ଦେଶ ବିଦେଶ

ଇରାନ ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ଆହ୍ବାନ: ସାହାଯ୍ୟ ପହଞ୍ଚିବ ପ୍ରତିଷ୍ଠାନ ଦଖଲ କର

ଇରାନରେ ଶାସନ ପରିବର୍ତ୍ତନ ପାଇଁ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଆଜି ବିସ୍ଫୋରକ ମୋଡ଼ ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଆନ୍ଦୋଳନକାରୀଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ଘୋଷଣା କରିବା ସହ ଖୁବ୍‌ଶୀଘ୍ର ସହାୟତା ପହଞ୍ଚିବ ବୋଲି ଘୋଷଣା....

ୱାସିଂଟନ: ଇରାନରେ ଶାସନ ପରିବର୍ତ୍ତନ ପାଇଁ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଆଜି ବିସ୍ଫୋରକ ମୋଡ଼ ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଆନ୍ଦୋଳନକାରୀଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ଘୋଷଣା କରିବା ସହ ଖୁବ୍‌ଶୀଘ୍ର ସହାୟତା ପହଞ୍ଚିବ ବୋଲି ଘୋଷଣା କରିବା ପରେ ଏହାର ମୁକାବିଲା ପାଇଁ ଇରାନ ପ୍ରସ୍ତୁତ ହେଉଛି। ଆନ୍ଦୋଳନକାରୀ ପଛକୁ ନ ହଟି ସେମାନଙ୍କ ଆନ୍ଦୋଳନ ଜାରି ରଖିବା ସହ ବିଭିନ୍ନ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ଟ୍ରମ୍ପ ସୋସିଆଲ୍‌ ମିଡିଆରେ ଆହ୍ବାନ ଦେଇଥିବାରୁ ଭୀଷଣ ଅନର୍ଥକାରୀ ସ୍ଥିତି ଉପୁଜିଛି। ଶତାଧିକ ସ୍ଥାନରେ ସୁରକ୍ଷାବାହିନୀ ସହ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି।  ଇରାନରେ  ଆମେରିକାର ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ଇଙ୍ଗିତ କରି ଟ୍ରମ୍ପ କହିଛନ୍ତି, ଇରାନ ନାଗରିକ ସେମାନଙ୍କ ଦାବି ହାସଲ ପାଇଁ ଆଗକୁ ମାଡ଼ିଚାଲନ୍ତୁ, ପ୍ରତିଷ୍ଠାନ ସବୁକୁ ଦଖଲ କରନ୍ତୁ। ସେମାନଙ୍କୁ ସାହାଯ୍ୟ କରିବା  ପାଇଁ ସମସ୍ତ  ପ୍ରସ୍ତୁତି କରାଯାଉଛି ଏବଂ ଏହା ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ତେବେ  ଟ୍ରମ୍ପ ଉକ୍ତ ପ୍ରସଙ୍ଗରେ ବିସ୍ତୃତ ସୂଚନା ପ୍ରଦାନ କରିନାହାନ୍ତି।

ଇରାନ-ଆମେରିକା ବୈଠକ ବାତିଲ/ଧ୍ବଂସକାରୀ ପରିଣାମ ହେବ: ରୁଷ୍‌

ଇରାନରେ ସରକାର ବିରୋଧୀ ଆନ୍ଦୋଳନରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଇରାନୀ କର୍ତ୍ତୃପକ୍ଷ ସ୍ବୀକାର କରିବା ପରେ ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ‘ଦେଶପ୍ରେମୀ’ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ସରକାରୀ ପ୍ରତିଷ୍ଠାନ ଦଖଲକୁ ନେବାପାଇଁ କହିଛନ୍ତି। ‘ଟ୍ରୁଥ୍‌ ସୋସିଆଲ୍‌’ ପୋଷ୍ଟ୍‌ରେ  ଟ୍ରମ୍ପ ଏଭଳି ଅହ୍ବାନ ଦେବାପରେ ଇରାନ ହାଇଆଲର୍ଟରେ ରହିଛି।  ଟ୍ରମ୍ପ ମଧ୍ୟ କହିଛନ୍ତି,  ଆନ୍ଦୋଳନକାରୀଙ୍କୁ ହତ୍ୟା ବନ୍ଦ କରୁ ନ ଥିବାରୁ ଇରାନ ଅଧିକାରୀଙ୍କ ସହ ସେ ସମସ୍ତ ବୈଠକ ବାତିଲ କରିଛନ୍ତି।

ଅନ୍ୟପକ୍ଷରେ ରୁଷ୍‌ ଆଜି ଆମେରିକାକୁ ଏନେଇ କଡ଼ା ଚେତାବନୀ ଦେଇଛି।  ରୁଷ୍‌ କହିଛି ଇରାନର ଆଭ୍ୟନ୍ତରୀଣ ରାଜନୀତିରେ ବାହ୍ୟ ହସ୍ତକ୍ଷେପ ଧ୍ବଂସକାରୀ ଏବଂ ଏହାର ପରିଣାମ ଅତି ବିପଜ୍ଜନକ ହେବ।  ରୁଷ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା  କୁହାଯାଇଛି ଯେ ଯେଉଁମାନେ ଇରାନ ବିରୋଧରେ ୨୦୨୫ ଜୁନ୍‌ରେ ହୋଇଥିବା ଆକ୍ରମଣର ପୁନରାବୃତ୍ତି ପାଇଁ ଏକ ‘ବାହ୍ୟ ଅନୁପ୍ରାଣିତ ଅସ୍ଥିରତା’ ବ୍ୟବହାର କରିବା ପାଇଁ ଯୋଜନା କରୁଛନ୍ତି ସେମାନେ ଏହା ଜାଣି ରଖିବା ଉଚିତ ଯେ ଏହାର ପରିଣାମ ଅତି ଭୟଙ୍କର ହେବ। ଇରାନରେ ଆମେରିକାର କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ପୂରା ବିଶ୍ବରେ ଅସ୍ଥିରତା ସୃଷ୍ଟି କରିବ ଏବଂ ଅନର୍ଥକାରୀ ପରିଣାମ ପାଇଁ ଆମେରିକା ଦାୟୀ ରହିବ ବୋଲି ରୁଷ୍‌ ଚେତାଇ ଦେଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button