ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୨୬ ପ୍ଲାଟୁନ୍ ଫୋର୍ସ

ସାକ୍ଷୀଗୋପାଳ,୧୭/୧୧: ଆସନ୍ତା ୧୮ ତାରିଖରେ ପବିତ୍ର ଅଁଳାନବମୀ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ଅନୁଷ୍ଠିତ ହେବ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍ ବନ୍ଦୋବସ୍ତ କରାଯାଇଛି । ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ପ୍ରସ୍ତୁତି ସମୀକ୍ଷା ଅବସରରେ ସୂଚନା ଦେଇଛନ୍ତି ।
ଆଇଜିଙ୍କ ସୂଚନା ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାରେ ୨ ଜଣ ଅତିରିକ୍ତ ଏସ୍ପି ପାହ୍ୟାର ଅଧିକାରୀ, ୧୧ ଜଣ ଡିଏସ୍ପି ଓ ଡେପୁଟି କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ, ୨୧ ଜଣ ଇନ୍ସପେକ୍ଟର, ୭୦ ଜଣ ଏଏସ୍ଆଇ ପାହ୍ୟାର ଅଧିକାରୀ ନିୟୋଜିତ ରହିବେ । ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ପାର୍କିଂ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।
ମନ୍ଦିର ପରିସରରେ ୬ ଧାଡ଼ି ବିଶିଷ୍ଟ ଜିଗ୍ଜାଗ୍ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ନିର୍ଦ୍ଦିଷ୍ଟ ପ୍ରବେଶ ଓ ପ୍ରସ୍ଥାନ ପଥ ଦେଇ ଦର୍ଶନ କରିବେ । ଧାଡ଼ିରେ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁଙ୍କୁ ଖରା ଓ ବର୍ଷାରୁ ସୁରକ୍ଷା ଦେବା ପାଇଁ ବ୍ୟାରିକେଡ୍ ଉପରେ ସେଡ୍ ବ୍ୟବସ୍ଥା ହୋଇଛି । ମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ନିୟନ୍ତ୍ରଣ ପାଇଁ ନୂତନ ଭାବେ ମୋବାଇଲ ଷ୍ଟାଣ୍ଡ ଓ ଜୋତା ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି । ଭିଡ଼ ଓ ଯାନବାହନ ପରିଚାଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା ହୋଇଛି । ଭୁବନେଶ୍ୱର ପଟୁ ଆସୁଥିବା ଚାରିଚକିଆ ଯାନ ପାଇଁ ସତ୍ୟବାଦୀ କଲେଜ ନିକଟରେ ପାକି ର୍ଂ ବ୍ୟବସ୍ଥା ହୋଇଛି, ଯେଉଁଠାରେ ପ୍ରାୟ ୨୦୦ରୁ ୩୦୦ ଗାଡ଼ି ରହିପାରିବ । ପୁରୀ ପଟୁ ଆସୁଥିବା ଚାରିଚକିଆ ଯାନ ପାଇଁ ମହାମାୟା ସାହି ଦେଇ ସାକ୍ଷୀଗୋପାଳ ରେଳ ଷ୍ଟେସନ ନିକଟରେ ପାର୍କିଂ ବ୍ୟବସ୍ଥା ରହିଛି ।
ଦୁଇଚକିଆ ଯାନ ପାଇଁ ମନ୍ଦିର ନିକଟରେ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ପାଇଁ ୧୦୦ଟି ସିସିଟିଭି ଲଗାଯାଇଛି । ଏହାର ନିରୀକ୍ଷଣ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । କ୍ୟାମେରା ମାଧ୍ୟମରେ ଭିଡ଼ର ଘନତା ଓ ଗତିବିଧି ଉପରେ ନଜର ରଖାଯିବ । ଏଥିସହ ହ୍ୟାଣ୍ଡହେଲ୍ଡ ଓ ଡୋର୍ ଫ୍ରେମ୍ ମେଟାଲ ଡିଟେକ୍ଟର ମାଧ୍ୟମରେ ଯାଞ୍ଚ କରାଯିବ । ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ରହିବା ସହ ମହିଳାଙ୍କୁ ଅସଦାଚରଣ ଓ ଚେନ୍ ଛିନ୍ତାଇ ରୋକିବା ପାଇଁ ସାଦା ପୋଷାକରେ ପୁଲିସ କର୍ମଚାରୀ ନିୟୋଜିତ ରହିବେ । ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗ, ଆମ୍ବୁଲାନ୍ସ ସେବା, ତହସିଲଦାର ଓ ନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ସହ ପୁଲିସ ପ୍ରଶାସନ ସମନ୍ୱୟ ରଖିଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଅସ୍ୱାଭାବିକ ପରିସ୍ଥିତି ଦେଖିଲେ ତୁରନ୍ତ ୧୧୨ ଜରୁରିକାଳୀନ ନମ୍ବରକୁ ଫୋନ୍ କରି ଜଣାଇବାକୁ ଆଇଜି ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି ।
ସୌଜନ୍ୟ ପ୍ରମେୟ




