Federer’s Hall of Fame induction: ଫେଡେରର୍ଙ୍କ ହଲ୍ ଅଫ୍ ଫେମ୍ ସାମିଲ ଟିକେଟ୍ ୨ ମିନିଟ୍ରେ ଶେଷ
କିଂବଦନ୍ତି ରୋଜର ଫେଡେରର୍ ଚଳିତ ବର୍ଷ ଅଗଷ୍ଟ ୨୯ରେ ନ୍ୟୁପର୍ଟରେ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହେବେ। ତାଙ୍କର ଏହି ସାମିଲ ହେବାର ଦୃଶ୍ୟକୁ ଦେଖିବା ଲାଗି ପ୍ରଶଂସକଙ୍କୁ ସୁଯୋଗ ମିଳିବ।

ନ୍ୟୁପର୍ଟ: କିଂବଦନ୍ତି ରୋଜର ଫେଡେରର୍ ଚଳିତ ବର୍ଷ ଅଗଷ୍ଟ ୨୯ରେ ନ୍ୟୁପର୍ଟରେ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହେବେ। ତାଙ୍କର ଏହି ସାମିଲ ହେବାର ଦୃଶ୍ୟକୁ ଦେଖିବା ଲାଗି ପ୍ରଶଂସକଙ୍କୁ ସୁଯୋଗ ମିଳିବ। ଏଥିପାଇଁ ହୋଇଥିବା ଟିକେଟ୍ ମାତ୍ର ୨ ମିନିଟ୍ରେ ଶେଷ ହୋଇଯାଇଛି। ଯାହା ଫେଡେରେର୍ଙ୍କ ଲୋକପ୍ରିୟତାକୁ ବୁଝାଉଛି। ଐତିହାସିକ ନ୍ୟୁପର୍ଟ କାସିନୋ ଭିତରେ ମୋଟ୍ ୯୦୦ ସିଟ୍ ରହିଛି। ଅଧିକ ପ୍ରଶଂସକଙ୍କ ଲାଗି ନିକଟରେ ଥିବା ୩୬୦୦ ସିଟ୍ ବିଶିଷ୍ଟ ଷ୍ଟାଡିୟମ୍ରେ ସୁବିଧା କରାଯାଇଛି। ମୋଟ ୪୫୦୦ ଟିକେଟ୍ ହୋଇଥିଲେ ମଧ୍ୟ ସବୁତକ କିଛି ମିନିଟ୍ରେ ସରିଯାଇଛି।
ନବୀକରଣ ଲାଗି ୩ ନିୟୁତ ଡଲାର ଖର୍ଚ୍ଚ କରାଯାଇଛି
ଏଥିଲାଗି ତିନିଦିନିଆ ଉତ୍ସବ ପାଳନର ଯୋଜନା ହୋଇଥିଲା ବେଳେ ଏଥିରେ ଫେଡେରର୍ଙ୍କ ସହ ଟେନିସ୍ ବ୍ରଡ୍କାଷ୍ଟର ମାରି କାରିଲୋ ସାମିଲ ଅଛନ୍ତି। ନ୍ୟୁପର୍ଟ କାସିନୋର ନବୀକରଣ ଲାଗି ୩ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୨୮ କୋଟି ଟଙ୍କା) ଖର୍ଚ୍ଚ କରାଯାଇଛି। ଆସନ୍ତା ବର୍ଷ ସେରେନା ୱିଲିୟମ୍ସଙ୍କୁ ଏଥିରେ ସାମିଲ କରିବାର ଯୋଜନା ମଧ୍ୟ ରହିଛି। ୨୦୨୨ରେ ଅବସର ନେଇଥିବା ଫେଡେରର ୨୦ ଗ୍ରାଣ୍ଡ ସ୍ଲାମ୍ ଏକକ ଟ୍ରଫି (୮ ୱିମ୍ବଲଡନ୍, ୬ ଅଷ୍ଟ୍ରେଲିଆନ୍ ଓପନ୍, ୫ ୟୁଏସ୍ ଓପନ୍ ଓ ୧ ଫ୍ରେଞ୍ଚ୍ ଓପନ୍) ଜିତିଛନ୍ତି। ସେ ମଧ୍ୟ ୩୧୦ ସପ୍ତାହ ବିଶ୍ବର ୧ ନମ୍ବର ସ୍ଥାନ ଅଳଙ୍କୃତ କରିବା ସହ ଅଲିମ୍ପିକ୍ସରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ (ଯୁଗଳ) ଓ ରୌପ୍ୟ (ଏକକ) ପଦକ ଜିତିଛନ୍ତି।
ସୌଜନ୍ୟ ସମ୍ବାଦ




