Iran War: ଇରାନ ଯୁଦ୍ଧ ଭିତରେ ପଡ଼ୋଶୀ ଦେଶଙ୍କ ଆଭିମୁଖ୍ୟ ବଦଳୁଛି
ଭାରତ ସର୍ବଦା ନିଜ ପଡ଼ୋଶୀଙ୍କୁ ଅଧିକ ଗୁରୁତ୍ବ ଦେଇଆସୁଛି। ମାଳଦ୍ବୀପ ବର୍ଷକ ତଳେ ଭାରତ ସବୁଠୁ ବଡ଼ ସମାଲୋଚକ ଥିଲା। କିନ୍ତୁ ଦ୍ବୀପ ଦେଶରେ ତୈଳ ସଙ୍କଟ ଦେଖାଯିବା ପରେ ଏହା ଭାରତର ସହାୟତା ଲୋଡ଼ିଛି।

ନୂଆଦିଲ୍ଲୀ: କିଛି ମାସ ତଳେ ଭାରତର ପଡ଼ୋଶୀ ଦେଶ ବାଂଲାଦେଶ, ମାଳଦ୍ବୀପ ଓ ଶ୍ରୀଲଙ୍କାର ଆଭିମୁଖ୍ୟ ନୂଆଦିଲ୍ଲୀ ପ୍ରତି ବନ୍ଧୁତ୍ବପୂର୍ଣ୍ଣ ନଥିଲା। କିନ୍ତୁ ଇରାନ ଯୁଦ୍ଧ ପରେ ଶକ୍ତି ସଙ୍କଟ ଦେଖାଯାଇଥିବାବେଳେ ପଡ଼ୋଶୀ ଦେଶମାନଙ୍କ ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶକ୍ତି ଅଭାବ ସାଧାରଣ ଜୀବନକୁ ବିପର୍ଯ୍ୟସ୍ତ କରିବା ଆରମ୍ଭ କରିଥିବାରୁ ସେହି ପଡ଼ୋଶୀ ଦେଶଗୁଡ଼ିକ ଏବେ ଜରୁରୀ ଇନ୍ଧନ ଯୋଗାଣ ପାଇଁ ଭାରତ ଆଡ଼କୁ ମୁହାଁଇଛନ୍ତି। ଭାରତ ତିକ୍ତତାକୁ ଭୁଲି ପଡ଼ୋଶୀ ପ୍ରଥମ ଆଭିମୁଖ୍ୟକୁ ଆହୁରି ମଜଭୁତ କରିବା ସହିତ ସାହାଯ୍ୟର ହାତ ବଢ଼ାଇଛି।
ଭାରତ ବାଂଲାଦେଶ ଓ ଶ୍ରୀଲଙ୍କାକୁ ଟନ୍ ଟନ୍ ତୈଳ ପଠାଇ ସାରିଥିବାବେଳେ ମାଳଦ୍ବୀପର ଅନୁରୋଧ ଉପରେ ବିଚାର କରୁଛି। ସଙ୍କଟ ଭିତରେ ଭାରତ ନେପାଳ ଓ ଭୁଟାନକୁ ମଧ୍ୟ ତୈଳ ଯୋଗାଣ ଜାରି ରଖିଛି। ଗତସପ୍ତାହରେ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ ସମ୍ପୃକ୍ତ ତିନି ଦେଶ ତୈଳ ନେଇ ସାହାଯ୍ୟ ମାଗିଥିବା କହିଥିଲେ। ଭାରତ ପାଖରେ ବର୍ତ୍ତମାନ ଦୁଇ ମାସର ତୈଳ ସଂରକ୍ଷିତ ଅଛି। ମାର୍ଚ୍ଚ ୧୦ ତାରିଖରେ ଭାରତ ବାଂଲାଦେଶକୁ ୫୦୦୦ ଟନ୍ ଡିଜେଲ ପଠାଯାଇଥିଲା, ଯାହାକି ୧୫ ବର୍ଷୀୟା ଚୁକ୍ତିର ଅଂଶବିଶେଷ ଥିଲା। ଆସନ୍ତା ସପ୍ତାହରେ ଆହୁରି ୧୦,୦୦୦ ଟନ୍ ଡିଜେଲ ପଠାଯିବ ଏହାସହିତ ଅନ୍ୟ ଏକ ୭୦୦୦ ଟନ୍ ଡିଜେଲ ପଠାଯାଉଛି। ତେବେ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ବାଂଲାଦେଶ ଭାରତର ଶତ୍ରୁ ପାଲଟି ଯାଇଥିଲା।
ଭାରତ ଶ୍ରୀଲଙ୍କାକୁ ୩୮,୦୦୦ ମେଟ୍ରିକ ତୈଳ ପଠାଇଥିଲା
ଅନ୍ୟପକ୍ଷରେ ମାର୍ଚ୍ଚ ୨୯ ତାରିଖରେ ଭାରତ ଶ୍ରୀଲଙ୍କାକୁ ୩୮,୦୦୦ ମେଟ୍ରିକ ତୈଳ ପଠାଇଥିଲା। ଏଥିପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦାସନାୟକେ ଭାରତକୁ ଧନ୍ୟବାଦ ଜଣାଇଥିଲେ। ତେବେ ୨୦୨୨ରେ ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ପରେ କଲମ୍ବୋ ଚୀନ ଆଡ଼କୁ ଢଳିବାରେ ଲାଗିଥିଲା। କିନ୍ତୁ ଭାରତ ସର୍ବଦା ନିଜ ପଡ଼ୋଶୀଙ୍କୁ ଅଧିକ ଗୁରୁତ୍ବ ଦେଇଆସୁଛି। ସେହିପରି ମାଳଦ୍ବୀପ ବର୍ଷକ ତଳେ ଭାରତ ସବୁଠୁ ବଡ଼ ସମାଲୋଚକ ଥିଲା। କିନ୍ତୁ ଦ୍ବୀପ ଦେଶରେ ତୈଳ ସଙ୍କଟ ଦେଖାଯିବା ପରେ ଏହା ଭାରତର ସହାୟତା ଲୋଡ଼ିଛି।
ସୌଜନ୍ୟ ସମ୍ବାଦ




