ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଚାଲିଥିବାବେଳେ ତେହେରାନର ଏକ ସୂତ୍ର ଅନୁଯାୟୀ, ଯଦି ନୂତନ ସଂଘର୍ଷକୁ ରୋକିବା ପାଇଁ ଏକ ଚୁକ୍ତି ହୁଏ, ତେବେ ଇରାନ ଆକ୍ରମଣର ବିପଦ ବିନା ହର୍ମୁଜ୍ ପ୍ରଣାଳୀର ଓମାନ ପାର୍ଶ୍ୱ ଦେଇ ଜାହାଜଗୁଡ଼ିକୁ ମୁକ୍ତ ଭାବରେ ଚଳାଚଳ କରିବାକୁ ଅନୁମତି ଦେବା ବିଷୟରେ ବିଚାର କରିପାରେ। ଯୁଦ୍ଧ ଯୋଗୁଁ ବିଶ୍ବର ୨୦% ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି। ଫେବ୍ରୁଆରି ୨୮ରେ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁ ଉପସାଗରରେ ୨୦,୦୦୦ ନାବିକ ଓ ସହସ୍ରାଧିକ ଜାହାଜ ଓ ଟ୍ୟାଙ୍କର ଅଟକି ରହିଛି। ତେବେ ୱାସିଂଟନ୍ ତେହେରାନର ଦାବି ପୂରଣ କରିବାକୁ ପ୍ରସ୍ତୁତ କି ନାହିଁ ତାହା ଉପରେ ନିର୍ଭର କରେ ବୋଲି ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହାର ଜବାବ ରଖାଯାଇନାହିଁ।
ଆମେରିକ-ଇରାନ ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀ ଉତ୍ତେଜନାର କେନ୍ଦସ୍ଥଳ ପାଲଟିଛି। ଦୁଇ ଦେଶ ହର୍ମୁଜ ଉପରେ ନିଜ ନିୟନ୍ତ୍ରଣ ରଖିବାକୁ ପ୍ରୟାସ ଚଲାଇଛନ୍ତି। ଏହାଦ୍ବାରା ବିଶ୍ବରେ ଶକ୍ତି ସଙ୍କଟ ଦେଖାଯାଇଛି। ତେବେ ଇତିମଧ୍ୟରେ ଇରାନ ଏହାର ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଇରାନ ହର୍ମୁଜ ପ୍ରଣାଳୀ ନେଇ ଆମେରିକା ସମ୍ମୁଖରେ ଏକ ପ୍ରସ୍ତାବ ରଖିଛି, ଯଦ୍ବାରା ହର୍ମୁଜ ଦେଇ ଜାହାଜ ଗୁଡ଼ିକୁ ସୁରକ୍ଷିତ ଯିବାକୁ ଅନୁମତି ଦେଇପାରେ। ଇରାନ ଓମାନ ଦେଇ ଜାହାଜଗୁଡ଼ିକ ସୁରକ୍ଷିତ ଯାଇପାରିବ ବୋଲି କହିଛି। ରଏଟର୍ସର ଏକ ରିପୋର୍ଟରେ ତେହେରାନ ସହିତ ଜଡ଼ିତ ସୂତ୍ର ଅନୁଯାୟୀ ଏହି ସୂଚନା ଦେଇଛି। ତେବେ ଏହାକୁ ଲାଗୁ କରିବାକୁ ଇରାନ ସର୍ତ୍ତ ରଖିଛି। ଆମେରିକା ଇରାନର ଦାବିକୁ ମାନିବା ଉପରେ ଏହି ସର୍ତ୍ତ ନିର୍ଭର କରୁଛି।
ଅନ୍ୟପକ୍ଷରେ ଆମେରିକା ଏହି ପ୍ରସ୍ତାବ ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ। ଇରାନ ମଧ ପ୍ରସ୍ତାବ ଦେବା ପୂର୍ବରୁ ଏହାକୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ବାକି ରହିଛି। ଇରାନ ଯଦି ସମୁଦ୍ରରେ ମାଇନ୍ସ ବିଛାଇଛି ତେବେ ଏହାକୁ ସେ ହଟାଇବ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ କରିନାହିଁ। ଏହାସହିତ ଇରାନ ଇସ୍ତ୍ରାଏଲ ସମେତ ସମସ୍ତ ଜାହାଜକୁ ଏହି ମାର୍ଗ ଦେଇ ଯିବାକୁ ଅନୁମତି ଦେବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପୁଣି ଥରେ ପ୍ରୟାସ ଆରମ୍ଭ ହୋଇଛି। ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ୍ ମୁନିର ଆମେରିକାର ପ୍ରସ୍ତାବ ନେଇ ବୁଧବାର ତେହେରାନରେ ପହଞ୍ଚିଛନ୍ତି।
ସୌଜନ୍ୟ ସମ୍ବାଦ

