ଦେଶ ବିଦେଶ

Uttar Pradesh: ୨୦୨୭ ଉତ୍ତରପ୍ରଦେଶ ନିର୍ବାଚନ: ଆଜି ନିର୍ବାଚନୀ ଇସ୍ତହାର ଆଣିବ ସମାଜବାଦୀ ପାର୍ଟି, ମଜଭୁତ ମେଣ୍ଟ ହେବ ବୋଲି କଂଗ୍ରେସ ଆଶାୟୀ

ଆସନ୍ତା ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ମେଣ୍ଟ ଗଠନ ଓ ଆସନ ଭାଗବଣ୍ଟାକୁ ନେଇ ସମାଜବାଦୀ ପାର୍ଟି (ଏସ୍‌ପି) ଓ କଂଗ୍ରେସ ମଧ୍ୟରେ ମତଭେଦ ଦେଖାଦେଇଛି।

ଲକ୍ଷ୍ନୌ: ଆସନ୍ତା ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ମେଣ୍ଟ ଗଠନ ଓ ଆସନ ଭାଗବଣ୍ଟାକୁ ନେଇ ସମାଜବାଦୀ ପାର୍ଟି (ଏସ୍‌ପି) ଓ କଂଗ୍ରେସ ମଧ୍ୟରେ ମତଭେଦ ଦେଖାଦେଇଛି। ବିବାଦର ସମାଧାନ ପାଇଁ ଦୁଇ ଦଳ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଗୁରୁବାର ସମ୍ବିଧାନ ଦିବସ ଅବସରରେ ସମାଜବାଦୀ ପାର୍ଟି ଏହାର ନିର୍ବାଚନୀ ଇସ୍ତହାର ଘୋଷଣା କରିବାକୁ ଯାଉଛି। ଏସ୍‌ପି ତିନିଟି ପର୍ଯ୍ୟାୟରେ ଇସ୍ତହାର ଆଣିବାକୁ ଯାଉଛି। ମୁଖ୍ୟ ଇସ୍ତହାର ଆଜି ଆସିବ।

ସାମୂହିକ କାର୍ଯ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ: ଖଡ଼ଗେ
ସମାଜବାଦୀ ପାର୍ଟି ସହିତ ଆସନ ବଣ୍ଟନକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ଦଳୀୟ ସାଂସଦ ଇମ୍ରାନ ମାସୁଦଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି ଯେ, କଥା ଅପେକ୍ଷା କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବା ଉଚିତ। ଏକ ଗଣମାଧ୍ୟମ ଚାନେଲକୁ ମସୁଦଙ୍କ ସାକ୍ଷାତକାର ପରେ ଖଡ଼ଗେ କହିଛନ୍ତି, କଂଗ୍ରେସ ନେତା ଅନେକ ସମୟରେ ଅତି ଉତ୍ସାହରେ ଅଧିକ କଥା କୁହନ୍ତି। ଖଡ଼ଗେ କାମ ଉପରେ ଧ୍ୟାନ ଦେବାକୁ ମସୁଦଙ୍କୁ ପରାମର୍ଶ ଦେଇ କହିଛନ୍ତି, ସାମୂହିକ କାର୍ଯ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ। ଆମେ ମିଳିତ ଭାବେ କାର୍ଯ୍ୟ କଲେ ଆଗକୁ ବଢ଼ିବା ବୋଲି ସେ କହିଛନ୍ତି। ଖଡ଼ଗେ ଗୁରୁବାର ଲକ୍ଷ୍ନୌରେ ‘ସମ୍ବିଧାନ ରକ୍ଷା ମାର୍ଚ୍ଚ’କୁ ସମ୍ବୋଧିତ କରିଥିଲେ। ଖଡ଼ଗେ କହିଛନ୍ତି, ବିଜେପି ଏବେ ଆମ ଛାଇକୁ ମଧ୍ୟ ଭୟ କରିବା ଆରମ୍ଭ କରିଦେଇଛି। ଯେଉଁମାନେ ସମ୍ବିଧାନ ବିରୋଧୀ ସେମାନଙ୍କୁ ଏପରି ପରାଜିତ କର, ଯେପରିକି ସେମାନେ ପୁଣି ଥରେ ମୁଣ୍ଡ ଟେକି ପାରିବେ ନାହିଁ ବୋଲି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ସମାଜବାଦୀ ପାର୍ଟି ନିଜର ସହଯୋଗୀ କଂଗ୍ରେସକୁ ପ୍ରଥମ ପର୍ଯ୍ୟାୟରେ ୨୬ଟି ଆସନ ଦେବାକୁ ପ୍ରସ୍ତାବ ଦେଇଛି। ଅନ୍ୟପକ୍ଷରେ କଂଗ୍ରେସ ୧୨୦ଟି ଆସନ ଦାବି କରିଛି। ଏଥିରେ ଅତିକମ୍‌ରେ ୫୦ଟି ଜିତିବାର ସମ୍ଭାବନା ଥିବା ଆସନ ଦେବାକୁ ଦଳ ଚାହୁଁଛି। ତେଣୁ ଉଭୟ ଦଳ ମଧ୍ୟରେ ଏହି ଦାବିକୁ ନେଇ ଅସନ୍ତୋଷ ବଢ଼ିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଜିତିବାର ସମ୍ଭାବନା ଥିବା ଆସନକୁ ଗୁରୁତ୍ୱ ଦିଆଯିବ। ଆଲୋଚନା ଓ ସହଯୋଗ ମାଧ୍ୟମରେ ଆଗକୁ ବାଟ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏହି ପ୍ରସ୍ତାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଲୋଚନା ଚାଲିଥିବା ସମୟରେ ଏକପାଖିଆ ଭାବେ ପ୍ରାର୍ଥୀ ଘୋଷଣା କରିବା ମେଣ୍ଟର ଉଦ୍ଦେଶ୍ୟ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ଶୁକ୍ରବାର ଆଲୋଚନାର ଫଳାଫଳ ଉଭୟ ଦଳର ମେଣ୍ଟର ଭବିଷ୍ୟତ ନିର୍ଣ୍ଣୟ କରିବାରେ ଗୁରୁତ୍ୱ ବହନ କରିବ। ଅନ୍ୟ ପକ୍ଷରେ ଦୁଇ ଦଳ ମଧ୍ୟରେ ମଜଭୁତ ମେଣ୍ଟ ହେବ ବୋଲି କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ୍‌ କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button