PM’s Office to function from Seva Teerth: ସେବା ତୀର୍ଥରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଉଥ ବ୍ଲକରେ ଆଜି ପ୍ରଧାନମନ୍ତ୍ରୀଙ୍କ ଶେଷ କ୍ୟାବିନେଟ୍ ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ‘ସେବା ତୀର୍ଥ’ ଏବଂ କେନ୍ଦ୍ରୀୟ ସଚିବାଳୟ କୋଠା, କର୍ତ୍ତବ୍ୟ ଭବନ ୧ ଏବଂ ୨ ଉଦଘାଟନ କରିବେ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ‘ସେବା ତୀର୍ଥ’ ଏବଂ କେନ୍ଦ୍ରୀୟ ସଚିବାଳୟ କୋଠା, କର୍ତ୍ତବ୍ୟ ଭବନ ୧ ଏବଂ ୨ ଉଦଘାଟନ କରିବେ। ଅପରାହ୍ଣ ୧ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଏହି ନୂଆ କାର୍ଯ୍ୟାଳୟଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ସନ୍ଧ୍ୟାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏଠାରେ ସମ୍ବୋଧନ କରିବେ। ଏହି ସବୁ କୋଠା ସେଣ୍ଟ୍ରାଲ ଭିଷ୍ଟା ଯୋଜନାର ଅଂଶବିଶେଷ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସାଉଥ୍ ବ୍ଲକରେ କେନ୍ଦ୍ର କ୍ୟାବିନେଟର ଶେଷ ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିବେ। ବ୍ରିଟିଶ ସମୟର ଏହି ଐତିହାସିକ କୋଠାରେ ଦେଶ ସ୍ବାଧୀନ ହେବା ପରେ ବଡ଼ ବଡ଼ ନିଷ୍ପତ୍ତି ନିଆଯାଉଥିଲା।
ଅପରାହ୍ଣ ୪ଟାରେ ସାଉଥ ବ୍ଲକରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ
ଶୁକ୍ରବାର ଅପରାହ୍ଣ ୪ଟାରେ ସାଉଥ ବ୍ଲକରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ବୈଠକ ଶେଷ ହେବା ପରେ ପିଏମ୍ଓ ତୁରନ୍ତ ‘ସେବା ତୀର୍ଥ’କୁ ସ୍ଥାନାନ୍ତରିତ ହୋଇଯିବ। ଏହା ଏକ ଯୁଗ ଅନ୍ତ ଘଟାଇବ। ଉଭୟ ନର୍ଥ ଓ ସାଉଥ୍ ବ୍ଲକକୁ ସମ୍ପୂର୍ଣ୍ଣ ଖାଲି କରାଯିବ। ସାଉଥ ବକ୍ଲରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟ ରହିଛି। ନର୍ଥ ବ୍ଲକରେ ଗୃହ ଓ ଅର୍ଥ ମନ୍ତ୍ରଣାଳୟ ରହିଛି। ଭାରତ ସରକାର ଏହାକୁ ସଂଗ୍ରହାଳୟରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ନର୍ଥ ଓ ସାଉଥ୍ ବ୍ଲକରେ ପ୍ରଥମେ ବ୍ରିଟିଶ ସରକାରଙ୍କ କାର୍ଯ୍ୟାଳୟ ରହିଥିଲା। ସ୍ବାଧୀନତା ପରେ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏଠାରୁ ଚାଲିଥିଲା। ନର୍ଥ ଓ ସାଉଥ ବ୍ଲକର ଡିଜାଇନ୍ ହର୍ବର୍ଟ ବେକର କରିଥିଲେ। ସେ ସ୍ଥପତି ଏଡୱିନ୍ ଲୁଟିୟନ୍ସଙ୍କ ସମସାମୟିକ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୂଆ କରି ନିର୍ମିତ ହୋଇଥିବା ‘ସେବା ତୀର୍ଥ’ କମ୍ପ୍ଲେକ୍ସକୁ ଉଠିଯିବ।
ଏହା ଲୋକକୈନ୍ଦ୍ରିକ ଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ
ସେବାତୀର୍ଥରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ ରହିବ। ଏହି ଦୁଇ କାର୍ଯ୍ୟାଳୟ ପୂର୍ବରୁ ଅନ୍ୟ ଆଡ଼େ ରହିଥିଲା। ସେବା ତୀର୍ଥରେ ଡିଜିଟାଲ୍ ଭାବରେ ସଂଯୁକ୍ତ କାର୍ଯ୍ୟାଳୟ, ଜନସମ୍ପର୍କ କ୍ଷେତ୍ର ଏବଂ କେନ୍ଦ୍ରୀୟ ଅଭ୍ୟର୍ଥନା ସୁବିଧା ରହିଛି। ଏହି କୋଠାଟି ପରିବେଶ ଅନୁକୂଳ ଏବଂ କର୍ମଚାରୀଙ୍କ କଲ୍ୟାଣକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି। ‘ସେବା ତୀର୍ଥ’ ବିଭିନ୍ନ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟ ଉନ୍ନତ କରିବା ସହିତ ପ୍ରଶାସନକୁ ଅଧିକ ଦକ୍ଷ, ସୁଗମ ଏବଂ ସ୍ୱଚ୍ଛ କରିବ। ପିଏମଓ କହିଛି ଯେ, ଏହା ଆଧୁନିକ ଏବଂ ଲୋକକୈନ୍ଦ୍ରିକ ଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।
ସୌଜନ୍ୟ ସମ୍ବାଦ




