ବାଣିଜ୍ୟ

ଦେଶରେ ସପିଙ୍ଗ ମଲରୁ ମୁହଁ ଫେରାଉଛନ୍ତି ଲୋକେ, ପ୍ରତି ୫ରେ ଗୋଟିଏ ଏବେ ବନ୍ଦ

ନୂଆଦିଲ୍ଲୀ ୧୫।୧୨: ଏକ ସମୟ ଥିଲା ଯେତେବେଳେ ଲୋକେ ଶନିବାର ରବିବାର ମଲରେ ସପିଂ ଓ ଡିନର ପ୍ଲାନ କରୁଥିଲେ। ହେଲେ ଏବେ ଦେଶର ରିଟେଲ ସେକ୍ଟରର ପରିଦୃଶ୍ୟ ବଦଳିବାରେ ଲାଗିଛି। ଯେଉଁ ମଲ କଲ୍ଚର କେବେ ଭାରତୀୟ ବଜାରର ଚମକ୍ ବଢାଇ ଦେଇଥିଲା ଆଜି ଏହି ସବୁ ମଲ ନିଜ ଅସ୍ତିତ୍ୱର ଲଢେଇ ଲଢୁଛନ୍ତି। ଏଥିରେ ‘ନାଇଟ୍ ଫ୍ରାଙ୍କ’ର ଏକ ରିପୋର୍ଟ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ରିପୋର୍ଟରେ ଦେଶର ପ୍ରତ୍ୟେକ ପଞ୍ଚମ ମଲ ଟି ହୁଏତ ବନ୍ଦ ହୋଇଯାଇଛି ନଚେତ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି। ଜନଶୂନ୍ୟ କରିଡୋର ଓ ଖାଲି ଦୋକାନ ଘର ଏବେ ଏହି ସବୁ ସପିଂ କମ୍ପ୍ଲେକ୍ସର ନୂଆ ପରିଚୟ ପାଲଟିଛି।

ଏହି ପରିବର୍ତ୍ତି ପରିଦୃଶ୍ୟକୁ ବୁଝିବା ପାଇଁ ଦିଲ୍ଲୀର ‘ଅଂସଲ ପ୍ଲାଜା’ ସବୁଠୁ ବଡ଼ ଉଦାହରଣ ହୋଇପାରେ। ଏକ ସମୟ ଥିଲା ଯେତେବେଳେ ଏହାକୁ ଦିଲ୍ଲୀ-ଏନସିଆରର ପ୍ରଥମ ଓ ସବୁଠୁ ଭବ୍ୟ ସପିଂ କମ୍ପ୍ଲେକ୍ସ ମନେ କରାଯାଉଥିଲା। ଏଠାରେ ପାଦ ପକାଇବାକୁ ଜାଗା ମିଳୁନଥିଲା। ଅଗଣିତ ଲୋକଙ୍କ ସ୍ମୃତି ଏହି ସ୍ଥାନ ସହ ଜଡିତ। ହେଲେ ଆଜିର ଦୃଶ୍ୟ ଦେଖିଲେ ମନ ଉଦାସ ହୋଇଯାଏ। ହାତଗଣତି ଖାଦ୍ୟ, ପାନୀୟ ଆଉଟଲେଟକୁ ଛାଡିଦେଲେ ଏହା ଶୁନଶାନ ହୋଇଯାଇଛି। ଏଠାରେ କୌଣସି ବିଜନେସ୍ ଆକ୍ଟିଭିଟି ଥିବା ଭଳି ଲାଗୁ ନାହିଁ । ତେବେ ଏହି ପରିସ୍ଥିତି କେବଳ ଗୋଟିଏ ମଲ ର ନୁହେଁ ବରଂ ଦେଶର ସବୁ ବଡ଼ ସହରରେ ଏପରି ଅନେକ ମଲ ଏବେ ବନ୍ଦ ହୋଇ ସାରିଲେଣି ନଚେତ ବନ୍ଦ ହେବା ଅବସ୍ଥାକୁ ପହଞ୍ଚି ସାରିଲେଣି।

ପ୍ରପର୍ଟି କନସଲ୍ଟାନ୍ସୀ ଫାର୍ମ ‘ନାଇଟ୍ ଫ୍ରାଙ୍କ’ ଦେଶର ୩୨ଟି ବଡ଼ ସହରାଞ୍ଚଳରେ ଥିବା ୩୬୫ଟି ମଲର ଗହନ ସର୍ଭେକ୍ଷଣ କରିଥିଲା। ରିପୋର୍ଟରୁ ଜଣା ପଡିଛି ଯେ ୭୫ ମଲ ଅର୍ଥାତ ୨୦% ଏବେ ଘୋଷ୍ଟ ମଲରେ ପରିଣତ ହୋଇଛି। ଘୋଷ୍ଟ ମଲ ରିୟଲ ଇଷ୍ଟେଟର ସେହି ଶ୍ରେଣୀ ଯେଉଁଠି ୪୦%ରୁ ଅଧିକ ଜାଗା ଖାଲିପଡିଛି। ତେବେ ରିପୋର୍ଟରେ ଏହି ୭୫ ମଲରେ ୮୦% ଦୋକାନ ଏବେ ଖାଲିପଡିଛି। ଏହାର ସବୁଠୁ ବଡ଼ କାରଣ ଖରାପ ପ୍ଲାନିଂ ଓ ଡିଜାଇନିଂ ବୋଲି କୁହାଯାଉଛି। ସମୟ ସହିତ ଲୋକଙ୍କ ସପିଂ ଅନୁଭବ ଓ ପସନ୍ଦ ବଦଳିଛି। ହେଲେ ଏହି ପୁରୁଣା ମଲ ମାନେ ନିଜକୁ ସେହି ଅନୁସାରେ ଅପଡେଟ୍ କରିପାରିଲେନି। ରକ୍ଷଣାବେକ୍ଷଣ ଅଭାବ ଓ ଭିତ୍ତିଭୂମି ଦୁର୍ବଳ ହେବା ଯୋଗୁ ଲୋକେ ଆସିବା ବନ୍ଦ କରିଦେଲେ।

ନାଇଟ୍ ଫ୍ରାଙ୍କ ରିପୋର୍ଟ ‘ଥିଙ୍କ ଇଣ୍ଡିଆ ଥିଙ୍କ ରିଟେଲ-୨୦୨୫’ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆଣିଛି। ସବୁଠୁ ଶୁନଶାନ ମଲ ଟିୟର-୨ ସହର ନୁହେଁ ବରଂ ବଡ଼ ମେଟ୍ରୋ ସହରାଞ୍ଚଳରେ ରହିଛି। ବଡ଼ ସହରମାନଙ୍କରେ ବଢୁଥିବା ପ୍ରତିଯୋଗୀତା ଓ ପରିବର୍ତ୍ତିତ ଜୀବନ ଶୈଳୀ ଏହି ପୁରୁଣା ମଲ ମାନଙ୍କର ଅଣ୍ଟା ଭାଙ୍ଗି ଦେଇଛି। ଅନ୍ୟପଟେ ଟିୟର-୨ ସହରମାନଙ୍କରେ ମଲରେ ଅକ୍ୟୁପାନ୍ସି ଲେବୁଲ ଅର୍ଥାତ ଦୋକାନ ଘର ବ୍ୟବସାୟରେ ଲାଗିବା ଭଲସ୍ଥିତିରେ ଅଛି। ଅର୍ଥାତ ମଲକଲଚର ଏଠାରେ ଏବେବି ଲୋକଙ୍କ ଆକରର୍ଶଣର କେନ୍ଦ୍ର ରହିଛି।

ତେବେ ବନ୍ଦ ଓ ଶୁନଶାନ ହୋଇଯାଇଥିବା ମଲ ମାନଙ୍କରେ ପାଖାପାଖି ୧.୫୫ କୋଟି ସ୍କୋୟାରଫୁଟର ବିଶାଳ ଅଞ୍ଚଳ ଫାଙ୍କା ପଡିଛି। ଏହା ନା କେବଳ ରିୟଲ ଇଷ୍ଟେଟର କ୍ଷତି ବରଂ ଆର୍ଥିକ କ୍ଷତି ମଧ୍ୟ। ତେବେ ବଜାର ବିଶେଷଜ୍ଞଙ୍କ ଅନୁସାରେ ଏବେବି ସବୁକିଛି ସମାପ୍ତ ହୋଇନି। ଯଦି ଏହି ସମ୍ପତ୍ତିଗୁଡିକର ପୁଣି ପ୍ଲାନିଂ କରାଯାଏ, ରିନୋଭେଟ କରାଯାଏ ତେବେ ଏଠାରେ ପୁଣି ପୁରୁଣା ଚମକ୍ ଫେରି ଆସିବ। ରିପୋର୍ଟ ଅନୁସାରେ ଯଦି ଏହି ଜାଗା ଗୁଡିକର ଉପଯୁକ୍ତ ଉପଯୋଗ ହୁଏ ତେବେ ବାର୍ଷିକ ୩୫୦ କୋଟି ଟଙ୍କାର ଅତିରିକ୍ତ ଆୟ ହୋଇ ପାରିବ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button