Leave Iran immediately: ତୁରନ୍ତ ଇରାନ ଛାଡ଼ିବାକୁ ନିଜ ନାଗରିକଙ୍କୁ କହିଲା ଆମେରିକା
ଇରାନରେ ଥିବା ଭର୍ଚୁଆଲ୍ ଆମେରିକା ଦୂତାବାସ ଶୁକ୍ରବାର ଏହାର ନାଗରିକମାନଙ୍କୁ ‘ତୁରନ୍ତ ଇରାନ ଛାଡିବାକୁ’ ଚେତାବନୀ ଦେଇଛି। ଆଡଭାଇଜରିରେ କୁହାଯାଇଛି ଯେ, ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ରାସ୍ତା ବନ୍ଦ, ପରିବହନ ବ୍ୟାଘାତ ଓ ଇଣ୍ଟରନେଟ୍ ଅବରୋଧ ଜାରି ରହିଛି।

ୱାସିଂଟନ: ଇରାନରେ ଥିବା ଭର୍ଚୁଆଲ୍ ଆମେରିକା ଦୂତାବାସ ଶୁକ୍ରବାର ଏହାର ନାଗରିକମାନଙ୍କୁ ‘ତୁରନ୍ତ ଇରାନ ଛାଡିବାକୁ’ ଚେତାବନୀ ଦେଇଛି। ଆଡଭାଇଜରିରେ କୁହାଯାଇଛି ଯେ, ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ରାସ୍ତା ବନ୍ଦ, ପରିବହନ ବ୍ୟାଘାତ ଓ ଇଣ୍ଟରନେଟ୍ ଅବରୋଧ ଜାରି ରହିଛି। ଇରାନ ସରକାର ମୋବାଇଲ୍, ଲ୍ୟାଣ୍ଡଲାଇନ୍ ଓ ଜାତୀୟ ଇଣ୍ଟର୍ନେଟ୍ ନେଟ୍ୱାର୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଇରାନକୁ ଓ ଇରାନରୁ ବିମାନ ଉଡ଼ାଣକୁ ସୀମିତ କିମ୍ବା ବାତିଲ କରାଯାଇଛି। ତେଣୁ ନିଜର ସୁରକ୍ଷା ଦୃଷ୍ଟିରୁ ଏହାର ନାଗରିକମାନେ ତୁରନ୍ତ ଦେଶ ଛାଡ଼ିଦେବା ଉଚିତ। ସେମାନେ ଇରାନ ଛାଡି ଆର୍ମେନିଆ କିମ୍ବା ତୁର୍କୀକୁ ସ୍ଥଳ ପଥରେ ଯିବାକୁ ବିଚାର କରିବା ଉଚିତ। ବର୍ତ୍ତମାନ ହିଁ ଇରାନ ଛାଡନ୍ତୁ ବୋଲି ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି।
ଆମେରିକା-ଇରାନର ଦ୍ୱୈତ ନାଗରିକମାନେ ମଧ୍ୟ ଇରାନ ଛାଡିବା ଆବଶ୍ୟକ
ଆଡଭାଇଜରିରେ ଆହୁରି କୁହାଯାଇଛି ଯେ, ଆମେରିକା-ଇରାନର ଦ୍ୱୈତ ନାଗରିକମାନେ ମଧ୍ୟ ଇରାନ ଛାଡିବା ଆବଶ୍ୟକ। ଇରାନ ସରକାର ଦ୍ୱୈତ ନାଗରିକତାକୁ ସ୍ୱୀକୃତି ଦିଅନ୍ତି ନାହିଁ ଏବଂ ଆମେରିକା-ଇରାନର ଦ୍ୱୈତ ନାଗରିକଙ୍କୁ କେବଳ ଇରାନର ନାଗରିକ ଭାବରେ ବ୍ୟବହାର କରିବେ। ଆମେରିକାର ନାଗରିକମାନେ ଇରାନରେ ପଚରାଉଚରା, ଗିରଫଦାରୀ ଓ ଅଟକ ରହିବାର ଯଥେଷ୍ଟ ବିପଦରେ ଅଛନ୍ତି। ଆମେରିକାର ପାସପୋର୍ଟ ଦେଖାଇବା କିମ୍ବା ଆମେରିକା ସହିତ ସମ୍ପର୍କ ପ୍ରଦର୍ଶନ କରିବା ଇରାନ କର୍ତ୍ତୃପକ୍ଷଙ୍କ ପାଇଁ କାହାକୁ ଅଟକ ରଖିବା ପାଇଁ ଯଥେଷ୍ଟ କାରଣ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




