ଓଡିଶାଜିଲ୍ଲା

Temple administration: ଶ୍ରୀମନ୍ଦିର ପ୍ରଶାସନର ପାଞ୍ଜି ସମୀକରଣ ବୈଠକ: ୫ ପାଞ୍ଜିକୁ ମିଳିଲା ଅନୁମୋଦନ, ଗଣେଶ ଚତୁର୍ଥୀ ତିଥି ଦ୍ବନ୍ଦ୍ବ ଦୂର ହେଲା

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୬-୨୭ ପାଞ୍ଜି ସମୀକରଣ ନେଇ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀଗଣେଶ ଚତୁର୍ଥୀକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ସେପ୍ଟେମ୍ବର ୧୪ରେ ଗଣେଶ ଚତୁର୍ଥୀ ସମଗ୍ର ଭାରତ ବର୍ଷ ଭଳି ଶ୍ରୀମନ୍ଦିର ଓ ଓଡ଼ିଶାରେ ମଧ୍ୟ ପାଳିତ ହେବ।

ପୁରୀଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୬-୨୭ ପାଞ୍ଜି ସମୀକରଣ ନେଇ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀଗଣେଶ ଚତୁର୍ଥୀକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ସେପ୍ଟେମ୍ବର ୧୪ରେ ଗଣେଶ ଚତୁର୍ଥୀ ସମଗ୍ର ଭାରତ ବର୍ଷ ଭଳି ଶ୍ରୀମନ୍ଦିର ଓ ଓଡ଼ିଶାରେ ମଧ୍ୟ ପାଳିତ ହେବ। ତେଣୁ ସେହି ତାରିଖକୁ ପାଞ୍ଜିରେ ଅନ୍ତର୍ଭୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିଠୁ ନେଇ ୨୦୨୭ ମସିହା ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀତିକାନ୍ତି ସ୍ବୀକୃତ ପାଞ୍ଜିରେ ନିର୍ଦ୍ଦିଷ୍ଟ ତାରିଖରେ ସ୍ଥାନିତ କରାଯାଇଛି। ସେହିଭଳି ଡିସେମ୍ବର ୮ରେ ଶ୍ରୀମନ୍ଦିରରେ ଦେବ ଦୀପାବଳି, ୯ତାରିଖ ମଧ୍ୟ ଦେବ ଦୀପାବଳି ଓ ସାଗର ବିଜେ ନୀତି, ୧୦ ତାରିଖ ଶେଷ ଦେବ ଦିପାବଳି ନୀତି ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ମୋଟ ୫ଟି ପାଞ୍ଜିକୁ ଅନୁମୋଦନ ମିଳିଛି।

ଶ୍ରୀରାଧାରମଣ ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକା, କୋହିନୁର ପ୍ରେସ ପଞ୍ଜିକା, ଖଡ଼ିରତ୍ନ ପଞ୍ଜିକା, ଜିଏନ୍‌ ତ୍ରିପାଠୀ ଓ ଭାଗ୍ୟଦୀପ ପ୍ରେସ ସ୍ବୀକୃତି ପାଇଛି। ଗତ ମାସ ୨୯ ତାରିଖ ପ୍ରଥମ ପଞ୍ଜିକା ସମୀକରଣ ବୈଠକରେ ୮ଟି ପଞ୍ଜିକା ପ୍ରକାଶନ ସଂସ୍ଥାକୁ ଚିଠି ଦିଆଯାଇଥିଲା। ତେବେ ୫ଟି ପାଣ୍ଡୁଲିପି ଦାଖଲ ହୋଇଥିଲା। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୫ଟି ପାଞ୍ଜିକୁ ସ୍ବୀକୃତି ଦିଆଯାଇଛି। ପାଞ୍ଜି ଓ କ୍ୟାଲେଣ୍ଡର କିଭଳି ନିର୍ଭୁଲ, ସଠିକ ଓ ତ୍ରୁଟିଶୂନ୍ୟ ହେବ ସେନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଚୂଡ଼ାନ୍ତ ବୈଠକ ବସିଥିଲା। ଭକ୍ତମାନେ ଯେପରି ଦ୍ବନ୍ଦ୍ବରେ ନ ରୁହନ୍ତି ସେନେଇ ଗୁରୁତ୍ବ ଦେବାକୁ ଡ. ପାଢ଼ୀ କହିଥିଲେ। ଏଥିସହ ଶ୍ରୀମନ୍ଦିର ନୀତିକାନ୍ତି ସମୂହ ନିର୍ଦ୍ଦିଷ୍ଟ ତିଥି ବ୍ୟତିରେକ ଯେପରି ଦ୍ବନ୍ଦ୍ବ ସୃଷ୍ଟି ନ ରୁହେ ସେନେଇ ବୈଠକରେ ଗୁରୁତ୍ବ ଦିଆଯାଇଛି।

ବୈଠକରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ପଣ୍ଡିତ, ପୂଜାପଣ୍ଡା ନିଯୋଗର ବରିଷ୍ଠ ସଦସ୍ୟ, ତଢ଼ଉ କରଣ, କମାଣ୍ଡର, ଛତିଶାନିଯୋଗ ନାୟକ, ଦେଉଳ ପୁରୋହିତ, ଦଇତାପତି ନିଯୋଗର ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ଜ୍ୟୋତିଷଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି। ଡ. ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପରମ୍ପରା, ଶାସ୍ତ୍ରସମ୍ମତ ଆଧାରରେ ତିଥି ନିର୍ଦ୍ଧାରିତ ହୋଇଛି। ତିଥିରେ କୌଣସି ଅସଙ୍ଗତି କିମ୍ବା ମତାନ୍ତର କେହି ଦେଖାଇନାହାନ୍ତି। ଆଜି ଚୂଡ଼ାନ୍ତ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ଯାନିଯାତ୍ରା ଓ ପର୍ବପର୍ବାଣି ସମ୍ବନ୍ଧରେ ପଞ୍ଜିକା, କ୍ୟାଲେଣ୍ଡରେ ନିର୍ଭୁଲ ଓ ତ୍ରୁଟିଶୂନ୍ୟ ମୁଦ୍ରଣ ପାଇଁ ୫ଟି ପ୍ରକାଶନ ସଂସ୍ଥାକୁ ଅନୁରୋଧ କରାଯାଇଛି। ଗତବର୍ଷ ପୟା ଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଜନ୍ମାଷ୍ଟମୀ ଆଦି ପର୍ବ ପର୍ବାଣି ପାଳନ ନେଇ ଲୋକେ ଦ୍ବନ୍ଦ୍ବରେ ପଡ଼ିଥିଲେ। ୨୦୨୬-୨୭ ପାଞ୍ଜି ଓ କ୍ୟାଲେଣ୍ଡରରେ  ଯେଭଳି ଅସଙ୍ଗତି ନ ରୁହେ ସେନେଇ ଗୁରୁତ୍ବ ଦେବାକୁ ସ୍ଥିର ହୋଇଛି। ଡ.ପାଢ଼ୀଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସକ, ସେବକ ପ୍ରତିନିଧି ଓ ୫ଟି ପଞ୍ଜିକାର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button