ୱାସିଂଟନ: ପରମାଣୁ ପ୍ରତିରୋଧ ଏବଂ ମହାକାଶ ପ୍ରାଧାନ୍ୟ ଉପରେ କାର୍ଯ୍ୟ କରୁଥିବା ଆମେରିକୀୟ ବୈଜ୍ଞାନିକମାନେ ଅଜଣା ପରିସ୍ଥିତିରେ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି। ଏଭଳି ଘଟଣା ଆମେରିକାର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିବା ସହ ଗୁଇନ୍ଦା ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ୨୦୨୩ ମସିହାଠାରୁ ପରମାଣୁ ଅସ୍ତ୍ର ପରୀକ୍ଷାଗାର ଏବଂ ଉନ୍ନତ ଅନ୍ତରୀକ୍ଷ ଏବଂ ଫ୍ୟୁଜନ୍ ଗବେଷଣା କେନ୍ଦ୍ର ସମେତ ଉଚ୍ଚ-ସ୍ତରୀୟ ବୈଜ୍ଞାନିକ କାର୍ଯ୍ୟ ସହିତ ଜଡିତ ଦଶ ଜଣ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟିଛି। ନିଖୋଜ ହୋଇଯାଇଛନ୍ତି କିମ୍ବା ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁବରଣ କରିଛନ୍ତି।
ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ଙ୍କ ସହ ସାମ୍ବାଦିକଙ୍କ ଆଲୋଚନା ସମୟରେ ଆମେରିକାର ଗୁପ୍ତ ଗବେଷଣା ପ୍ରକଳ୍ପରେ ସାମିଲ ବୈଜ୍ଞାନିକଙ୍କ ସହିତ ଘଟିଥିବା ଏଭଳି ଘଟଣା ଜଣାପଡ଼ିଛି। ଯେତେବେଳେ ପ୍ରେସ୍ ସଚିବଙ୍କୁ ପଚରାଗଲା, ଟ୍ରମ୍ପ ପ୍ରଶାସନ ଏହି ଘଟଣାଗୁଡ଼ିକ ବିଷୟରେ ଅବଗତ ଅଛନ୍ତି କି ନାହିଁ? ଏହାର ତଦନ୍ତ କରାଯାଉଛି କି ନାହିଁ? ଲିଭିଟ୍ କହିଥିଲେ, ମୁଁ ଏ ବିଷୟରେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ସହିତ କଥା ହୋଇନାହିଁ। ମୁଁ ନିଶ୍ଚିତ ଭାବରେ ଏହା କରିବି ଏବଂ ପରେ ଏହାର ଉତ୍ତର ଦେବି। ଯଦି ଏଭଳି ଘଟଣା ସତ୍ୟ, ତେବେ ଏହା ନିଶ୍ଚିତ ଭାବରେ ଏପରି ପ୍ରସଙ୍ଗ ଯାହା ସରକାର ଏବଂ ପ୍ରଶାସନ ଯାଞ୍ଚ କରିବା ଆବଶ୍ୟକ। ଏହି ଘଟଣାଗୁଡ଼ିକ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ଲସ୍ ଆଲାମୋସ୍ ନ୍ୟାସନାଲ୍ ଲାବୋରେଟୋରୀ, ନାସା ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀ, ଏବଂ ଏମ୍ଆଇଟି ପ୍ଲାଜ୍ମା ସାଇନ୍ସ ଆଣ୍ଡ୍ ଫ୍ୟୁଜନ୍ ସେଣ୍ଟର ଆଦି ପ୍ରତିଷ୍ଠାନଗୁଡ଼ିକ ସହିତ ଜଡିତ। ଏହି ସମସ୍ତ ସଂସ୍ଥା ପରମାଣୁ ଅସ୍ତ୍ର ବିକାଶ, ଉନ୍ନତ ପ୍ରପଲ୍ସନ ସିଷ୍ଟମ୍ ଏବଂ ପରବର୍ତ୍ତୀ ପିଢ଼ିର ଶକ୍ତି ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି। ଏହି ଉଚ୍ଚ-ସୁରକ୍ଷା ଗବେଷଣା ପ୍ରତିଷ୍ଠାନଗୁଡ଼ିକରେ ଘଟିଥିବା ଏଭଳି ଘଟଣା ସମ୍ଭାବ୍ୟ ଗୁପ୍ତଚରୀ, ସୁରକ୍ଷା ଉଲ୍ଲଂଘନ କିମ୍ବା ଏପରି ସମ୍ବେଦନଶୀଳ କାର୍ଯ୍ୟକ୍ରମ କରାଯାଉଥିବା ସଂସ୍ କେତେକ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠାଇଛି।
ରିପୋର୍ଟ ଅନୁଯାୟୀ ନିଖୋଜ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅନେକ ପାଦରେ ଚାଲି ଚାଲି ଘର ଛାଡି ପଳାଇଛନ୍ତି, ଫୋନ୍, ୱାଲେଟ୍ ଏବଂ ଚାବି ଭଳି ଜରୁରୀ ଜିନିଷପତ୍ର ଛାଡି ଚାଲିଯାଇଛନ୍ତି। ନିଖୋଜ ହେବା ବ୍ୟତୀତ, ଅନେକ ପ୍ରମୁଖ ବୈଜ୍ଞାନିକ ହଠାତ୍ କିମ୍ବା ହିଂସାତ୍ମକ ପରିସ୍ଥିତିରେ ମୃତ୍ୟୁବରଣ କରିଛନ୍ତି। ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି, ବର୍ଗୀକୃତ କିମ୍ବା ସମ୍ବେଦନଶୀଳ ସୂଚନା ସହ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ବିପଦରେ ପଡ଼ିପାରନ୍ତି। ପୂର୍ବତନ ଏଫବିଆଇ ଅଧିକାରୀ କ୍ରିସ୍ ସ୍ୱେକର କହିଛନ୍ତି, ଗୁପ୍ତଚରୀ କିମ୍ବା ଅପହରଣ କରାଯାଇଥିବା ସନ୍ଦେହକୁ ଏଡ଼ାଇ ଦିଆଯାଇପାରିବ ନାହିଁ।ଏପରିସ୍ଥଳେ ହ୍ୱାଇଟ୍ ହାଉସ୍ର ଖାମଖିଆଲି ପ୍ରତିକ୍ରିୟାକୁ ସମାଲୋଚନା କରାଯାଉଛି। ଫେଡେରାଲ୍ ଏଜେନ୍ସିଗୁଡ଼ିକ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି ଅବା ଏହାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ନେଇ ପ୍ରଶ୍ନ ଉଠିଛି। ଏଭଳି ଘଟଣାରେ ଜଣେ ଜେନେରାଲ ଏବଂ ଅବସରପ୍ରାପ୍ତ ବାୟୁସେନା ଜେନେରାଲ ୱିଲିୟମ୍ ନିଲ୍ ମ୍ୟାକକାସଲ୍ୟାଣ୍ଡ କ୍ଷେତ୍ରରେ ଘଟିଥିଲା। ୱିଲିୟମ୍ ନିଲ୍ ଫେବ୍ରୁଆରି ୨୭ରେ ନିଖୋଜ ହୋଇଯାଇଥିଲେ।
ସୌଜନ୍ୟ ସମ୍ବାଦ

