India’s AI Kid: ପୁଟିନ୍ଙ୍କ ସହ ଭାରତର ‘ଏଆଇ କିଡ୍’ଙ୍କ ସେଲ୍ଫି, ଫଟୋ ଭାଇରାଲ୍

ନୂଆଦିଲ୍ଲୀ, ୨୮/୧୧ : ରାଉଲ ଜନ୍ ଅଜୁ, ଭାରତର ‘ଏଆଇ କିଡ୍’ ଭାବେ ବେଶ ଲୋକପ୍ରିୟ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଇନ୍ଷ୍ଟାଗ୍ରାମରେ ତାଙ୍କର ସେଲ୍ଫି ଖୁବ୍ ଭାଇରାଲ ହେଉଛି । ରୁଷ୍ର ମସ୍କୋରେ ଆୟୋଜିତ ଏଆଇ ଜର୍ନି-୨୦୨୬ରେ ଅଜୁ ପୁଟିନଙ୍କୁ ଭେଟିଥିଲେ । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୮ (ଶନିବାର) ଯାଏ ଚାଲିବ । ଇନ୍ଷ୍ଟାରେ ପୁଟିନଙ୍କ ସହ ସେଲ୍ଫି ପୋଷ୍ଟ କରି ଅଜୁ ଲେଖିଛନ୍ତି ‘ଏହା ବାସ୍ତବରେ ରୂପାନ୍ତରିତ ହେଲା କିପରି? ଏହା ଏଆଇ ନୁହେଁ । ଆପଣମାନଙ୍କୁ (ୟୁଜର୍) ଧନ୍ୟବାଦ । ଆପଣଙ୍କ ବିନା ମୁଁ ଏଠାରେ ନ ଥାନ୍ତି ।’ ସେ ଆହୁରି ଲେଖିଛନ୍ତି ‘୯ ବର୍ଷ ବୟସରେ ସ୍ନାନାଗାରରେ ପ୍ରଥମ ଭିଡିଓ ପ୍ରସ୍ତୁତିଠୁ ରାଷ୍ଟ୍ରପତି ପୁଟିନଙ୍କ ସହ ସେଲ୍ଫି, କେବେ ବି କଳ୍ପନା କରିନଥିଲି ଯେ ଜୀବନ ମୋତେ ଏଠାକୁ ଆଣିବ ।’
କେରଳ, କୋଚୀର ୧୬ ବର୍ଷୀୟ ଭାରତୀୟ ଟେକ୍ ଉଦ୍ୟମୀ, ବକ୍ତା ଓ ଏଆଇ ଡେଭ୍ଲପର ଦ୍ୱାଦଶ ଶ୍ରେଣୀ ଛାତ୍ର ଅଜୁ ଅଗଷ୍ଟ ୨୦୨୪ରେ ଏଆଇ ରିଆଲ୍ମ ଟେକ୍ନୋଲୋଜିସ୍ ପ୍ରତିଷ୍ଠା କରିଥିଲେ । ସେ ଜଣେ ୮ଏକ୍ସ ଟିଇଡି ବକ୍ତା । ଆଇଆଇଟି ସମେତ ଭାରତର କିଛି ଅଗ୍ରଣି ବିଶ୍ୱବିଦ୍ୟାଳୟ, ସ୍କୁଲ ଓ ଅନ୍ତର୍ଜାତୀୟ ପ୍ରତିଷ୍ଠାନରେ ସେ ଏଆଇ ଅଧିବେଶନ ଓ କର୍ମଶାଳାର ନେତୃତ୍ୱ ନେଇଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ପି ଓ ଅନ୍ୟ ସଂସ୍ଥାରେ ଛାତ୍ର, ଶିକ୍ଷକ, ସରକାରୀ ଅଧିକାରୀ ଓ ପେସାଦାରଙ୍କୁ ଏଆଇର ପ୍ରସ୍ତୁତି, ପ୍ରୟୋଗ ସହିତ ଏହାକୁ ବୁଝିବାରେ ସାହାଯ୍ୟ କରୁଛନ୍ତି । ଏଆଇକୁ କମ୍ ବିପଦପୂର୍ଣ୍ଣ କରିବା ଏବଂ ଏହା ସହିତ କାମକୁ ସହଜ ଓ ମଜାଦାର କରିବା ଅଜୁଙ୍କ ଲକ୍ଷ୍ୟ ।
ସୌଜନ୍ୟ ପ୍ରମେୟ




