ଜାତୀୟ

ED Raids: ଆପ୍ ସାଂସଦ ଅଶୋକ ମିତ୍ତଲଙ୍କ ମାଲିକାନାରେ ଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟ ଉପରେ ଇଡି ଚଢ଼ଉ

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା) ଅନୁଯାୟୀ ତଦନ୍ତର ଏକ ଅଂଶ ଭାବରେ ବୁଧବାର ପଞ୍ଜାବରେ ଆପ୍ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ସହ ଜଡିତ ଏକାଧିକ ବ୍ୟବସାୟିକ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଥିଲା। ଲଭଲି ପ୍ରଫେସନାଲ ୟୁନିଭର୍ସିଟି (ଏଲପିୟୁ) ସମେତ ଲଭଲି ଗ୍ରୁପର ମୁଖ୍ୟ ୬୧ ବର୍ଷୀୟ ବ୍ୟବସାୟୀ ତଥା ଶିକ୍ଷାବିତ୍ ମିତ୍ତଲଙ୍କୁ ନିକଟରେ ରାଘବ ଚଢାଙ୍କ ସ୍ଥାନରେ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ଉପନେତା ଭାବରେ ନିଯୁକ୍ତ କରାଯାଇଛି।

ଜଲନ୍ଧର ଓ ଫଗୱାଡ଼ା ସମେତ ପଞ୍ଜାବ ଓ ଗୁରୁଗ୍ରାମର ୮-୯ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ବ୍ୟବସାୟ ପରିସର, ଆବାସିକ ସମ୍ପତ୍ତି ଏବଂ ମିତ୍ତଲ ଓ ତାଙ୍କ ପରିବାର ସହ ଜଡିତ ଏକ ଫାର୍ମହାଉସ୍ ଅନ୍ତର୍ଭୁକ୍ତ ଥିଲା। ତାଙ୍କ ପୁଅ ସହ ଜଡିତ ପରିସର ଏବଂ ତାଙ୍କ ଭାଇ ରମେଶ ମିତ୍ତଲ ଓ ନରେଶ ମିତ୍ତଲଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଜଡିତ ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଥିଲା।

ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ଆମେ ସୂଚନା ପାଇଛୁ ଯେ ରାଘବ ଚଢାଙ୍କ ସହ ବିଜେପିର ଶୀର୍ଷ ସ୍ତରୀୟ ନେତାମାନଙ୍କର ଏକ ବୈଠକ ହୋଇଥିଲା। ସେଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ରାଘବଙ୍କୁ ଜେଡ୍ ସୁରକ୍ଷା ଯୋଗାଇ ଦିଆଯିବ ଏବଂ ତାଙ୍କ ସ୍ଥାନରେ ରାଜ୍ୟସଭା ଉପନେତା ହୋଇଥିବା ଅଶୋକ ମିତ୍ତଲଙ୍କ ଉପରେ ଚଢ଼ାଉ କରାଯିବ। ପଞ୍ଜାବ ସରକାର ଚଢ଼ାଙ୍କ ସୁରକ୍ଷା ପ୍ରତ୍ୟାହାର କରିବା ପରେ ତାଙ୍କୁ କେନ୍ଦ୍ର ଜେଡ୍ ବର୍ଗର ସୁରକ୍ଷା ଦେଇଛି।

 

ଲଭଲି ପ୍ରଫେସନାଲ ୟୁନିଭର୍ସିଟି, ଲଭଲି ଅଟୋ, ଲଭଲି ସୁଇଟ୍ସ ଓ ଲଭଲି ଡିଷ୍ଟାନ୍ସ ଏଜୁକେସନ ସେଣ୍ଟର ସମେତ ଲଭଲି ଗ୍ରୁପର ପ୍ରମୁଖ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରି ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଫେମା ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଯାହା ବୈଦେଶିକ ମୁଦ୍ରା କାରବାର ଏବଂ ସୀମାପାର ପାଣ୍ଠି ଗତିବିଧି ସମ୍ବନ୍ଧୀୟ ଉଲ୍ଲଂଘନ ସହିତ ଜଡିତ। ଏହି ଚଢ଼ାଉ ପରେ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ନିର୍ବାଚନ ପୂର୍ବରୁ ବିରୋଧୀ ନେତାମାନଙ୍କୁ ଟାର୍ଗେଟ୍ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରାଯାଉଛି। ଆପ୍ ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଜେପି ପଞ୍ଜାବରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଏବଂ ରାଜ୍ୟର ଭୋଟରମାନେ ଏହାର କଡ଼ା ଜବାବ ଦେବେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହି ଚଢ଼ାଉକୁ ତୀବ୍ର ନିନ୍ଦା କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଆପ୍‌ର ପଞ୍ଜାବ ସଭାପତି ଅମନ ଆରୋଡ଼ା ମଧ୍ୟ ଏହି ଚଢ଼ାଉକୁ ଦଳର ସାମ୍ପ୍ରତିକ ଆଭ୍ୟନ୍ତରୀଣ ଘଟଣାକ୍ରମ ସହିତ ଯୋଡିଛନ୍ତି, ବିଶେଷକରି ରାଘବ ଚଢାଙ୍କ ସ୍ଥାନରେ ରାଜ୍ୟସଭାରେ ଉପନେତା ଭାବରେ ମିତ୍ତଲଙ୍କୁ ନିଯୁକ୍ତି। ଯିଏ ବିଜେପି ବିରୋଧରେ ଛିଡ଼ା ହେବେ, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଆରୋଡ଼ା କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button