ନୂଆଦିଲ୍ଲୀ: ଦେବାଳିଆ ହୋଇପଡ଼ିଥିବା ଜେପି ଗ୍ରୁପ୍ ସମ୍ପତ୍ତି ହାସଲ କରିବା ଲଢ଼େଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଦାନୀ ଗ୍ରୁପ ଦାଖଲ କରିଥିବା ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ବେଦାନ୍ତ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ଦିନକ ପୂର୍ବରୁ ବେଦାନ୍ତ ଗ୍ରୁପ୍ ମୁଖ୍ୟ ଅନିଲ ଅଗ୍ରୱାଲ କହିଥିଲେ ଯେ ଜେପି ସମ୍ପତ୍ତି ହାସଲ କରିିଥିବା ନେଇ ଲିଖିତ ଭାବେ ତାଙ୍କ କମ୍ପାନିକୁ ଅବଗତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ନିଷ୍ପତ୍ତିକୁ ବଦଳାଇ ଦିଆଯାଇଥିଲା। ଆଦାନୀକୁ ସଫଳ ବିଡର ଘୋଷଣା କରାଯାଇଥିଲା। ଜେପି ଗ୍ରୁପ୍ର ସମ୍ପତ୍ତି ହାସଲ କରିବାକୁ ବେଦାନ୍ତ ସବୁ ପ୍ରକାର ଉଦ୍ୟମ କରୁଥିଲା। ଆଦାନୀ ପ୍ରସ୍ତାବକୁ ଅଟକାଇବା ପାଇଁ ଏହା ନ୍ୟାସନାଲ କମ୍ପାନି ଲ ଆପିଲିଟ ଟ୍ରିବ୍ୟୁନାଲ (ଏନସିଏଲଏଟି) ଯାଇଥିଲା। ସେଠାରେ କିନ୍ତୁ କମ୍ପାନିକୁ ନିରାଶ ହେବାକୁ ପଡ଼ିଥିଲା।
ଦେବାଳିଆ ହୋଇପଡ଼ିଥିବା ଜେପି ଗ୍ରୁପଠାରୁ ୫୭ ହଜାର କୋଟି ଟଙ୍କା ଋଣ ଫେରିପାଇବା ଲାଗି ବ୍ୟାଙ୍କଗୁଡ଼ିକ କମ୍ପାନିକୁ ଇନସଲଭେନ୍ସି ଓ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ଅଧୀନରେ କମ୍ପାନି ବିରୋଧରେ ଇନସଲ୍ଭେନ୍ସି ମାମଲା ପାଇଁ ଆବେଦନ କରିଥିଲେ। କମ୍ପାନିକୁ ବିକ୍ରି କରିବା ପାଇଁ ଆଗ୍ରହୀ ଗ୍ରାହକଙ୍କଠାରୁ ବିଡ୍ ଆହ୍ବାନ କରାଯାଇଥିଲା। ଉଭୟ ଆଦାନୀ ଓ ବେଦାନ୍ତ ବିଡ୍ ଦାଖଲ କରିଥିଲେ। ଯେହେତୁ ଜେପି ଗ୍ରୁପ୍ର ୯୦ ପ୍ରତିଶତ ଋଣ ପ୍ରଦାନକାରୀ ବେଦାନ୍ତ ବିଡ୍କୁ ସମର୍ଥନ କରୁଥିଲେ, ତେଣୁ ବେଦାନ୍ତ ହିଁ ବିଜୟ ହେବ ବୋଲି ଅନୁମାନ କରାଯାଉଥିଲା। ବେଦାନ୍ତ ୧୭ ହଜାର କୋଟି ଟଙ୍କାର ଓ ଆଦାନୀ ୧୪,୫୩୫ କୋଟି ଟଙ୍କାର ବିଡ୍ ଦାଖଲ କରିଥିଲା। ଆଦାନୀ ସଙ୍ଗେ ସଙ୍ଗେ ୬୦୦୦ କୋଟି ଟଙ୍କା ଓ ବେଦାନ୍ତ ୪୦୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ। ଅବଶିଷ୍ଟ ରାଶି ଦୁଇ ବର୍ଷରେ ଦେବାକୁ ଆଦାନୀ କହିଥିବା ବେଳେ ବେଦାନ୍ତ ୬ ବର୍ଷ ସମୟ ମାଗିଥିଲା। ଯେହେତୁ ଆଦାନୀଠାରୁ ଶୀଘ୍ର ଟଙ୍କା ମିଳିବାର ସମ୍ଭାବନା ରହିଛି, ତେଣୁ ଋଣ ଦେଇଥିବା ସଂସ୍ଥା ଆଦାନୀ ପ୍ରସ୍ତାବକୁ ଅଧିକ ଆକର୍ଷଣୀୟ ବୋଲି ବିଚାର କରିଥିଲେ।
ଏହି ଘଟଣା ପରେ ଗତ ନଭେମ୍ବରରେ ଆଦାନୀ ଗ୍ରୁପ୍ ଏହାର ପ୍ରସ୍ତାବକୁ ଆହୁରି ଆକର୍ଷଣୀୟ କରି ୧୬,୭୨୬ କୋଟି ଟଙ୍କାର ସଂଶୋଧିତ ବିଡ୍ ଦାଖଲ କରିଥିଲା। ସେଥିରୁ ୬୫୬୩ କୋଟି ଟଙ୍କାକୁ କମ୍ପାନି ସଙ୍ଗେ ସଙ୍ଗେ ଓ ଅବଶିଷ୍ଟ ରାଶି ୫ ବର୍ଷରେ ଦେବାକୁ କହିଥିଲା। ଏହା ସତ୍ତ୍ବେ କମିଟି ଅଫ୍ କ୍ରେଡିଟର୍ସ (ସିଓସି) ଆଦାନୀ ଗ୍ରୁପ୍ର ପ୍ରସ୍ତାବକୁ ଗ୍ରହଣ କରିଥିଲେ। ତାହାକୁ ବିରୋଧ କରି ବେଦାନ୍ତ ଗ୍ରୁପ୍ ଚଳିତ ବର୍ଷ ଜାନୁଆରିରେ ଏନସିଏଲ୍ଟିର ଆହ୍ଲାବାଦ ଖଣ୍ଡପୀଠଙ୍କ ଦ୍ବାରସ୍ଥ ହୋଇଥିଲା। ସର୍ବାଧିକ ମୂଲ୍ୟ ମିଳୁଥିବା ପ୍ରସ୍ତାବକୁ ଅଗ୍ରାଧିକାର ଦେବାକୁ ଆଇବିସିରେ ବ୍ୟବସ୍ଥା ଥିଲେ ମଧ୍ୟ ଋଣପ୍ରଦାନକାରୀମାନେ କମ୍ ମୂଲ୍ୟ ମିଳୁଥିବା ଏକ ପ୍ରସ୍ତାବକୁ ଗ୍ରହଣ କରିଥିବା ନେଇ ବେଦାନ୍ତ ଟ୍ରିବ୍ୟୁନାଲଙ୍କୁ ଜଣାଇଥିଲା। ଋଣ ପ୍ରଦାନକାରୀମାନେ ସେମାନଙ୍କ ଦାୟିତ୍ବକୁ ଠିକ୍ ଭାବେ ନିର୍ବାହ କରି ନଥିବା ବେଦାନ୍ତ ଅଭିଯୋଗ କରିଥିବା ବେଳେ ଆଦାନୀ ଗ୍ରୁପ୍ ଦାଖଲ କରିଥିବା ଯୋଜନାକୁ ନାକଚ କରିବାକୁ ନିବେଦନ କରିଥିଲା। ଗତ ମାର୍ଚ୍ଚ ୧୭ରେ ଟ୍ରିବ୍ୟୁନାଲ ବେଦାନ୍ତ ଆବେଦନକୁ ଖାରଜ କରିଥିଲେ। ଫଳରେ କମ୍ପାନି ଏନସିଏଲ୍ଏଟିଙ୍କ ଦ୍ବାରସ୍ଥ ହୋଇଥିଲା। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଥିବାରୁ ଜେପି ସମ୍ପତ୍ତି ପ୍ରକୃତରେ କାହା ପାଖକୁ ଯିବ ତାହା ଆଗାମୀ ଦିନରେ ଜଣାପଡ଼ିବ।