Breaking News

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶକୁ ଭିମ୍‌ସାର୍‌ର ଖାତିର ନାହିଁ, ଏ ପର୍ଯ୍ୟନ୍ତ ପଇଠ ହେଲା ନାହିଁ ୧୧ ଲକ୍ଷ ଫାଇନ୍‌

ବୁର୍ଲା,୦୩/୧୨: ପ୍ରଦୂଷଣ ନିୟମର ସାଂଘାତିକ ଉଲ୍ଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁର୍ଲା ଭିମ୍‌ସାରକୁ ୧୧ ଲକ୍ଷ ଟଙ୍କା ଫାଇନ୍‌ କରିଥିଲା । ଏହାସତ୍ତେ୍ୱ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଭିମ୍‌ସାର୍‌ କର୍ତ୍ତୃପକ୍ଷଙ୍କ କଡ଼ା ଭର୍ତ୍ସନ କରିଛନ୍ତି । ପଦକ୍ଷେପ ନେବାକୁ ପୁଣି ସାତଦିନର ମହଲତ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠିସଂଖ୍ୟା ୧୯୭୨୩ ତା ୨/୧୨/୨୦୨୪ ଅନୁସାରେ ଭିମ୍‌ସାର୍‌ ମେଡିକାଲ ଅଧିକ୍ଷକଙ୍କୁ ଚିଠିଦେଇ ଜଳ ପ୍ରଦୂଷଣ ଅଧିନିୟମ ୧୯୭୪ ଓ ବାୟୁ ପ୍ରଦୂଷଣ ଅଧିନିୟମ ୧୯୮୧କୁ ଉଲ୍ଲଂଘନ କରିଥିବାରୁ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସମାଲୋଚନା କରିଛନ୍ତି । ଏ ସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଡିଏମ୍‌ଇଟିଙ୍କୁ ପ୍ରଦାନ କରାଯାଇଥିବା ପୂର୍ବତନ ଚିଠିସଂଖ୍ୟା ୧୫୬୮୫ ତା ୬/୧୦/୨୦୨୩ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ସୂଚନାମତେ, କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୨୯/୮/୨୦୨୩ରେ ଭିମ୍‌ସାର୍‌ ହସ୍ପିଟାଲର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଯାଞ୍ଚ କରି ଚାରୋଟି ନିୟମର ଅନୁପାଳନ ହୋଇ ନଥିବାର ଜାଣିବାକୁ ପାଇଥିଲେ । ଏଥିମଧ୍ୟରେ ଭିମ୍‌ସାର୍‌ କର୍ତ୍ତୃପକ୍ଷ ହସ୍ପିଟାଲର ପ୍ରଦୂଷଣ ସମ୍ପର୍କିତ ନବୀକରଣ ପାଇଁ ଦରଖାସ୍ତ ଦେଇ ନଥିଲେ । ତାଛଡ଼ା ହସ୍ପିଟାଲ କର୍ତ୍ତୃପକ୍ଷ କ୍ଷମତାଠାରୁ ଅଧିକ ଯନ୍ତ୍ରପାତି ବ୍ୟବହାର କରିଥିବା ବିଷୟରେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଇ ନଥିଲେ । ବର୍ଜ୍ୟବସ୍ତୁ ଜାଳିବା ପାଇଁ ବ୍ୟବହୃତ ଯନ୍ତ୍ର ପାଇଁ ନିର୍ମାଣାଧୀନ ପାହାଚ ବିଷୟରେ ମଧ୍ୟ ପ୍ରଦୂଷଣ ବୋର୍ଡକୁ କୌଣସି ସୂଚନା ଦେଇ ନଥିଲେ । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଫାଇନ୍‌ କରିଥିବା ୧୧ଲକ୍ଷ ୨୨ହଜାର ଟଙ୍କା ବର୍ତ୍ତମାନ ସୁଦ୍ଧା ପଇଠ କରାଯାଇଛି କି ନାହିଁ ସେ ବିଷୟରେ କୌଣସି ସୂଚନା ଦେଇ ନଥିଲେ । ଏଥିରୁ ଜଣାପଡୁଛି ଯେ ଭିମ୍‌ସାର୍‌ କର୍ତ୍ତୃପକ୍ଷଙ୍କ ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶକୁ ତିଳେମାତ୍ର ଖାତିର ନାହିଁ । ଏସବୁ ଅବ୍ୟବସ୍ଥା ଦେଖି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହା ଭିମ୍‌ସାର୍‌ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ବୋଲି ଦର୍ଶାଇଛନ୍ତି । ତେବେ ଭିମ୍‌ସାର୍‌ କର୍ତ୍ତୃପକ୍ଷ ସମସ୍ତ ଅବ୍ୟବସ୍ଥାକୁ ସାତ ଦିନ ମଧ୍ୟରେ ସୁଧାରିବାକୁ ଚରମ ବାଣି ଶୁଣାଇଛନ୍ତି ।

ଭିମ୍‌ସାର୍‌ କର୍ତ୍ତୃପକ୍ଷ ବିନା ଟେଣ୍ଡରେ ଗୋଟିଏ ଠିକା ସଂସ୍ଥାକୁ ବର୍ଷ ବର୍ଷ ଧରି ଟେଣ୍ଡର ନକରି କେବଳ ନବୀକରଣ କରିଦେଇ ସରକାରୀ ଅର୍ଥ ହରିଲୁଟ୍‌ କରୁଥିବା ଅଭିଯୋଗ ହୋଇ ଆସୁଛି । ଏସବୁ ମଧ୍ୟରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସତ୍ତେ୍ୱ କିଛି ଅସାଧୁ କର୍ମଚାରୀଙ୍କୁ ଧରି ଅନୈତିକ ଭାବରେ ବର୍ଜ୍ୟବସ୍ତୁ ପରିଚାଳନାକୁ ଆଦୌ ଗୁରୁତ୍ତ୍ୱ ଦେଉନାହାନ୍ତି । ଏଭଳି ବେପରୁଆ ମନୋଭାବ ବଢ଼ିଚାଲିଲେ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନ ରେଖା ଭିମ୍‌ସାର୍‌ରେ କେତେବେଳେ ଯେ ତାଲା ପଡ଼ିବ ତାହା କହିହେବ ନାହିଁ ।
ସୌଜନ୍ୟ-ପ୍ରମେୟ

Comments are closed.