ଜାଗରରେ ଖାଇଥିଲେ ଚାଟ୍, ଅସୁସ୍ଥ ହେଲେ ୨୫ରୁ ଉର୍ଦ୍ଧ୍ୱ ଶିଶୁ
ଚାଟ୍ ଖାଇ ୨୫ରୁ ଉର୍ଦ୍ଧ୍ୱ ଶିଶୁ ଅସୁସ୍ଥ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସାରଙ୍ଗଗୋଡି ପଞ୍ଚାୟତର ଦୋଝାମୁଣ୍ଡାଇ ଗ୍ରାମରେ

ସତ୍ୟବାଦୀ : ଚାଟ୍ ଖାଇ ୨୫ରୁ ଉର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସାରଙ୍ଗଗୋଡି ପଞ୍ଚାୟତର ଦୋଝାମୁଣ୍ଡାଇ ଗ୍ରାମରେ। ସମସ୍ତ ଶିଶୁଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇ ଚାଲିଛି ଚିକିତ୍ସା।
ସୂଚନାନୁସାରେ, ରବିବାର ଥିଲା ମହାଶିବରାତ୍ରୀ। ଏହି ଅବସରରେ ଅନୁଷ୍ଠିତ ହୋଇଥିଲା ଜାଗର ଯାତ୍ରା। ଯେଉଁଠି ଭଳିକି ଭଳି ଖାଦ୍ୟ ଷ୍ଟଲ୍ ର ପସରା ଲାଗିଥିଲା। ଆଉ ଏହି ମେଳାକୁ ଦେଖି କୁନି ପିଲାଙ୍କ ଖୁସି କହିଲେ ନସରେ। ସେଠାରେ ବିକ୍ରି ହୋଇଥିବା ଏକ ଚାଟ୍ ଷ୍ଟଲରୁ ଚାଟ୍ ଖାଇ ଥିଲେ ଅନେକ କୁନି କୁନି ପିଲା। କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇ ପଡ଼ିଥିବା ଜାଣା ପଡ଼ିଛି । ପ୍ରଥମେ ସେମାନଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ସ୍ଥିତି ଅଧିକ ବିଗିଡିବାରୁ କିଛି ପିଲାଙ୍କୁ ପୁରୀ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ତେବେ ଘଟଣା ତଦନ୍ତ କରାଯାଇ, ଏହି ଘଟଣାର କାରଣ ଖୋଜା ଚାଲିଛି। କଣ ପାଇଁ କେମିତି ଏଭଳି ଏକ ପରିସ୍ଥିତି ଉପୁଜିଛି। ତେବେ କେଉଁ ଚାଟ୍ ଷ୍ଟଲରୁ ଚାଟ୍ ଖାଇ ଏଭଳି ଏକ ଅଘଟଣ ଘଟିଛି ତାକୁ ବି ତଦନ୍ତ ଘେରକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ସୌଜନ୍ୟ Prameya News7




