Hockey: ‘କଳିଙ୍ଗ ଲାନସର୍ସ’ର ରୋମାଞ୍ଚକର ବିଜୟ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ‘ହକି ଇଣ୍ଡିଆ ଲିଗ୍-୨୦୨୬’ ନକ୍‌ଆଉଟ୍‌ ପର୍ଯ୍ୟାୟରେ ରବିବାର ସ୍ଥାନୀୟ ଦଳ କଳିଙ୍ଗ ଲାନସର୍ସ ରୋମାଞ୍ଚକର ବିଜୟ ହାସଲ କରିଛି। ତାମିଲନାଡୁ ଡ୍ରାଗନ୍ସକୁ ସୁଟ୍‌ଆଉଟ୍‌ରେ ୪-୧ (୧-୧) ଗୋଲ୍‌ରେ ପରାସ୍ତ କରିଛି। ଫଳରେ ଏହି ପର୍ଯ୍ୟାୟରେ ଲଗାତାର ଦୁଇଟି ବିଜୟ ହାସଲ କରି କ୍ବାଲିଫାୟର-୧ ଖେଳିବାର ପ୍ରବଳ ଦାବିଦାର ଭାବେ ଉଭା ହୋଇଛି।

ଆଜିର ଏହି ତୀବ୍ର ଉତ୍କଣ୍ଠାଭରା ମୁକାବିଲାର ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ରହିଥିଲେ। ତାମିଲନାଡ଼ୁ ଡ୍ରାଗନ୍ସ ପକ୍ଷରୁ ୧୯ତମ ମିନିଟ୍‌ରେ ବ୍ଲାକ୍ ଗୋଭର୍ସ ମ୍ୟାଚ୍‌ର ପ୍ରଥମ ଗୋଲ୍ ଦେଇ ନିଜ ଦଳକୁ ଆଗୁଆ କରିଥିଲେ। କଳିଙ୍ଗ ଲାନସର୍ସ ୪୪ତମ ମିନିଟ୍‌ରେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ ଦେଇଥିବା ଗୋଲ୍‌ ବଳରେ ସ୍ଥିତି ୧-୧ କରି ନେଇଥିଲା। ଅବଶି‌ଷ୍ଟ ମିନିଟ୍‌ରେ ଉଭୟ ଦଳ ବହୁ ଚେଷ୍ଟା କରିବା ସତ୍ତ୍ବେ ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲେ।

ସୁଟ୍‌ଆଉଟ୍‌ ମାଧ୍ୟମରେ ଫଳାଫଳ ନିର୍ଣ୍ଣୟ

ଫଳରେ ଫଳାଫଳ ନିର୍ଣ୍ଣୟ ସୁଟ୍‌ଆଉଟ୍‌ ମାଧ୍ୟମରେ ହୋଇଥିଲା। ଏଥିରେ କଳିଙ୍ଗ ଲାନସର୍ସ ଚାରିଟି ଗୋଲ୍ ଦେଇଥିଲା ବେଳେ ତାମିଲନାଡ଼ୁ ଡ୍ରାଗନ୍ସ ମାତ୍ର ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ରେ ବରିଷ୍ଠ ଆଇଏଏସ୍‌ ବିଶାଳ ଦେବ, ବରିଷ୍ଠ ଆଇପିଏସ୍‌ ଅମିତାଭ ଠାକୁର, ପଦ୍ମଶ୍ରୀ ଦିଲୀପ ତିର୍କି, ହକି ଇଣ୍ଡିଆ କୋଷାଧ୍ୟକ୍ଷ ଶେଖର ଜେ ମ‌ନୋହରନ, ଶିଳ୍ପପତି ଦୀପ୍ତିରଞ୍ଜନ ପଟ୍ଟନାୟକ, ବେଦାନ୍ତ ଆଲୁମିନିୟମ୍‌ ସିଇଓ ରାଜୀବ କୁମାର ଓ ଅଲିମ୍ପିଆନ୍ କେ. ରବିକୁମାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସୌଜନ୍ୟ ସମ୍ବାଦ