Trump: ପୋପ୍‌ଙ୍କୁ ସମାଲୋଚନା କରିବା ପରେ, ଇରାନ ଯୁଦ୍ଧରେ ସମର୍ଥନ ନ ଦେଇଥିବାରୁ ମେଲୋନିଙ୍କୁ ନିନ୍ଦା କଲେ ଟ୍ରମ୍ପ

ମିଲାନ: ଇଟାଲୀୟ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ୟୁରୋପରେ ଜଣେ ବଡ଼ ସହଯୋଗୀ ବୋଲି କୁହାଯାଉଥିଲା। ମାତ୍ର ପୋପ୍ ଲିଓ ଚତୁର୍ଦ୍ଦଶଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ, ଟ୍ରମ୍ପ ତାଙ୍କର ନିକଟତମ ୟୁରୋପୀୟ ସହଯୋଗୀ ମେଲୋନିଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ମେଲୋନି ପୋପ୍‌ଙ୍କୁ ନେଇ ମନ୍ତବ୍ୟକୁ ସହ୍ୟ କରାଯିବନି ବୋଲି କହିଥିଲେ। ଏହା ସହିତ ଇରାନ ବିରୋଧରେ ଆମେରିକା-ଇସ୍ରାଏଲ ଯୁଦ୍ଧକୁ ସମର୍ଥନ ମଧ୍ୟ କରିନଥିଲେ। ମେଲୋନିଙ୍କ ଉଦ୍ଦେଶ୍ୟରେ ଟ୍ରମ୍ପ କହିଛନ୍ତି ମୁଁ ଭାବିଥିଲି ତାଙ୍କ ପାଖରେ ସାହସ ଅଛି,କିନ୍ତୁ ମୋ ଚିନ୍ତା ଧାରା ଭୁଲ୍ ଥିଲା ବୋଲି ଟ୍ରମ୍ପ ପ୍ରମୁଖ ଇଟାଲୀୟ ଦୈନିକ କୋରିଏର ଡେଲା ସେରା ସହିତ ଏକ ସାକ୍ଷାତକାରରେ କହିଛନ୍ତି। ତେବେ ମେଲୋନି ଟ୍ରମ୍ପଙ୍କ ଏଭଳି ସମାଲୋଚନାର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଟ୍ରମ୍ପ କହିଛନ୍ତି ଇରାନ ଯୁଦ୍ଧରେ ଯେଉଁମାନେ ଆମକୁ ସହାୟତା କରି ନାହାନ୍ତି ସେମାନଙ୍କ ସହିତ ଆମର ସମ୍ପର୍କ ଭାଙ୍ଗି ଯାଇଛି। ଟ୍ରମ୍ପଙ୍କ ଦ୍ୱିତୀୟ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରିତ ଏକମାତ୍ର ୟୁରୋପୀୟ ୟୁନିଅନ ନେତା ମେଲୋନି ୧୫ ମାସ ପୂର୍ବେ ପଦକୁ ଫେରିବା ପରେ ଆମେରିକା ସହିତ ତାଙ୍କର ଦୃଢ଼ ସମ୍ପର୍କ ଜାରି ରଖିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଟ୍ରମ୍ପଙ୍କ ଶୁଳ୍କ ଯନ୍ତ୍ରଣାରୁ ଇଟାଲୀ ବାଦ ପଡ଼ିନଥିଲା।ଯେତେବେଳେ ପଚରାଗଲା ଯେ, ଉଭୟେ ଚଳିତ ମାସରେ କଥା ହୋଇଛନ୍ତି କି, ଟ୍ରମ୍ପ ଉତ୍ତର ଦେଇଥିଲେ ନା।

ଗତ ମାସରେ ମେଲୋନି କହିଥିଲେ, ଇଟାଲୀ ଯୁଦ୍ଧରେ ଅଂଶଗ୍ରହଣ କରିବ ନାହିଁ। ଏହା ସହିତ ସେ ଆମେରିକୀୟ ବୋମାବର୍ଷୀ ବିମାନକୁ ସିସିଲିର ଏକ ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟିରେ ଅବତରଣ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ମନା କରିଦେଇଥିଲେ। ଦେଶରେ ଜନମତ ସଂଗ୍ରହ ପରେ ମେଲୋନି ସମର୍ଥନ ସଂଗ୍ରହ କରିବାକୁ ଚେଷ୍ଟା କରିଛନ୍ତି, ଯାହା ତାଙ୍କ ନେତୃତ୍ୱର ଏକ ବାସ୍ତବିକ ଆତ୍ମବିଶ୍ୱାସ ପରୀକ୍ଷା ପାଲଟିଛି। ବଢୁଥିବା ଶକ୍ତି ସଙ୍କଟ ସମୟରେ ଇଟାଲୀର ଗ୍ୟାସ୍ ଏବଂ ତୈଳ ଯୋଗାଣକୁ ବୃଦ୍ଧି କରିବା ପାଇଁ ସେ ତିନୋଟି ଉପସାଗରୀୟ ରାଷ୍ଟ୍ରର ଦୁଇ ଦିନିଆ ଗସ୍ତ କରିଥିଲେ କିନ୍ତୁ କୌଣସି ଆନୁଷ୍ଠାନିକ ଚୁକ୍ତି ବିନା ଘରକୁ ଫେରିଥିଲେ।

 

 

 

ସୌଜନ୍ୟ ସମ୍ବାଦ