ଦେଶ ବିଦେଶ

Lalu’s 3 daughters: ବଡ଼ଘର ବଡ଼ ଗୁମର କଥା: ଘର ଛାଡ଼ିଲେ ଲାଲୁଙ୍କ ଆଉ ୩ ଝିଅ

ବିହାର ବିଧାନସଭା ନିର୍ବାଚନରେ ଆର୍‌ଜେଡିର ଶୋଚନୀୟ ପରାଜୟ ଲାଲୁଙ୍କ ପରିବାର ପାଇଁ ମଧ୍ୟ ମହାସଙ୍କଟ ଆଣିଛି। ପରିବାର କଳହ ଏବେ ଅତି ଜଟିଳ ରୂପ ନେଇଛି ଏବଂ ରୋହିଣୀ ଆଚାର୍ଯ୍ୟଙ୍କ ପରେ ଲାଲୁଙ୍କ ଆଉ ୩ ଝିଅ ମଧ୍ୟ ଆଜି ଘରୁ ବାହାରି ଯାଇଛନ୍ତି।

ପାଟନା: ବିହାର ବିଧାନସଭା ନିର୍ବାଚନରେ ଆର୍‌ଜେଡିର ଶୋଚନୀୟ ପରାଜୟ ଲାଲୁଙ୍କ ପରିବାର ପାଇଁ ମଧ୍ୟ ମହାସଙ୍କଟ ଆଣିଛି। ପରିବାର କଳହ ଏବେ ଅତି ଜଟିଳ ରୂପ ନେଇଛି ଏବଂ ରୋହିଣୀ ଆଚାର୍ଯ୍ୟଙ୍କ ପରେ ଲାଲୁଙ୍କ ଆଉ ୩ ଝିଅ ମଧ୍ୟ ଆଜି ଘରୁ ବାହାରି ଯାଇଛନ୍ତି। ସେମାନେ ହେଲେ ରାଜଲକ୍ଷ୍ମୀ, ରାଗିଣୀ ଏବଂ ଚନ୍ଦା। ଏହି ତିନିଝିଅ ସେମାନଙ୍କ ପିଲାମାନଙ୍କ ସହ ପାଟନା ବାସଭବନ ଛାଡ଼ି ଦିଲ୍ଲୀ ପଳାଇଛନ୍ତି। ନିର୍ବାଚନ ଫଳ ଆସିବା ପରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଓ ଭଉଣୀ ରୋହିଣୀଙ୍କ ମଧ୍ୟରେ ବାରମ୍ବାର ବଚସା ହୋଇଥିଲା। ଶନିବାର ଅପରାହ୍ଣରେ ଭାଇଭଉଣୀଙ୍କ ମଧ୍ୟରେ ବଚସା ସମୟରେ ତେଜସ୍ବୀ ନିର୍ବାଚନ ହାରିବା ପାଇଁ ବଡ଼ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କୁ ଦାୟୀ କରିଥିଲେ।‌ ତେଜସ୍ବୀ କହିଥିଲେ, ‘ତୁମ ପାଇଁ ଆମେ ନିର୍ବାଚନ ହାରିଗଲୁ। ତୁମ ପାଇଁ ଆମ ଉପରେ ଅଭିଶାପ ପଡ଼ିଗଲା।’ କଥା ଏତିକିରେ ଅଟକିନଥିଲା। ତେଜସ୍ବୀ ରାଗିଯାଇ ରୋହିଣୀଙ୍କ ଉପରେ ଚପଲ ପକାଇଥିଲେ ଏବଂ ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।  ଭାଇ ତେଜସ୍ବୀଙ୍କ ବିରୋଧରେ ଅତି ସଙ୍ଗିନ ଅଭିଯୋଗ ଆଣି ରୋହିଣୀ କହିଛନ୍ତି ଯେ ତାଙ୍କୁ ଘରୁ ବଳପୂର୍ବକ ତଡ଼ି ଦିଆଯାଇଛି। ତାଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରାଯାଇଛି ଏବଂ ତାଙ୍କୁ ଜୋତାରେ ପିଟିବା ପାଇଁ ମଧ୍ୟ ଉଦ୍ୟମ ହୋଇଛି।

ମୋ ଉପରକୁ ଚପଲ ଉଠାଇଲେ: ରୋହିଣୀ

ଆର୍‌ଜେଡିର ବିପର୍ଯ୍ୟୟ ପାଇଁ ରୋହିଣୀଙ୍କୁ ଦାୟୀ କଲେ ତେଜସ୍ବୀ
ରୋହିଣୀଙ୍କ ପ୍ରତି ଅପମାନ ଅସହ୍ୟ:  ତେଜପ୍ରତାପ

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ଲାଲୁପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ ତାଙ୍କ ଜନଶକ୍ତି ଜନତା ଦଳ (ଜେଜେଡି)ର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି ‘ଗତକାଲିର ଘଟଣା ମତେ ଗଭୀର ଆଘାତ ଦେଇଛି। ମୋ ସହ ଯାହା ଘଟିଗଲା ମୁଁ ସହିଯାଇଛି। କିନ୍ତୁ ମୋ ଭଉଣୀ ପ୍ରତି କରାଯାଇଥିବା ଅପମାନ କୌଣସି ପରିସ୍ଥିତିରେ ବି ସହିବା ଯୋଗ୍ୟ ନୁହେଁ। ସେ କହିଛନ୍ତି, ବିଶ୍ବାସଘାତକମାନେ ଶୁଣିରଖ, ‘ଯଦି ତମେ ଆମ ପରିବାରକୁ ଟାର୍ଗେଟ୍‌ କରିବ, ତେବେ ବିହାରର ଲୋକମାନେ ତମମାନଙ୍କୁ କେବେ ମଧ୍ୟ କ୍ଷମା ଦେବେନାହିଁ।’ ତେଜପ୍ରତାପ ତାଙ୍କ ଟିପ୍ପଣୀ‌ରେ କିଛି ଅଘୋଷିତ ବ୍ୟକ୍ତିଙ୍କୁ ଦାୟୀ କରିବା ସହ ବାପା ଲାଲୁପ୍ରସାଦ ଯାଦବଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ‘ବାପା, କେବଳ ଗୋଟିଏ ସଙ୍କେତ ଦିଅନ୍ତୁ, ବିହାରର ଲୋକମାନେ ଏହି ବିଶ୍ବାସଘାତକଙ୍କୁ ପୋତିଦେବେ। ଏହା କୌଣସି ରାଜନୈତିକ ଦଳ ପାଇଁ ଲଢ଼େଇ ନୁହେଁ, ଏହା ପରିବାରର ସମ୍ମାନ, ବିହାରର ଝିଅ ଏବଂ ବିହାରର ଆତ୍ମସମ୍ମାନ ପାଇଁ ଏକ ଲଢ଼େଇା’

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button