9 countries and 89 children: ୫ ଦଶନ୍ଧି, ୯ ଦେଶ ଓ ୮୯ ଶିଶୁ: ଫରାସୀ ଶିକ୍ଷକଙ୍କ କଳା କାରନାମାର ପର୍ଦ୍ଦାଫାସ

ଜଣେ ୭୯ ବର୍ଷୀୟ ଅବସରପ୍ରାପ୍ତ ଫରାସୀ ଶିକ୍ଷକଙ୍କ ଦ୍ୱାରା ୫୦ ବର୍ଷ ଧରି ଚାଲିଥିବା ଏକ ଭୟଙ୍କର ଶିଶୁ ଯୌନ ନିର୍ଯାତନା ମାମଲା ସାରା ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଫ୍ରାନ୍ସର ସରକାରୀ ଓକିଲ ଏଟିଏନ୍ ମାଣ୍ଟୋକ୍ସ....

ପ୍ୟାରିସ: ଜଣେ ୭୯ ବର୍ଷୀୟ ଅବସରପ୍ରାପ୍ତ ଫରାସୀ ଶିକ୍ଷକଙ୍କ ଦ୍ୱାରା  ୫୦ ବର୍ଷ ଧରି ଚାଲିଥିବା ଏକ ଭୟଙ୍କର ଶିଶୁ ଯୌନ ନିର୍ଯାତନା ମାମଲା ସାରା ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଫ୍ରାନ୍ସର ସରକାରୀ ଓକିଲ ଏଟିଏନ୍ ମାଣ୍ଟୋକ୍ସ ଜେଲ୍‌ରେ ଥିବା ଅଭିଯୁକ୍ତ ଜାକ୍ ଲେଭୁଗଲ୍‌ର ପରିଚୟ ସାର୍ବଜନୀନ କରିବା ସହ ସେ ଭାରତ ସମେତ ୯ଟି ଦେଶରେ ପ୍ରାୟ ୮୯ ଜଣ ନାବାଳକଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି। ୧୯୬୭ରୁ ୨୦୨୨ ମସିହା ମଧ୍ୟରେ ଏହି ଅପରାଧ ଘଟିଥିବା ବେଳେ ପୀଡ଼ିତମାନଙ୍କ ବୟସ ୧୩ରୁ ୧୭ ବର୍ଷ ମଧ୍ୟରେ ଥିଲା।

ଏହି ସାଂଘାତିକ ଘଟଣାର ପର୍ଦ୍ଦାଫାସ ସେତେବେଳେ ହେଲା, ଯେତେବେଳେ ଅଭିଯୁକ୍ତର ପୁତୁରା  ଏକ ୟୁଏସ୍‌ବି ଡ୍ରାଇଭ୍ ପାଇଥିଲେ। ସେଥିରେ ୧୫ଟି ଭାଗରେ ଲେଭୁଗଲ୍ ନିଜର ଅପକର୍ମ ଏବଂ ନାବାଳକଙ୍କ ସହ ରଖିଥିବା ଯୌନ ସମ୍ପର୍କ ବିଷୟରେ ବିସ୍ତୃତ ଭାବେ ଲେଖିଥିଲା। ଲେଭୁଗଲ୍ ଜଣେ ଶିକ୍ଷକ ଓ ଫ୍ରେଞ୍ଚ୍ ଭାଷା ପ୍ରଶିକ୍ଷକ ଭାବେ ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ମରକୋ, ଭାରତ, ଆଲଜେରିଆ ଓ ଫିଲିପାଇନ୍ସ ଭଳି ଦେଶ ଭ୍ରମଣ କରିଥିଲା। ସେ ପିଲାମାନଙ୍କୁ ବିଦେଶୀ ଭାଷା ଶିଖାଇବା ଏବଂ ସାଂସ୍କୃତିକ ଜ୍ଞାନ ଦେବା ବାହାନାରେ ସେମାନଙ୍କୁ ନିଜ ଜାଲରେ ଫସାଉଥିଲା।

ଭାରତ ସମେତ ୯ଟି ଦେଶରେ ନାବାଳକଙ୍କୁ ଯୌନ ଶୋଷଣ
ମା’ ଓ ମାଉସୀଙ୍କୁ ମଧ୍ୟ ହତ୍ୟା କରିଥିଲା

ତଦନ୍ତ ବେଳେ ଏହି ମାମଲା ଆହୁରି ଭୟଙ୍କର ମୋଡ଼ ନେଇଥିଲା। ଲେଭୁଗଲ୍ କେବଳ ଯୌନ ଶୋଷଣ ନୁହେଁ, ବରଂ ନିଜର  କର୍କଟ ପୀଡ଼ିତା ମା’ ଏବଂ ୯୨ ବର୍ଷୀୟା ମାଉସୀଙ୍କୁ ତକିଆରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ସ୍ୱୀକାର କରିଛି। ସରକାରୀ ଓକିଲ ପରିଚୟ ଏହି ଅପରାଧୀର ପରିଚୟ ସାର୍ବଜନୀନ କରିଥିବା ବେଳେ  ଏବେ ଅନ୍ୟ ପୀଡ଼ିତ ଓ ସାକ୍ଷୀମାନଙ୍କୁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ହଟଲାଇନ୍ ମଧ୍ୟ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ଜାକ୍ ଲେଭୁଗଲ୍ ୧୯୬୭ରୁ ୨୦୨୨ ମଧ୍ୟରେ ଯେଉଁ ୯ଟି ଦେଶ ଭ୍ରମଣ କରିଥିଲା, ସେଠାରେ ସେ ଜଣେ ‘ଫ୍ରିଲାନ୍ସର ଶିକ୍ଷକ’ଭାବେ କାର୍ଯ୍ୟ କରିଥିଲା।  ସେ  ଭାରତରେ ମଧ୍ୟ କିଛି ସମୟ ଅତିବାହିତ କରିଥିଲା ଓ  କିଛି ନାବାଳକଙ୍କୁ ଫସାଇଥିଲା। ଭାରତୀୟ ଅଧିକାରୀମାନେ ଏବେ ଫ୍ରାନ୍ସ ସରକାରଙ୍କ ଠାରୁ ଅଧିକ ତଥ୍ୟ ମାଗିପାରନ୍ତି ଯେଉଁଥିରେ ଅଭିଯୁକ୍ତ ଭାରତର କେଉଁ ସହରରେ ରହୁଥିଲା ତାହା ସ୍ପଷ୍ଟ ହେବ।

ସୌଜନ୍ୟ ସମ୍ବାଦ

Exit mobile version