China’s opposition to India: ଭାରତକୁ ଚୀନର ବିରୋଧ: ଡବ୍ଲ୍ୟୁଟିଓରେ ଅଭିଯୋଗ କଲା

ନୂଆଦିଲ୍ଲୀ:ଚୀନ ପୁଣି ଥରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଭାରତ ବିରୋଧରେ ଅଭିଯୋଗ କରିଛି। ଟେଲିକମ୍ ଉପକରଣ ଭଳି ଉତ୍ପାଦ ଉପରେ ଭାରତ ଯେଉଁ ଶୁଳ୍କ ଲଗାଇଛି ଓ ସୌର ଶକ୍ତି ଶିଳ୍ପକୁ ଯେଉଁ ସବ୍‌ସିଡି ଦିଆଯାଉଛି ତାହାକୁ ଚୀନ ବିରୋଧ କରିଛି। ଭାରତର ସେହି ଦୁଇ ପଦକ୍ଷେପ ଦ୍ବାରା ଚୀନ କମ୍ପାନିଗୁଡ଼ିକ କ୍ଷତି ସହୁଥିବା ଚୀନ ଅଭିଯୋଗ କରିଛି। ଡବ୍ଲ୍ୟୁଟିଓକୁ ଚୀନ ଜଣାଇଛି ଯେ ଭାରତର ନୀତି ଦ୍ବାରା କେବଳ ଭାରତୀୟ କମ୍ପାନି ଉପକୃତ ହେଉଛନ୍ତି। ସେଭଳି ନୀତି ଅନୁଚିତ ଓ ଡବ୍ଲ୍ୟୁଟିଓ ନିୟମର ଉଲ୍ଲଂଘନ କରୁଛି।

ଏହି ତ୍ରୁଟିକୁ ତୁରନ୍ତ ସୁଧାରିବା ସହ ଡବ୍ଲ୍ୟୁଟିଓ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଭାରତକୁ କହିବା ପାଇଁ ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଡବ୍ଲ୍ୟୁଟିଓକୁ ଜଣାଇଛି। ୨୦୨୫ରେ ଏହା ହେଉଛି ଭାରତ ବିରୋଧରେ ଚୀନର ଦ୍ବିତୀୟ ଅଭିଯୋଗ। ପୂର୍ବରୁ ଗତ ଅକ୍ଟୋବରରେ ଏହା ଇଲେକ୍ଟ୍ରିକ ଯାନ (ଇଭି) ଓ ବ୍ୟାଟେରି ସବ୍‌ସିଡିକୁ ପ୍ରସଙ୍ଗ କରି ଭାରତ ବିରୋଧରେ ଡବ୍ଲ୍ୟୁଟିଓ ଯାଇଥିଲା।

ଚୀନ ଅଭିଯୋଗ କରିଛି ଯେ ଭାରତର ଶୁଳ୍କ ଓ ସବ୍‌ସିଡି ଡବ୍ଲ୍ୟୁଟିଓର ନ୍ୟାସନାଲ ଟ୍ରିଟ୍‌ମେଣ୍ଟ ପ୍ରିନ୍‌ସିପାଲ ଓ ଆମଦାନୀ ବିକଳ୍ପ ସବ୍‌ସିଡି ନିୟମର ଉଲ୍ଲଂଘନ କରୁଛି। ଡବ୍ଲୁଟିଓ ନୀତିକୁ ପାଳନ କରି ତୁରନ୍ତ ବେଆଇନ ଅଭ୍ୟାସ ବନ୍ଦ କରିବାକୁ ଚୀନ ଭାରତକୁ କହିଛି। ଇଲେକ୍ଟ୍ରିକ ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଭାରତ ଦେଉଥିବା ସବ୍‌ସିଡି ଉପରେ ମଧ୍ୟ ଚୀନ୍ ଆପତ୍ତି ଉଠାଇଛି। ଭାରତ ଦେଉଥିବା ସବ୍‌ସିଡି ଭାରତୀୟ କମ୍ପାନିକୁ ବଜାରରେ ବିଶେଷ ସହାୟକ ହେଉଛି।

ସେମାନେ ପ୍ରତିଯୋଗିତାରେ ଆଗରେ ରହୁଛନ୍ତି। ଏହାର ସିଧାସଳଖ ପ୍ରଭାବ ଭାରତରେ ବିକ୍ରି ହେଉଥିବା ଚୀନର ଇଭି ଓ ବ୍ୟାଟେରି ଉପରେ ପଡ଼ୁଛି। ତାହା ଚୀନ୍‌ର ସ୍ବାର୍ଥ ଉଲ୍ଲଂଘନ କରୁଛି। ନିଜ ଦେଶର ଉଦ୍ୟୋଗଗୁଡ଼ିକର ସ୍ବାର୍ଥକୁ ଜଗିବା ଲାଗି ଦରକାର ପଡ଼ୁଥିବା କଠୋର ପଦକ୍ଷେପ ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରିବୁ ନାହିଁ ବୋଲି ଚୀନ୍ କହିଛି।

ସୌଜନ୍ୟ ସମ୍ବାଦ