ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବୁଧବାର ସନ୍ଧ୍ୟାରେ ପ୍ରଳୟଙ୍କାରୀ ବର୍ଷା ଝଡ଼ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ପ୍ରବଳ ବର୍ଷା ହେବା ସହିତ ପବନ ଓ ଧୂଳିଝଡ଼ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଥିଲା। ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ି ରହିଥିବା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଥିଲା।
ପ୍ରୟାଗରାଜ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସନ୍ଥ ରବିଦାସ ନଗରରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି, ଫତେହପୁରରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଓ ମିର୍ଜାପୁରରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।
ଝଡ଼ବର୍ଷା ନେଇ ଚେତାବନୀ
ଉନ୍ନାଓ, ବଦାୟୁଁ, ବରେଲି ଓ ପ୍ରତାପଗଡ଼ ସମେତ ଅନ୍ୟ ଅନେକ ଜିଲ୍ଲାରେ ମଧ୍ୟ ଝଡ଼ ଯୋଗୁଁ ଗଛ ଉପୁଡ଼ି ପଡ଼ିଛି, ଘର କ୍ଷତିଗ୍ରସ୍ତ ହୋଇଛି ଓ କାନ୍ଥ ଭୁଶୁଡ଼ି ପଡ଼ିଛି। ଉତ୍ତର ପ୍ରଦେଶ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ, ଝଡ଼ବର୍ଷା ଯୋଗୁ ୫୩ ଜଣ ଲୋକ ଆହତ ହୋଇଥିବାବେଳେ ୧୧୪ଟି ପଶୁଙ୍କ ମୃତ୍ୟୁ ହୋଇଛି। ଅନେକ ଜିଲ୍ଲାରେ ଘର ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। କାନ୍ଥ ଓ ଗଛ ପଡ଼ି ଲୋକଙ୍କ ମୃତ୍ୟୁ ହୋଇଛି। କେତେକ ସ୍ଥାନରେ ବଜ୍ରପାତ ଯୋଗୁଁ ଲୋକଙ୍କ ମୃତ୍ୟୁ ହୋଇଛି। ଭାରତୀୟ ପାଣିପାଗ ବିଭାଗ ଉତ୍ତର ଭାରତରେ ପଶ୍ଚିମାଝଡ଼ ପ୍ରଭାବରେ ଝଡ଼ବର୍ଷା ନେଇ ଚେତାବନୀ ଦେଇଛି।
ସୌଜନ୍ୟ ସମ୍ବାଦ

