ପୁନଶ୍ଚ ପୃଥିବୀ

Burning oil wells: ଜଳନ୍ତା ତୈଳକୂପ ଓ ଆତଙ୍କିତ ଓଟପଲ

ମଧ୍ୟପ୍ରାଚ୍ୟରେ ଆଉଥରେ ଆରମ୍ଭ ହୋଇଥିବା ଯୁଦ୍ଧ ଏହି ଅଞ୍ଚଳରେ ଅତୀତରେ ହୋଇଥିବା ଏକାଧିକ ଯୁଦ୍ଧର ଅନେକ ଛାତିଥରା ଦୃଶ୍ୟକୁ ମନେ ପକାଇଦିଏ। ତା’ ଭିତରୁ କିଛି ଘଟଣାର ଫଟୋଚିତ୍ର ସେତେବେଳେ ସାରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଥିଲା।

ମଧ୍ୟପ୍ରାଚ୍ୟରେ ଆଉଥରେ ଆରମ୍ଭ ହୋଇଥିବା ଯୁଦ୍ଧ ଏହି ଅଞ୍ଚଳରେ ଅତୀତରେ ହୋଇଥିବା ଏକାଧିକ ଯୁଦ୍ଧର ଅନେକ ଛାତିଥରା ଦୃଶ୍ୟକୁ ମନେ ପକାଇଦିଏ। ତା’ ଭିତରୁ କିଛି ଘଟଣାର ଫଟୋଚିତ୍ର ସେତେବେଳେ ସାରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଥିଲା। କିଛି ଫଟୋ ମଧ୍ୟ ପରିବେଶବିତ୍‌ମାନଙ୍କୁ ଭୀଷଣ ଚିନ୍ତିତ କରିଥିଲା। ଏଠାରେ ଥିବା ଫଟୋଟି ତା’ ଭିତରୁ ଅନ୍ୟତମ। ୧୯୯୦-୯୧ରେ ଆମେରିକା ନେତୃତ୍ବରେ ଇରାକ ଉପରେ ହୋଇଥିବା ଆକ୍ରମଣ ‘ଡେଜର୍ଟ ଷ୍ଟର୍ମ’ ସମୟରେ ଏହି ‌ଫଟୋଟି ଉଠାଯାଇଥିଲା। ଆମେରିକା ସେନାର ପ୍ରଚଣ୍ଡ ଆକ୍ରମଣ ଫଳରେ କୁଏତ ଅଧିକାର କରିଥିବା ଇରାକୀ ସେନା ଛତ୍ରଭଙ୍ଗ ଦେବା ଭିତରେ ସେଠାରେ ଥିବା ଅନେକ ତୈଳକୂପରେ ନିଆଁ ଲଗାଇଦେଇଥିଲେ। ହୁ ହୁ ହୋଇ ଜଳୁଥିବା ତୈଳକୂପର ପୃଷ୍ଠଭୂମିରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା କିଛି ଆତଙ୍କିତ ଓଟଙ୍କର ଏହି ଫଟୋଟିକୁ ଆମେରିକୀୟ ଫଟୋଗ୍ରାଫର୍‌ ଷ୍ଟିଭ୍‌ ମ୍ୟାକ୍‌କରି ଉଠାଇଥିଲେ।

ଏକ ହିସାବ ଅନୁଯାୟୀ, ଇରାକୀ ‌ସୈନ୍ୟ କୁଏତ ସୀମା ଭିତରେ ଥିବା ପ୍ରାୟ ୭୦୦ଟି ତୈଳକୂପରେ ନିଅାଁ ଲଗାଇ ଦେଇଥିଲେ। ସେ ନିଆଁ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ ଜଳିଥିଲା। ତା’ର ପ୍ରଭାବରେ ସେହି ଅଞ୍ଚଳର ଆକାଶ ୨୨ହଜାର ଫୁଟ୍‌ ପର୍ଯ୍ୟନ୍ତ ଧୂଆଁମୟ ହୋଇ ରହିଥିଲା। ଏସବୁକୁ ସଫା କରିବାଲାଗି ଅନେକ ଅର୍ଥ ଖର୍ଚ୍ଚ ହୋଇଛି, କିନ୍ତୁ ତା’ର ପ୍ରଭାବ ଉକ୍ତ ଅଞ୍ଚଳରେ ଏଯାଏଁ ରହିଛି। ଫଟୋଗ୍ରାଫର୍‌ ଷ୍ଟିଭ୍‌ ମ୍ୟାକ୍‌କରିଙ୍କ ଜୀବନ ବି ଭାରି ବିଚିତ୍ର। ୧୯୫୦ରେ ଆମେରିକାର ପେନ୍‌ସିଲଭାନିଆରେ ତାଙ୍କର ଜନ୍ମ। ମାତ୍ର ୫ବର୍ଷ ବୟସରେ ପାହାଚରୁ ଖସିପଡ଼ିବାରୁ ତାଙ୍କର ଡାହାଣ ହାତଟି କ୍ଷତିଗ୍ରସ୍ତ ହୋଇଥିଲା। ହାତଟି ଆଉ ପୂରା ଭଲ ହେଲାନାହିଁ। ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟିରେ ଷ୍ଟିଭ୍‌ ମଞ୍ଚକଳା ପାଠ ପଢ଼ିଥିଲେ। ତେବେ ସ୍ନାତକ ହେବାପରେ ସେ ମୁକ୍ତବୃତ୍ତ ଫଟୋଗ୍ରାଫର୍‌ ହେବାଲାଗି ନିଷ୍ପତ୍ତି ନେଇଥିଲେ। ସେହି ସ୍ବପ୍ନ ନେଇ ସେ ଭାରତ ଆସିଥିଲେ। ଏଠା‌ରୁ ସେ ସୋଭିଏତ ରୁଷିଆରୁ ଆଫଗାନିସ୍ତାନ ଅଭିଯାନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ହିଁ ଛଦ୍ମବେଶରେ ଆଫଗାନିସ୍ତାନ ସୀମା ଭିତରେ ପ୍ରବେଶ କରିଥିଲେ। ତା’ପରଠାରୁ ସେହି ଆଫ୍‌ଗାନିସ୍ତାନ ତାଙ୍କ ଫଟୋଗ୍ରାଫିର କେନ୍ଦ୍ର ହୋଇଗଲା। ସେଠାରେ ସେ ଉଠାଇଥିବା ଅନେକ ଫଟୋ ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। ସେଥିପାଇଁ ଷ୍ଟିଭ୍‌ଙ୍କୁ କମ୍‌ ପରିଶ୍ରମ କରିବାକୁ ପଡ଼ିନି। ନଖାଇ ନପିଇ ମରୁଭୂମିରେ ସେ ମାଇଲ୍‌ ମାଇଲ୍‌ ବାଟ ପାଦରେ ଚାଲିଛନ୍ତି। ବୋମା ଓ ଗୁଳିମାଡ଼ର ଶିକାର ହେଉ ହେଉ ବର୍ତ୍ତି ଯାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button