ଜିଲ୍ଲା

ସ୍ୱପ୍ନ ଥିଲା ଷ୍ଟେଥୋ ଧରିବେ; ଭାଗ୍ୟ ଧରାଇଛି କୋଦାଳ

ଘସିପୁରା : ‘‘ଯଦି ପାଠ ପଢ଼ିବା ପାଇଁ ଟଙ୍କା ଯୋଗାଡ଼ ହୋଇ ନ ପାରିଲା, ବାପାଙ୍କ ସାଙ୍ଗରେ ବିଲରେ ମୂଲ ଲାଗିବି। ଏହା ହିଁ ମୋ ଭାଗ୍ୟ ବୋଲି ଧରିନେବି’’। ବାଷ୍ପରୁଦ୍ଧ କଣ୍ଠରେ ଏହି କଥା ପଦକ କହିବା ବେଳେ ସଞ୍ଜୟଙ୍କ ଆଖିରୁ ଆପେଆପେ ଦୁଇଠୋପା ଲୁହ ନିଗିଡ଼ି ଆସିଥିଲା। ଦେଶର ଅନ୍ୟତମ କଠିନ ‘ନିଟ୍‌’ ପରୀକ୍ଷାରେ ସଫଳତା ପାଇ ଡାକ୍ତରୀ ଶିକ୍ଷା ପାଇଁ ମନୋନୀତ ହୋଇଥିବା ସଞ୍ଜୟଙ୍କ ସଫଳତା ବାଟରେ ଏବେ ଦାରିଦ୍ର୍ୟ ସବୁଠୁ ବଡ଼ କଣ୍ଟା ସାଜିଛି। କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ଆଦିବାସୀବହୁଳ ଜାମବାହାଳୀ ଗାଁରୁ ଜଣେ ଗରିବ, ଆଦିବାସୀ ମେଧାବୀଙ୍କ ଏପରି ଅସହାୟର ଚିତ୍ର ସାମ୍ନାକୁ ଆସିଛି। ଯେଉଁ ବୟସରେ ହାତରେ ଆଶାର ପ୍ରଦୀପ ଓ ଆଖିରେ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ରହିବା କଥା, ସେହି ବୟସରେ ଗରିବୀର କୋରଡ଼ା ମାଡ଼ରେ ଜଣେ ପ୍ରତିଭାବାନ୍ ଆଦିବାସୀ ଛାତ୍ରଙ୍କ ସ୍ୱପ୍ନ ମୂଳରୁ ମିଳେଇଯିବାକୁ ବସିଛି। ସୂଚନାନୁଯାୟୀ, ଜାମବାହାଳୀ ଗ୍ରାମର ଚାଷୀ ସୋମନାଥ ହାଁସଦାଙ୍କ ୫ଟି କନ୍ୟା ସନ୍ତାନ ପରେ କୋଳକୁ ଆସିଥିଲେ ଗୋଟିଏ ବୋଲି ପୁଅ ସଞ୍ଜୟ ହାଁସଦା। ପରିବାରର ଦୁଃଖ-କଷ୍ଟ ଭିତରେ ବଢ଼ୁଥିବା ସଞ୍ଜୟଙ୍କର ଶୈଶବରୁ ହିଁ ପାଠପଢ଼ା ପ୍ରତି ରହିଥିଲା ଅସୀମ ଆଗ୍ରହ। ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ଚିକିତ୍ସା ଅଭାବରୁ ଗରିବ ଲୋକଙ୍କ କଷ୍ଟ ଦେଖି ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ସେମାନଙ୍କ ସେବା କରିବାକୁ ସେ ପ୍ରତିଜ୍ଞା କରିଥିଲେ। କେନ୍ଦ୍ରାପଡ଼ା କଲେଜରୁ +୨ ବିଜ୍ଞାନ ଶିକ୍ଷା ସମ୍ପୂର୍ଣ୍ଣ କରିବା ପରେ ଆର୍ଥିକ ସମ୍ବଳ ନ ଥିବାରୁ ସେ କୌଣସି ବଡ଼ କୋଚିଂ ସଂସ୍ଥାକୁ ଯାଇପାରିନଥିଲେ। ହେଲେ ହାର୍‌ ନ ମାନି ‘ଫିଜିକ୍ସ ୱାଲା’ ଅନ୍‌ଲାଇନ୍ ମାଧ୍ୟମରେ ଦିନରାତି ଏକ କରି କଠିନ ସାଧନା କରିଥିଲେ। ସେହି ନିଷ୍ଠା ଓ ପରିଶ୍ରମର ଫଳ ସ୍ୱରୂପ ସେ ପ୍ରଥମ ପ୍ରୟାସରେ ହିଁ ନିଟ୍‌ ପରୀକ୍ଷାରେ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ସମଗ୍ର ଓଡ଼ିଶାରେ ୧୨୬ ନମ୍ବର ରାଙ୍କିଙ୍ଗ୍‌ ରଖି ଡାକ୍ତରୀ ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।
ତେବେ ଏହି ବଡ଼ ସଫଳତା ସଞ୍ଜୟଙ୍କ ପରିବାର ପାଇଁ ଖୁସି ପରିବର୍ତ୍ତେ ଏବେ ଚିନ୍ତାର ପାହାଡ଼ ଛିଡ଼ା କରିଦେଇଛି। ପିତା ସୋମନାଥ କେବଳ କିଛି ବଖରା ଜମିରେ ଚାଷ କାମ କରି ଅତ୍ୟନ୍ତ କଷ୍ଟରେ କୁଟୁମ୍ବଙ୍କ ପେଟ ପୋଷୁଛନ୍ତି। ପୁଅର ନାମଲେଖା, ବହିପତ୍ର ଏବଂ ଡାକ୍ତରୀ ପଢ଼ାର ଭାରୀ ଖର୍ଚ୍ଚ ବହନ କରିବା ସେହି ଗରିବ ବାପାଙ୍କ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ। ପୁଅକୁ ଡାକ୍ତର କରି ଗାଁର ନାଁ ଉଚ୍ଚ କରିବାର ସ୍ୱପ୍ନ ଦେଖୁଥିବା ବାପା ଏବେ ଅର୍ଥ ଯୋଗାଡ଼ କରି ନ ପାରି ନିଜକୁ ଅସହାୟ ମଣୁଛନ୍ତି। ଅନ୍ୟପଟେ, ବାପାଙ୍କ ନିରାଶ ଚେହେରା ଓ ଦୁଃଖ ଦେଖି ସଞ୍ଜୟ ନିଜ ସ୍ୱପ୍ନକୁ ଗୋପନରେ ଜଳାଞ୍ଜଳି ଦେଇଦେଇଛନ୍ତି। ଚାଷ ଜମିକୁ ଯିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛନ୍ତି। ଗୋଟିଏପଟେ, ସରକାରୀସ୍ତରରେ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଯୋଜନାର ଡିଣ୍ଡିମ୍ ପିଟାଯାଉଥିବା ବେଳେ ଅନ୍ୟପଟେ ଜଣେ ଜନ୍ମଜାତ ପ୍ରତିଭା ଆଜି ଅର୍ଥାଭାବରୁ ଭାଙ୍ଗି ପଡ଼ୁଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ, ସରକାର କିମ୍ବା ଜିଲା ପ୍ରଶାସନ ତୁରନ୍ତ ଆର୍ଥିକ ସହାୟତାର ହାତ ନ ବଢ଼ାନ୍ତି, ତେବେ ଜଣେ ଆଦିବାସୀ ମେଧାବୀ ପୁଅର ଡାକ୍ତର ହେବାର ସ୍ୱପ୍ନ ନିଶ୍ଚିହ୍ନ ହୋଇଯିବ। ଜାମବାହାଳୀ ଗ୍ରାମବାସୀ ଓ ସଞ୍ଜୟଙ୍କ ପରିବାର ଏବେ କେବଳ ଗୋଟିଏ ଆଶାରେ ପ୍ରଶାସନ ଓ ଦାତାମାନଙ୍କ ସହାୟତାକୁ ଆକୁଳ ନୟନରେ ଚାହିଁ ରହିଛନ୍ତି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button