Three people dead: ବିବାହ ଖୁସିରେ ଲାଗିଲା ଗ୍ରହଣ! ଘାଟିରୁ ଖସିଲା ବସ୍, ୩ ମୃତ
ବିବାହ ଉତ୍ସବର ଖୁସି ମାହୋଲରୁ ଫେରୁଥିଲେ। ମନରେ ଥିଲା ଅନେକ ସୁନ୍ଦର ସ୍ମୃତି। ହେଲେ ଘରେ ପହଞ୍ଚିବା ପୂର୍ବରୁ ଯେ ମୃତ୍ୟୁ ଏମିତି ଜଗି ବସିଥିବ, ତାହା କେହି କଳ୍ପନା ବି କରିନଥିଲେ। ହଠାତ୍ ଘାଟି ରାସ୍ତାରେ ଭାରସାମ୍ୟ ହରାଇଲା ମିନିବସ୍।

ନୂଆଦିଲ୍ଲୀ: ବିବାହ ଉତ୍ସବର ଖୁସି ମାହୋଲରୁ ଫେରୁଥିଲେ। ମନରେ ଥିଲା ଅନେକ ସୁନ୍ଦର ସ୍ମୃତି। ହେଲେ ଘରେ ପହଞ୍ଚିବା ପୂର୍ବରୁ ଯେ ମୃତ୍ୟୁ ଏମିତି ଜଗି ବସିଥିବ, ତାହା କେହି କଳ୍ପନା ବି କରିନଥିଲେ। ହଠାତ୍ ଘାଟି ରାସ୍ତାରେ ଭାରସାମ୍ୟ ହରାଇଲା ମିନିବସ୍। ଆଖି ପିଛୁଳାକେ ୧୦୦ ଫୁଟ୍ ଗଭୀର ଖାଇକୁ ଖସିପଡ଼ିଲା ଗାଡ଼ି। ଚାରିଆଡ଼େ ଶୁଭିଲା ଚିତ୍କାର ଆଉ ଆର୍ତ୍ତନାଦ। ଏହି ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ୩ ଜଣଙ୍କ ଜୀବନ।
ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲାରେ ଘଟିଛି ଏଭଳି ଛାତିଥରା ଦୁର୍ଘଟଣା। ଗୁରୁବାର ରାତିରେ କୋଡାଇକାନାଲ-ପାଲାନି ଘାଟି ରାସ୍ତାର ସାଭରିକାଡୁ ନିକଟରେ ଏକ ମିନିବସ୍ ନିୟନ୍ତ୍ରଣ ହରାଇ ୧୦୦ ଫୁଟ୍ ଗଭୀର ଖାଇକୁ ଖସିପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍ରେ ୨୪ ଜଣ ଯାତ୍ରୀ ଥିଲେ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଡିଣ୍ଡିଗୁଲ ସାଂସଦ ସଚ୍ଚିଦାନନ୍ଦମ ଏକ ଫୋନ୍ ବାର୍ତ୍ତାଳାପରେ ସ୍ପଷ୍ଟ କରିଛନ୍ତି।
ବିବାହ ଉତ୍ସବରୁ ଫେରିବା ବେଳେ ଅଘଟଣ
ସୂଚନା ଅନୁସାରେ, ବସ୍ରେ ଥିବା ସମସ୍ତ ଯାତ୍ରୀ ପାଲାନିର ମଦିନା ନଗର ଏବଂ ଉଦୁମଲପେଟ ଅଞ୍ଚଳର ବାସିନ୍ଦା। ସେମାନେ କୋଡାଇକାନାଲର ମୁଞ୍ଜିକ୍କଲ ନିକଟରେ ଆୟୋଜିତ ଏକ ବିବାହ ରିସେପ୍ସନ୍ ଓ ବିବାହ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ହିଁ ସବୁକିଛି ଓଲଟପାଲଟ ହୋଇଗଲା।
ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପାଲାନି ଓ କୋଡାଇକାନାଲରୁ ଅଗ୍ନିଶମ ବାହିନୀ, ପୁଲିସ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆରମ୍ଭ ହୋଇଥିଲା ଜୋରଦାର ଉଦ୍ଧାର କାର୍ଯ୍ୟ। ଖାଇ ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ଏହି ଭୟଙ୍କର ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୌଜନ୍ୟ ସମ୍ବାଦ




