NASA: ଇତିହାସ ରଚିଲା ନାସାର ଆର୍ଟେମିସ୍ ୨ ମିଶନ
ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ଗୁରୁବାର ପ୍ରତ୍ୟୁଷ ୩ ଟା ୫୪ ମିନିଟରେ ସବୁଠୁ ଶକ୍ତିଶାଳୀ ରକେଟ ସ୍ପେଶ ଲଞ୍ଚ ସିଷ୍ଟମ୍ (ଏସ୍ଏଲ୍ଏସ୍) ମାଧ୍ୟମରେ ଓରିଅନ କ୍ୟାପସୁଲ୍ରେ ବସି ଏହି ୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ।

ଫ୍ଲୋରିଡା: ମଣିଷ ଶେଷ ଥର ପାଇଁ ଚନ୍ଦ୍ରକୁ ଯାତ୍ରା କରିବାର ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ପରେ ଗୁରୁବାର ନାସାର ଐତିହାସିକ ଆର୍ଟେମିସ୍-୨ ମିଶନରେ ଚାରି ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ଗୁରୁବାର ପ୍ରତ୍ୟୁଷ ୩ ଟା ୫୪ ମିନିଟରେ ସବୁଠୁ ଶକ୍ତିଶାଳୀ ରକେଟ ସ୍ପେଶ ଲଞ୍ଚ ସିଷ୍ଟମ୍ (ଏସ୍ଏଲ୍ଏସ୍) ମାଧ୍ୟମରେ ଓରିଅନ କ୍ୟାପସୁଲ୍ରେ ବସି ଏହି ୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ।
୫୪ ବର୍ଷ ପରେ ନାସାର ଏହା ପ୍ରଥମ କ୍ରୁ ମିଶନ। ରିଡ୍ ୱାଇଜମାନ୍ ମିଶନର ନେତୃତ୍ବ ନେଉଛନ୍ତି। ଆର୍ଟେମିସ୍ ୨ ଅନେକ କାରଣରୁ ଐତିହାସିକ ରହିଛି। ଚନ୍ଦ୍ରକୁ ଯିବାରେ କ୍ରିଷ୍ଟିନା କୋଚ୍ ପ୍ରଥମ ମହିଳା ମହାକାଶଚାରୀ ହୋଇଥିବାବେଳେ ଭିକ୍ଟର ଗ୍ଲୋଭର ପ୍ରଥମ ଅଣଶ୍ବେତ ମହାକାଶଚାରୀ ଓ ଜେରେମି ହାନ୍ସେନ୍ ପ୍ରଥମ କାନାଡା ମହାକାଶଚାରୀ ଭାବେ ମିଶନରେ ସାମିଲ ହୋଇଛନ୍ତି।
୫୪ ବର୍ଷ ପରେ ପ୍ରଥମ ମାନବ ମିଶନ
ଆର୍ଟେମିସ୍ ୨ର ଉତକ୍ଷେପଣ ବିଭିନ୍ନ କାରଣରୁ ବିଳମ୍ବିତ ହୋଇଥିଲା। ରକେଟ୍ ଶେଷ ମୁହୂର୍ତ୍ତରେ ପୁନର୍ବାର ରୋଲ୍ବ୍ୟାକ୍ କରିବା ଏବଂ ହିଲିୟମ୍ ଲିକ୍ ଭଳି ସମସ୍ୟା ପରି ତ୍ରୁଟି ଦେଖାଯାଇଥିଲା। ପ୍ରଥମ ଦିନ କ୍ରୁ ସଦସ୍ୟ ପୃଥିବୀ କକ୍ଷପଥରେ ରହି ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ ଯାଞ୍ଚ ଏବଂ ଚନ୍ଦ୍ର ଅଭିମୁଖୀ ଯାତ୍ରା ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ଚାରି ଦିନ ପରେ ଆର୍ଟେମିସ୍-୨ ଚନ୍ଦ୍ରରେ ପହଞ୍ଚିବ। ଏହି କ୍ରୁ ମିଶନରେ ସାମିଲ ଚାରି ଜଣ ମହାକାଶଚାରୀ ଚନ୍ଦ୍ର ଚାରିପାଖରେ ମୁକ୍ତ-ପ୍ରତ୍ୟାବର୍ତ୍ତନ ପଥରେ ଉଡ଼ିବେ ଏବଂ ଏପ୍ରିଲ ୧୧ ତାରିଖରେ ପ୍ରଶାନ୍ତ ମହାସାଗରରେ ଓହ୍ଲାଇବେ। ୧୯୭୨ ମସିହା ଡିସେମ୍ବରରେ ଯାଇଥିବା ଆପୋଲୋ ୧୭ ଶେଷ କ୍ରୁ ମିଶନ ଥିଲା। ଆର୍ଟେମିସ୍ ଦ୍ବିତୀୟ ପୂର୍ବରୁ ୨୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ପାଦ ରଖି ପାରିଛନ୍ତି।
ଚନ୍ଦ୍ରକୁ ଗଲେଣିି ୨୮ ଜଣ ମହାକାଶଚାରୀ, ପାଦ ଥାପିଛନ୍ତି ୧୨ଜଣ
ଆପୋଲୋ ୮ ଚନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରଥମ ମାନବ ମହାକାଶ ଯାତ୍ରା ଥିଲା। ୧୯୬୯ ମସିହା ଜୁଲାଇ ୧୬ ତାରିଖରେ ଆପୋଲୋ ୧୧ ମିଶନ ମାଧ୍ୟମରେ ମାନବଜାତି ଚନ୍ଦ୍ରରେ ଅବତରଣ କରିଥିଲା। ନିଲ ଆର୍ମଷ୍ଟ୍ରଙ୍ଗ ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲେ। ଏହାକୁ ଆର୍ମଷ୍ଟ୍ରଙ୍ଗ ‘ମଣିଷ ପାଇଁ ଗୋଟିଏ ଛୋଟ ପଦକ୍ଷେପ, ମାନବଜାତି ପାଇଁ ଗୋଟିଏ ବିରାଟ ପଦକ୍ଷେପ’ ବୋଲି କହିଥିଲେ। ତେବେ ଆର୍ଟେମିସ୍ ୨ର ମହାକାଶଚାରୀ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ ନାହିଁ।
ସୌଜନ୍ୟ ସମ୍ବାଦ




