ଖେଳ

Bangar Troll: ‘ହିନ୍ଦୀ’କୁ ରାଷ୍ଟ୍ରଭାଷା କହି ଟ୍ରୋଲ୍ ହେଲେ ବାଙ୍ଗର

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅବସରରେ ‘ହିନ୍ଦୀ’କୁ ରାଷ୍ଟ୍ରଭାଷା କହିବା ଯେ ତାଙ୍କୁ ବିବାଦ ଘେରକୁ ଟାଣିନେବ, କ୍ରିକେଟର୍‌ରୁ ଭାଷ୍ୟକାର ପାଲଟିଥିବା ସଞ୍ଜୟ ବାଙ୍ଗର ସ୍ବପ୍ନରେ ବି ଭାବି ନଥିଲେ।

ଭଦୋଦରା: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅବସରରେ ‘ହିନ୍ଦୀ’କୁ ରାଷ୍ଟ୍ରଭାଷା କହିବା ଯେ ତାଙ୍କୁ ବିବାଦ ଘେରକୁ ଟାଣିନେବ, କ୍ରିକେଟର୍‌ରୁ ଭାଷ୍ୟକାର ପାଲଟିଥିବା ସଞ୍ଜୟ ବାଙ୍ଗର ସ୍ବପ୍ନରେ ବି ଭାବି ନଥିଲେ। ରବିବାର ଏଭଳି ଏକ ଘଟଣା କିନ୍ତୁ ଦିନ ତମାମ ସାମାଜିକ ଗଣମାଧ୍ୟମରେ ଉଷ୍ମତାର ମାହୋଲ ଭରିଥିଲା। ଅଯଥାରେ ବାଙ୍ଗର ବିବାଦ ଘେରରେ ରହିଥିଲେ। ସୂଚନା ଅନୁସାରେ ବାଙ୍ଗର ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା ପାଇଁ ହିନ୍ଦୀ ଭାଷ୍ୟକାର ପ୍ୟାନେଲରେ ସାମିଲ ଅଛନ୍ତି।

ରବିବାରର ପ୍ରଥମ ମୁକାବିଲା ଅବସରରେ ସାଥୀ ଭାଷ୍ୟକାରଙ୍କ ସହ ଆଲୋଚନା କରି ‘ହିନ୍ଦୀ’କୁ ଭାରତର ରାଷ୍ଟ୍ରଭାଷା ଭାବେ ସମ୍ବୋଧନ କରିଥିଲେ ସେ। ଏହାକୁ ନେଇ କିନ୍ତୁ ଅଚାନକ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଥିଲା। ଏଥିଲାଗି କିଛି ଲୋକ ତାଙ୍କୁ ଭୀଷଣ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଥିଲେ। ଘଟଣାଟି ନ୍ୟୁଜିଲାଣ୍ଡ ପାଳିର ତ୍ରୟୋଦଶ ଓଭରରେ ଘଟିଥିଲା। ୱାସିଂଟନ୍‌ ସୁନ୍ଦର ସେହି ଓଭର ବୋଲିଂ କରୁଥିଲେ ଏବଂ ୱିକେଟ୍‌ ରକ୍ଷକ କେଏଲ୍‌ ରାହୁଲ ତାଙ୍କ ବୋଲିଂ ଗତିରେ ଖୁସି ନଥିଲେ। ଏହି ବିଷୟ ରାହୁଲ ଓ ସୁନ୍ଦର ତାମିଲ ଭାଷାରେ ଆଲୋଚନା କରିଥିଲେ।

ଏହି ସମୟରେ ଭାଷ୍ୟକାର ପ୍ୟାନେଲ୍‌ର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍‌ ବରୁଣ ୱାସିଂଟନ୍ କ’ଣ ତାମିଲ ବୁଝି ପାରୁଥିବେ ବୋଲି ପ୍ରଶ୍ନ କରିଥିଲେ। କାରଣ ୱାସିଂଟନଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା ବେଳେ ରାହୁଲ ହେଉଛନ୍ତି କର୍ଣ୍ଣାଟକର। ଉଭୟଙ୍କ ମାତୃଭାଷା ହେଉଛି ଭିନ୍ନ। ବାଙ୍ଗର ତାଙ୍କ ସହ ଯୋଗଦେଇ ୱାସିଂଟନ୍‌ ବରଂ ରାଷ୍ଟ୍ରଭାଷା ହିନ୍ଦୀରେ ଭାବ ଆଦାନ ପ୍ରଦାନ କଲେ

ଭଲ ଭାବେରେ ବୁଝି ପାରିବେ କାରଣ ହିନ୍ଦୀ ଆମ ଜାତୀୟ ଭାଷା ବୋଲି ମତବ୍ୟକ୍ତ କରିଥିଲେ। ସେ ଏଭଳି ମନ୍ତବ୍ୟ ଦେବା ପରେ ପରେ ବହୁ ପ୍ରଶଂସକ ଏଥିନେଇ ଅନଲାଇନ୍‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଭାରତର କୌଣସି ରାଷ୍ଟ୍ରଭାଷା ନାହିଁ ବୋଲି କହି ତାଙ୍କୁ ଅନ୍‌ଲାଇନ୍‌ରେ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ। ହିନ୍ଦୀ ଦେଶର ଅନ୍ୟତମ ସ୍ବୀକୃତିପ୍ରାପ୍ତ ଭାଷା ଏବଂ ବାଙ୍ଗରଙ୍କର ଏହି ବିଷୟରେ ଜ୍ଞାନ ନାହିଁ ବୋଲି କିଛି ମତ ରଖିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ତର୍କ-ବିତର୍କ କିଛି ସମୟ ପାଇଁ ଟ୍ରେଣ୍ଡ୍‌ କରିଥିଲା। ଏଭଳି ବିତର୍କ ଚାଲିଥିଲା ବେଳେ ଖେଳ ସ୍ବାଭାବିକ ଭାବେ ଆଗକୁ ବଢ଼ି ଚାଲିଥିଲା।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button