
ହାଇଦ୍ରାବାଦ: ଏଠାରେ ଚାଲିଥିବା ହକି ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲ୍ରେ ଭାରତ ପ୍ରବେଶ କରିଛି। ବୁଧବାର ଗ୍ରୁପ୍-ବି’ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୩-୧ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି। ଏଥିସହ ଭାରତ ୩ ମ୍ୟାଚ୍ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ୍ ପାଇ ଟେବୁଲର ଶୀର୍ଷରେ ରହି ଏହି ସ୍ଥାନ ପକ୍କା କରିଛି।
ମ୍ୟାଚ୍ର ସପ୍ତମ ମିନିଟ୍ରେ ସାକ୍ଷୀ ରାଣାଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ ନବନୀତ କୌର (୨୯, ୩୪ ମିନିଟ୍) ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଭାରତକୁ ୩-୦ରେ ଆଗରେ ରଖିଥିଲେ। ତେବେ ୩୯ତମ ମିନିଟ୍ରେ ୱେଲ୍ସର ବେଟ୍ସାନ୍ ଥୋମାସ ଗୋଟିଏ ଗୋଲ୍ ଶୁଝି ସ୍ଥିତି ୧-୩ କରିଥିଲେ। ୫୫ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍କୁ ନବନୀତ ଗୋଲ୍ରେ ପରିଣତ କରି ହ୍ୟାଟ୍ରିକ୍ ସଫଳତା ପାଇବା ସହ ଦଳକୁ ୪-୧ରେ ବିଜୟ ଭେଟି ଦେଇଥିଲେ।
ଏହି ବିଜୟ ସହ ଭାରତୀୟ ଡିଫେଣ୍ଡର ୩୨ ବର୍ଷୀୟା ନିକି ପ୍ରଧାନ ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍କୁ ଆହୁରି ସ୍ମରଣୀୟ କରିଛନ୍ତି। ଶୁକ୍ରବାର ଖେଳାଯିବାକୁ ପ୍ରଥମ ସେମିଫାଇନାଲ୍ରେ ଇଂଲଣ୍ଡ-ସ୍କଟଲାଣ୍ଡ (ସଂଧ୍ୟା ୫.୧୫) ଏବଂ ଦ୍ବିତୀୟରେ ଭାରତ-ଇଟାଲି (ରାତି ୭.୩୦) ମୁହାଁମୁହିଁ ହେବେ।
ସୌଜନ୍ୟ ସମ୍ବାଦ




