତାଙ୍କୁ ପ୍ରଶ୍ନ କରିଥିଲେ। ଦୁଇ ପଡ଼ୋଶୀ ଦେଶ କ’ଣ ପରସ୍ପର ମଧ୍ୟରେ ଅଭିଯୋଗ ଓ ପ୍ରତିଅଭିଯୋଗର ରାଜନୀତିରୁ ବାହାରି ଏକାଠି କାମ କରିପାରିବେ? ବାହାର ଦେଶକୁ ନିଜ ମତଭେଦର ଫାଇଦା ଉଠାଇବାକୁ ନଦେଇ ଦୁଇ ଦେଶ କ’ଣ ପାରସ୍ପରିକ ସ୍ୱାର୍ଥ ପାଇଁ ଆଗକୁ ବଢ଼ିପାରିବେ?
ଛାତ୍ରଙ୍କ ଏହି ପ୍ରଶ୍ନରେ ରାହୁଲ କହିଥିଲେ, ନିଶ୍ଚିତ ଭାବେ ଏହାର ସମ୍ଭାବନା ରହିଛି। ଭାରତ ଓ ପାକିସ୍ତାନ ଏକାଠି ବସି କଥା ହୋଇପାରିବେ, ମିଳିମିଶି କାମ ମଧ୍ୟ କରିପାରିବେ। କିନ୍ତୁ ଏଥିପାଇଁ ଗୋଟିଏ ବଡ଼ ସମସ୍ୟାର ସମାଧାନ ଜରୁରୀ। ଆଉ ସେହି ସମସ୍ୟା ହେଉଛି ପାକିସ୍ତାନ ପକ୍ଷରୁ ଭାରତରେ ଆତଙ୍କବାଦକୁ ସମର୍ଥନ ଓ ପ୍ରୋତ୍ସାହନ। ନିରୀହ ଭାରତୀୟଙ୍କ ଜୀବନ ଯାଉଥିବା ବେଳେ ପାକିସ୍ତାନ ସହ ଆଲୋଚନା କରିବା ଆମ ପାଇଁ ଗ୍ରହଣୀୟ ନୁହେଁ। ଯେଉଁ ମୁହୂର୍ତ୍ତରେ ଆତଙ୍କବାଦ ବନ୍ଦ ହେବ, ସେହି ମୁହୂର୍ତ୍ତରୁ ଆଲୋଚନାର ରାସ୍ତା ଖୋଲିପାରିବ ବୋଲି କହିଥିଲେ ରାହୁଲ।
କେବଳ ପାକିସ୍ତାନ ନୁହେଁ, ଭାରତର ବୈଦେଶିକ ନୀତିକୁ ନେଇ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ରାହୁଲ। ଇସ୍ରାଏଲ ସହ ଭାରତର ଭଲ ସମ୍ପର୍କ ରହିବା ଦରକାର, ଏପରିକି ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ମଧ୍ୟ ଜାରି ରହିବା ଉଚିତ। କିନ୍ତୁ ଗାଜା ପ୍ରସଙ୍ଗରେ ଇସ୍ରାଏଲର କାର୍ଯ୍ୟକଳାପକୁ ବିରୋଧ କରିବାରୁ ଭାରତ ପଛଘୁଞ୍ଚା ଦେବା ଉଚିତ ନୁହେଁ।
ଦେଶର ବୈଦେଶିକ ନୀତି ଅନ୍ୟ ଦେଶର ଚାପରେ ନୁହେଁ, ବରଂ ଭାରତର ଜାତୀୟ ସ୍ୱାର୍ଥ ଆଧାରରେ ନିର୍ଦ୍ଧାରିତ ହେବା ଦରକାର ବୋଲି ସେ କହିଥିଲେ। ଏହା ସହ ବିଶ୍ୱ ରାଜନୀତିରେ ଭାରତର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ରାହୁଲ। ତାଙ୍କ କହିବା ଅନୁସାରେ, ୧୫୦ କୋଟିରୁ ଅଧିକ ଜନସଂଖ୍ୟା ଥିବା ଭାରତର ବିଶ୍ୱ ମଞ୍ଚରେ ଏକ ବଡ଼ ଭୂମିକା ରହିବା ଉଚିତ। କିନ୍ତୁ ଏବେ ଭାରତ କେବଳ ଜଣେ ଦର୍ଶକ ଭଳି ରହିଯାଇଛି। ଇରାନ ଓ ଆମେରିକା ମଧ୍ୟରେ ଆଲୋଚନାରେ ପାକିସ୍ତାନ ବ୍ୟସ୍ତ ଥିବା ବେଳେ ଭାରତ କେବଳ ନିରବଦ୍ରଷ୍ଟା ସାଜିଛି ବୋଲି କହି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ତେବେ ପାକିସ୍ତାନୀ ଛାତ୍ରଙ୍କ ଗୋଟିଏ ପ୍ରଶ୍ନରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ଏବେ ଭାରତର ବୈଦେଶିକ ନୀତି ଓ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢ଼ାଇଛି। ଆଉ ରାହୁଲ ଗାନ୍ଧିଙ୍କ ଏହି ଉତ୍ତର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୌଜନ୍ୟ ସମ୍ବାଦ




