The Path of Shri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ବନଗମନ ପଥ
ଧମତରୀ- ଛତିଶଗଡ଼ ଅନ୍ତର୍ଗତ ଧମତରୀ ଜିଲାର ସିହବା ପର୍ବତ ଉପରେ ଯେଉଁ ସପ୍ତଋଷି ଆଶ୍ରମ ରହିଛି, ସେଥିମଧ୍ୟରୁ ଏକ ଆଶ୍ରମକୁ କୁମ୍ଭଜ ମୁନି ଆଶ୍ରମ କୁହାଯାଏ। ଏଠାରେ ମହର୍ଷି ଅଗସ୍ତ୍ୟ (କୁମ୍ଭଜ) କଠୋର ତପସ୍ୟା କରି ଦିବ୍ୟଜ୍ଞାନ ଲାଭ କରିଥିଲେ।

ଧମତରୀ- ଛତିଶଗଡ଼ ଅନ୍ତର୍ଗତ ଧମତରୀ ଜିଲାର ସିହବା ପର୍ବତ ଉପରେ ଯେଉଁ ସପ୍ତଋଷି ଆଶ୍ରମ ରହିଛି, ସେଥିମଧ୍ୟରୁ ଏକ ଆଶ୍ରମକୁ କୁମ୍ଭଜ ମୁନି ଆଶ୍ରମ କୁହାଯାଏ। ଏଠାରେ ମହର୍ଷି ଅଗସ୍ତ୍ୟ (କୁମ୍ଭଜ) କଠୋର ତପସ୍ୟା କରି ଦିବ୍ୟଜ୍ଞାନ ଲାଭ କରିଥିଲେ। ପୁରାଣର ବର୍ଣ୍ଣନା ଅନୁସାରେ, ସଶରୀର ଏଠାରେ ଉପସ୍ଥିତ ରହି ଋଷିମାନେ ଅଗସ୍ତ୍ୟଙ୍କର ଜ୍ଞାନଚର୍ଚ୍ଚାରେ ଭାଗ ନେଉଥିଲେ। ଏହାର ଘଞ୍ଚ ଅରଣ୍ୟ ଓ ଶାନ୍ତ ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ବନବାସ କାଳରେ ରାମଚନ୍ଦ୍ର ଏଠାକୁ ଆସି ଅଗସ୍ତ୍ୟଙ୍କଠାରୁ ଦିବ୍ୟ ଧନୁ ଓ ଅକ୍ଷୟତୂଣୀର ଲାଭ କରିଥିଲେ। ଅଗସ୍ତ୍ୟଙ୍କ ଆଶ୍ରମ ମଧ୍ୟରେ ରାମ, ସୀତା ଓ ଲକ୍ଷ୍ମଣଙ୍କର ମୂର୍ତ୍ତି ରହିଛି। ଏଠାରେ ଅଗସ୍ତ୍ୟ ଜଳେଶ୍ବର ଶିବଙ୍କୁ ସ୍ଥାପନ କରିଥିଲେ। ରାମ ତାଙ୍କ ବନବାସ କାଳରେ ଦକ୍ଷିଣକୋଶଳ (ସଂପ୍ରତି ଛତିଶଗଡ଼)ର ବହୁ ଅଞ୍ଚଳ ଭ୍ରମଣ କରିଥିଲେ। ସେ ସବୁର ସ୍ମୃତିକୁ ନେଇ ଅନେକ ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ବହୁ ସ୍ମାରକୀ ଦେଖାଯାଏ। ଛତିଶଗଡ଼ର ରାଜିମକୁ ଯେପରି ଦକ୍ଷିଣର ପ୍ରୟାଗ କହନ୍ତି, ସେହିପରି ୧୯୯୮ରେ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିବା ଧମତରୀକୁ ପବିତ୍ର ଧମତରୀ ଭୂମି ବୋଲି କୁହାଯାଏ। ସପ୍ତଋଷିମାନଙ୍କ ଆଶ୍ରମ ବ୍ୟତୀତ ଆହୁରି ଅନେକ ସ୍ଥାନ ଧମତରୀରେ ରହିଛି, ଯାହା ରାମଙ୍କ ପବିତ୍ର ସ୍ମୃତିରେ ପୂର୍ଣ୍ଣଗର୍ଭା। ତାହାର ଅନୁକ୍ରମଣିକା ବେଶ୍ ଦୀର୍ଘ। ସେଥି ମଧ୍ୟରୁ କେତେକର ଉଲ୍ଲେଖ ଏଠାରେ କରାଯାଉଛି।
୧. ରାମ ଜାନକୀ ମନ୍ଦିର
ଏହା ଧମତରୀର ଏକ ବିଶେଷ ପର୍ଯ୍ୟଟନ ସ୍ଥଳ। ମନ୍ଦିରଟି ପ୍ରାୟ ଚାରିଶହ ବର୍ଷର ପୁରୁଣା ବୋଲି ଜଣାଯାଏ। ଏହି ମନ୍ଦିରର ବିଶେଷତ୍ବ ହେଉଛି, ଏହାର ସମ୍ମୁଖରେ ଏକ ହନୁମାନ ମୂର୍ତ୍ତି ରହିଛି। ଏହି ମୂର୍ତ୍ତି ସ୍ଥାପିତ ହେଲାବେଳେ ଏହାର ଆକାର ଅତ୍ୟନ୍ତ ଛୋଟ ଥିଲା। କ୍ରମଶଃ ଏହା ବଢ଼ି ବଢ଼ି ୧୧ଫୁଟ ହେଲାଣି। ମନ୍ଦିରର ପୂଜକଙ୍କ କହିବା ଅନୁସାରେ, ଏହି ମୂର୍ତ୍ତି ଆଉ ନ ବଢ଼ିବାପାଇଁ ଏଠାରେ ପ୍ରାର୍ଥନା କରାଯାଏ।
୨. ଅଙ୍ଗାରମୋତି ମନ୍ଦିର
ଧମତରୀ ଜିଲାର ସିହବା ପର୍ବତ ପାଦଦେଶର ଘଟୁଲାଠାରେ ସୁଖାନଦୀ ତୀରରେ ରହିଛି ଅଙ୍ଗାରମୋତି ମନ୍ଦିର। ମାନ୍ୟତା ଅନୁସାରେ ମା ଅଙ୍ଗାରମୋତି (ବନଦୁର୍ଗା) ପରମ ତେଜସ୍ବୀ ଋଷି ଅଙ୍ଗିରାଙ୍କର ପୁତ୍ରୀ ଅଟନ୍ତି। ଖୋଲା ଆକାଶ ତଳେ ମାତା ବିରାଜମାନ। ଏଠାରେ ଦୀପାବଳି ଓ ଚୈତ୍ର ନବରାତ୍ର ସମୟରେ ବିଶାଳ ମେଳା ହୁଏ। କଥିତ ଅଛି, ୧୯୩୭ ମସିହାରେ ଦେବୀଙ୍କର ମୂର୍ତ୍ତିକୁ ଚୋରମାନେ ଚୋରି କରି ନେଇଗଲେ। ମାତ୍ର ଦେବୀଙ୍କର ଚରଣ ଏଠାରେ ପୂଜା ପାଉଛି। ମାତା ପ୍ରାୟ ୫୨ ଖଣ୍ଡ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। କଥିତ ଅଛି, ମାତାଙ୍କର ଦର୍ଶନ ମାତ୍ରକେ ମନୁଷ୍ୟର ସମସ୍ତ କଷ୍ଟ ଲାଘବ ହୁଏ ତଥା ନିଃସନ୍ତାନ ଦମ୍ପତିମାନେ ମାତାଙ୍କ ଆଶୀର୍ବାଦରୁ ସନ୍ତାନ ଲାଭ କରିଥାନ୍ତି।
୩. ରୁଦ୍ରେଶ୍ବର ଶିବ ମନ୍ଦିର
ପୂର୍ବରୁ ଯାହାକୁ ଦକ୍ଷିଣ କୋଶଳ କୁହାଯାଉଥିଲା, ସେହି ଅଞ୍ଚଳରେ ପ୍ରବାହିତ ମହାନଦୀ ତୀରରେ ଏକ ପ୍ରାଚୀନ ଶିବମନ୍ଦିର ରହିଛି, ଯାହାକୁ ଦକ୍ଷିଣ କୋଶଳର ରାଜା ରୁଦ୍ରଦେବ ନିର୍ମାଣ କରିଥିଲେ। କୁହାଯାଏ, ଏହି ସ୍ଥାନ ପ୍ରାଚୀନ କାଳରେ ମୁନିଋଷିମାନଙ୍କର ତପସ୍ୟାର ଭୂମି ଥିଲା। ଶ୍ରାବଣ ମାସରେ ବହୁ ଭକ୍ତ ଏହି ମନ୍ଦିରକୁ ଜଳଲାଗି କରିବାପାଇଁ ଆସିଥାନ୍ତି। ମହାଶିବରାତ୍ରି ଓ ମାଘପୂର୍ଣ୍ଣିମାରେ ଏଠାରେ ବିରାଟ ମେଳା ହୁଏ। କଥିତ ଅଛି, ରୁଦ୍ରେଶ୍ବରଙ୍କର ଏହି ରୁଦ୍ରି ଗ୍ରାମରେ ରାମ, ଲକ୍ଷ୍ମଣ, ସୀତା ବନବାସ କାଳରେ ରୁଦ୍ରେଶ୍ବର ମହାଦେବଙ୍କର ପୂଜା ଅର୍ଚ୍ଚନା କରିଥିଲେ।
ସୌଜନ୍ୟ ସମ୍ବାଦ



