ଦେଶ ବିଦେଶ

Cylinder Crisis: ଏଲ୍‌ପିଜି ସଙ୍କଟ ଦୂର ପାଇଁ କମିବ ପରିମାଣ: ସିଲିଣ୍ଡର‌ ପିଛା ୧୦ କେଜିକୁ ହ୍ରାସ ହେବ ଗ୍ୟାସ୍ !

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଦେଖାଦେଇଥିବା ଏଲ୍‌ପିଜି ସଙ୍କଟ ଦୂର କରିବାକୁ ତୈଳ କମ୍ପାନିଗୁଡ଼ିକ ବିଭିନ୍ନ ଯୋଜନା ଉପରେ ବିଚାର କରୁଛନ୍ତି। ସେଥିରୁ ଗୋଟିଏ ହେଉଛି ୧୪.୨ କେଜିଆ ସିଲିଣ୍ଡରରେ ଦିଆଯାଉଥିବା ଗ୍ୟାସ୍‌ ପରିମାଣ କମ୍‌ କରିବା । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିଲିଣ୍ଡର ପିଛା ଦିଆଯାଉଥିବା ଗ୍ୟାସ୍‌କୁ ୧୦ କେଜିକୁ ହ୍ରାସ କରିବା ଉପରେ ବିଚାରବିମର୍ଶ ଚାଲିଛି। ଏହାଜରିଆରେ ସରକାର ଗଚ୍ଛିତ ଥିବା ଗ୍ୟାସ୍‌କୁ ଅଧିକରୁ ଅଧିକ ପରିବାର ପାଖରେ ପହଞ୍ଚାଇବାକୁ ଚାହୁଛନ୍ତି। ଏବେ ପରିବାର ଗ୍ରାହକଙ୍କୁ ଦିଆଯାଉଥିବା ୧୪.୨ କେଜିଆ ସିଲିଣ୍ଡର ହାରାହାରି ଭାବେ ୩୫-୪୦ ଦିନର ଆବଶ୍ୟକତା ପୂରଣ କରୁଛି। ଅଧିକ ଥର ରୋଷେଇ ହେଉଥିବା ପରିବାରରେ କିନ୍ତୁ ତାହା କମ୍‌ ଦିନ ଯାଉଛି। ଗ୍ୟାସ୍‌ ପରିମାଣ ୧୦ କେଜିକୁ ହ୍ରାସ କରାଗଲେ ତାହା ମଧ୍ୟ ଅଧିକାଂଶ ପରିବାରର ଏକ ମାସର ଆବଶ୍ୟକତା ପୂରଣ କରିପାରିବ ବୋଲି ତୈଳ କମ୍ପାନିଗୁଡ଼ିକ ଭାବୁଛନ୍ତି।

ଏହି ରଣନୀତି ଜରିଆରେ ସଙ୍କଟ ସମୟର ଅଭାବକୁ ତେଲ କମ୍ପାନିଗୁଡ଼ିକ ପୂରଣ କରିବାକୁ ଚାହୁଛନ୍ତି। ଯଦି ଏହାକୁ କାର୍ଯ୍ୟକାରୀ କରାଯିବ ତେବେ ସିଲିଣ୍ଡରରେ ପୂର୍ବରୁ ରହିଥିବା ଲେଖାଗୁଡ଼ିକୁ ଲିଭାଇବାକୁ ପଡ଼ିବ। ସେହି ଅନୁସାରେ ସିଲିଣ୍ଡର ଦାମ୍‌ ମଧ୍ୟ ହ୍ରାସ କରିବାକୁ ପଡ଼ିବ। ବଟଲିଂ କାରଖାନାରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ ହେବ। ଏହି ସମସ୍ତ ପ୍ରକ୍ରିୟା ନିୟାମକ ଅନୁମୋଦନ ବିନା ହୋଇପାରିବ ନାହିଁ।

ଗ୍ୟାସ୍‌ ସଙ୍କଟ ଦେଖାଦେବା ପରେ ସରକାର ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ଏହାର ପ୍ରଭାବରେ ହୋଟେଲ୍, ରେସ୍ତୋରାଁ, କ୍ୟାଟରିଂ, କ୍ଲାଉଡ୍‌ କିଚେନ, ରାସ୍ତା କଡ଼ରେ ଜଳଖିଆ ବିକ୍ରି କରୁଥିବା ଦୋକାନଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଧୀରେ ଧୀରେ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣରେ ବୃଦ୍ଧି କରାଯାଉଛି। କିନ୍ତୁ ସେଥିପାଇଁ କଡ଼ା ସର୍ତ୍ତ ରହିଛି। ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ବଢ଼ିବା ସହ ଗ୍ୟାସ୍‌ ଯୋଗାଣ ଉପରେ ଚାପ ବଢ଼ିଛି। ଏବେବି ସରକାର ଘରୋଇ ଗ୍ୟାସ୍‌ ଯୋଗାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଯୁଦ୍ଧ ଲାଗିରହିଲେ ଗ୍ୟାସ୍‌ ସ୍ଥିତି ଆଗାମୀ ଦିନରେ ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button