Breaking News

ରୋଜଗାର ଯେତିକି, ଖର୍ଚ୍ଚ ସେତିକି

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଲାଭ ମିଳୁନାହିଁ। ବିଭିନ୍ନ ସୂତ୍ରରୁ ଯେତିକି ଟଙ୍କା ଆୟ ହେଉଛି ପାଖାପାଖି ସେତିକି ଖର୍ଚ୍ଚ ହେଉଛି। କର୍ମଚାରୀଙ୍କ ଦରମା ସମେତ ଅନ୍ୟାନ୍ୟ ବାବଦରେ ମାସକୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ପ୍ରକାର ସେବା....

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଲାଭ ମିଳୁନାହିଁ। ବିଭିନ୍ନ ସୂତ୍ରରୁ ଯେତିକି ଟଙ୍କା ଆୟ ହେଉଛି ପାଖାପାଖି ସେତିକି ଖର୍ଚ୍ଚ ହେଉଛି। କର୍ମଚାରୀଙ୍କ ଦରମା ସମେତ ଅନ୍ୟାନ୍ୟ ବାବଦରେ ମାସକୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ପ୍ରକାର ସେବା ଓ କାର୍ଯ୍ୟକଳାପ ଦ୍ବାରା ମାସିକ ହାରାହାରି ୧.୭୭ କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଛି। ଉଦ୍ୟାନରେ ‘କ’ ବର୍ଗରେ ୬ଜଣ, ‘ଖ’ ବର୍ଗରେ ୫ଜଣ, ‘ଗ’ ବର୍ଗରେ ୩୫ଜଣ ଓ ‘ଘ’ ବର୍ଗରେ ୧୦୬ଜଣ ନିଯୁକ୍ତି ପାଇଛନ୍ତି। ଏହି କର୍ମଚାରୀମାନଙ୍କ ଦରମା ବାବଦରେ ମାସକୁ ୬୪.୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଏହାବ୍ୟତୀତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବାହ୍ୟ ଏଜେନ୍ସିରୁ ୩୯୯ଜଣ, ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀରୁ ୩୫ ଜଣ, ଅବସରପ୍ରାପ୍ତ ସେନା କର୍ମଚାରୀ ୧୫ଜଣ ଓ ଭୂମି ସମ୍ପଦ ବିଭାଗର ୪୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ଦରମା ବାବଦରେ ମାସିକ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସମ୍ପର୍କରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ବିଧାନସଭାରେ ସୂଚନା ଦେଇଥିଲେ। ମୋଟାମୋଟି ଭାବେ କେବଳ ଦରମା ବାବଦରେ ୧ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାବ୍ୟତୀତ ଜୀବଜନ୍ତୁଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଅର୍ଥ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି।

ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପ୍ରବେଶ ଟିକେଟ୍, ସଫାରି, ବ୍ୟାଟେରି ଚାଳିତ ଯାନବାହନ, ରୋପୱେ, ପିଲାଙ୍କ ପାଇଁ ଟ୍ରେନ୍, ଡଙ୍ଗା ଯାତ୍ରା, ଯାନବାହନ ରହଣି ସ୍ଥଳ, ରେସ୍ତୋରାଁ, ସ୍ମାରକୀ ଦୋକାନ ଓ ଏଟିଏମ୍‌ କାଉଣ୍ଟର ଫି’ ବିକ୍ରୟ ସମେତ ଅନ୍ୟାନ୍ୟ ଉତ୍ସରୁ ମାସିକ ୧.୭୭ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହେଉଛି। ପ୍ରାଣୀ ଉଦ୍ୟାନରେ ଏବେ ୩,୯୮୦ଟି ବନ୍ୟପ୍ରାଣୀ ଅଛନ୍ତି। ସେଥିମଧ୍ୟରୁ ୮୦ ପ୍ରଜାତିର ୧୮୭୨ଟି ବନ୍ୟପ୍ରାଣୀ ରହିଛନ୍ତି। ୫୭ ପ୍ରଜାତିର ୧୭୧୪ଟି ପକ୍ଷୀ ରହିଥିବା ବେଳେ ୩୦ ପ୍ରଜାତିର ୩୭୩ଟି ସରୀସୃପ ଓ ୬ ପ୍ରଜାତିର ୨୧ଟି ଉଭୟଚର ପ୍ରାଣୀ ଅଛନ୍ତି। ସେମାନଙ୍କ ପାଇଁ ମାସିକ ଖାଦ୍ୟ ବାବଦକୁ ୬୬ଲକ୍ଷ ୨୧ହଜାର ୪୧୭ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ୨୦୨୩-୨୪ରେ ୨୧କୋଟି ୬୧ ଲକ୍ଷ ୪୬ ହଜାର ୩୮୪ ଟଙ୍କା ଆଦାୟ ହୋଇଥିଲା। ଏଥର ଆୟ ବଢ଼ିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାଣୀ ଉଦ୍ୟାନକୁ ୩୯ଲକ୍ଷ ୫୨ହଜାର ୯୭ଜଣ ପର୍ଯଟକ ବୁଲି ଆସିଥିଲେ। ସମସ୍ତ ଉତ୍ସରୁ ସେମାନଙ୍କଠାରୁ ୨୫.୩୭ କୋଟି ଟଙ୍କା ଆଦାୟ ହୋଇଛି, ଯାହାକି ନନ୍ଦନକାନନ ଇତିହାସରେ ସର୍ବାଧିକ। ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୭ଲକ୍ଷ ୭୧ହଜାର ୯୮୦ଜଣ ଓ ଉଦ୍ଭିଦ ଉଦ୍ୟାନକୁ ୧ଲକ୍ଷ ୮୦ହଜାର ୧୧୭ ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି। ପର୍ଯ୍ୟଟକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ୩୨ ଲକ୍ଷ, ଶିଶୁଙ୍କ ସଂଖ୍ୟା ୭ ଲକ୍ଷ ଓ ୭୯୩ ଜଣ ବିଦେଶୀ ପର୍ଯ୍ୟଟକ ରହିଥିଲେ। ପ୍ରବେଶ ଶୁଳ୍କ, କ୍ୟାମେରା ଓ ପାର୍କିଂ ବାବଦରୁ ୧୬.୩୫ କୋଟି, ଆଉଟ୍‌ସୋର୍ସିଂ ସୁବିଧାରୁ ୫.୮୭ କୋଟି ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ଜୀବଜନ୍ତୁ ପୋଷ୍ୟ ବାବଦକୁ ୩.୧୫ କୋଟି ଟଙ୍କା ଆଦାୟ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ଜଣାଇଛନ୍ତି।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.