ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଶେଷ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା ବିବିସିର ଏକ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ-ଆମେରିକା ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତାକୁ ନେଇ ଏବେବି ଅନିଶ୍ଚିତତା ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବର୍ତ୍ତମାନ କୌଣସି ଯୋଜନା ନାହିଁ ବୋଲି ଇରାନ ପ୍ରକାଶ କରିଛି। ସେହିପରି ଇରାନର ନ୍ୟୁଜ୍ ଏଜେନ୍ସି ପ୍ରକାଶ କରିଛି ଯେ, ୱାସିଂଟନର ଅତ୍ୟଧିକ ଦାବି, ଅବାସ୍ତବ ଆଶା, ସ୍ଥିତିରେ ନିରନ୍ତର ପରିବର୍ତ୍ତନ, ବାରମ୍ବାର ବିରୋଧାଭାସ ଓ ନୌସେନା ଅବରୋଧ ଇରାନ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ ଭାଗ ନେବା ନେଇ ଅନିଶ୍ଚିତତା ସୃଷ୍ଟି କରିଛି।
ଆଲୋଚନା ପାଇଁ ଇରାନ ଅମଙ୍ଗ
ପାକିସ୍ତାନ ଯିବାକୁ ପ୍ରସ୍ତୁତ ଜେଡି ଭାନ୍ସଙ୍କ ଦଳ
କଠୋର ହେଉଛି ଆମେରିକା
ଆମେରିକାର ବାରମ୍ବାର ଧମକ ଓ ଇରାନ ଜାହାଜ ଟୁସ୍କାକୁ କବ୍ଜାକୁ ନେବାକୁ ନେଇ ତେହେରାନ କ୍ଷୁବ୍ଧ ଅଛି ଓ ଏହାକୁ ସାମୁଦ୍ରିକ ଡକାୟତି ବୋଲି କହିଛି। ଖୁବ୍ଶୀଘ୍ର ଏହାର ଜବାବ ଦେବ ବୋଲି ଇରାନ କହିଛି। ହର୍ମୁଜରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ପାକିସ୍ତାନରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ କି ନାହିଁ, ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଇରାନ କହିଛି ଆମେରିକା ନୌସେନା ହର୍ମୁଜ ପ୍ରଣାଳୀ ଅବରୋଧ କରି ଯୁଦ୍ଧବିରତି ବୁଝାମଣା ଉଲ୍ଲଂଘନ କରିଛି। ଆମେରିକାର ଧମକପୂର୍ଣ୍ଣ ଭାଷା ଯୋଗୁଁ ସ୍ଥିତି ଅଧିକ ଖରାପ ହେଉଛି। ଇରାନର ସଂସଦୀୟ ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ ଅଜିଜି କହିଛନ୍ତି ଯେ, ଆମେରିକା ସହିତ ଆଲୋଚନା ପାଇଁ ଇରାନର ଆଭିମୁଖ୍ୟ କେବଳ ଏହାର ଜାତୀୟ ସ୍ୱାର୍ଥ ଓ ସୁରକ୍ଷା ଉପରେ ଆଧାରିତ। ଇସଲାମାବାଦ ଆଲୋଚନାରେ ଇରାନ ଅଂଶଗ୍ରହଣ କରିବ କି ନାହିଁ ବୋଲି ପଚରାଯିବାରୁ ଫଇସଲା ସ୍ଥିତି ଓ ଦେଶର ହିତକୁ ଦୃଷ୍ଟିରେ ରଖି ନିଆଯିବ। ଆମେରିକା ଚାପରେ କୌଣସି ଚୁକ୍ତି କରାଯିବ ନାହିଁ ବୋଲି ଇରାନ କହିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କ ପରାମର୍ଶ ଉପରେ ବିଚାର କରିବେ। ମୁନିର ଆମେରିକାର ହର୍ମୁଜ ଅବରୋଧ ଶାନ୍ତି ଆଲୋଚନାରେ ବାଧା ସୃଷ୍ଟି କରିବ ବୋଲି କହିଥିଲେ।
ତେଣେ ଆମେରିକା ଓ ଇରାନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତା ହୋଇ ନ ପାରିବା ଦେଖି ଆମେରିକା ଏବେ ଏହାର ଆଭିମୁଖ୍ୟକୁ ଅଧିକ ଆକ୍ରାମକ କରିଛି। ଇସଲାମାବାଦରେ ଦୁଇ ଦେଶ ମଧ୍ୟରେ କୌଣସି ଚୁକ୍ତି ହୋଇ ନ ପାରିଲେ ଇରାନ ଉପରେ ଆମେରିକା ଅଧିକ ଭୟଙ୍କର ଭାବେ ଆକ୍ରମଣ କରିବ ବୋଲି ଏକ୍ସରେ ହ୍ବାଇଟ୍ ହାଉସ୍ର ଏକ ଗୁପ୍ତ ବାର୍ତ୍ତାରୁ ସଙ୍କେତ ମିଳିଛି। ପୋଷ୍ଟରେ କୁହାଯାଇଛି ଆଉ କୌଣସି ବାହାନା ଚଳିବ ନାହିଁ, ବିଜୟ ହାସଲ କରିବା ପରେ ହିଁ ଆମେ ଅଟକିବୁ। ଇରାନ ଯଦି ପଛକୁ ନ ହଟିବ ତେବେ ଗମ୍ଭୀର ପରଣାମ ଭୋଗିବ ବୋଲି ଚେତାବନୀ ଦିଆଯାଇଛି। ବନ୍ଦ ହୋଇଥିବା ଶାନ୍ତି ପ୍ରୟାସ ଓ ନୂତନ ଆଲୋଚନା ଉପରେ ଅନିଶ୍ଚିତତାକୁ ନେଇ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଯଦି ଚୁକ୍ତି ନ ହୁଏ ଇରାନ ଉପରେ ଅଧିକ ବୋମା ବର୍ଷିବ ବୋଲି ସୋମବାର ଚେତାବନୀ ଦେଇଥିଲେ।
ପାକିସ୍ତାନର ମଧ୍ୟସ୍ଥତା ଉଦ୍ୟମକୁ ଶକ୍ତ ଧକ୍କା; ଯୁଦ୍ଧବିରତି ସୁନିଶ୍ଚିତ କରିବାରେ ପାକିସ୍ତାନ ବିଫଳ ହୋଇଥିବା ଇରାନର ଅଭିଯୋଗ
ଇସଲାମାବାଦ: ଆମେରିକା ସହିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଇସଲାମାବାଦ ଯାତ୍ରା କରିବାକୁ ମନା କରି ଇରାନ ପାକିସ୍ତାନର ମଧ୍ୟସ୍ଥତା ପ୍ରୟାସକୁ ଏକ ବଡ଼ ଧକ୍କା ଦେଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି ଯେ, ତେହେରାନର ନୂତନ ପର୍ଯ୍ୟାୟ ଆଲୋଚନାରେ ଅଂଶଗ୍ରହଣ କରିବାର କୌଣସି ଯୋଜନା ନାହିଁ। ଇରାନ ପ୍ରତିନିଧି ଦଳ ଆଲୋଚନା ପାଇଁ ପାକିସ୍ତାନ ଯାତ୍ରା କରିବେ ନାହିଁ ବୋଲି ବାଘାଇ କହିଛନ୍ତି। ଇରାନ ପାକିସ୍ତାନୀ ମଧ୍ୟସ୍ଥିମାନଙ୍କୁ ଯୁଦ୍ଧବିରତି ସୁନିଶ୍ଚିତ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି। ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) ସହିତ ଜଡିତ ଏକ ବରିଷ୍ଠ ସୂତ୍ର ପ୍ରକାଶ କରିଛି ଯେ, ପାକିସ୍ତାନ ଠୋସ୍ ସୁରକ୍ଷା ପ୍ରଦାନ କରିବା ଓ ଇରାନର ଦାବି ପୂରଣ କରିବାରେ ବିଫଳ ହୋଇଛି, ଯାହା ଫଳରେ ମଧ୍ୟସ୍ଥତା ଟ୍ରାକ୍ ଭାଙ୍ଗି ଯାଇଛି। ତେହେରାନ ଆନୁଷ୍ଠାନିକ ଭାବରେ ଇସଲାମାବାଦକୁ ନିଜର ନିଷ୍ପତ୍ତି ଜଣାଇ ଦେଇଛି। ଅଧିକ ଆଲୋଚନା ପାଇଁ ପାକିସ୍ତାନ ଯାତ୍ରା କରିବାର କୌଣସି ଯୁକ୍ତିଯୁକ୍ତ ଆଧାର ଦେଖୁନାହିଁ ବୋଲି ଇରାନ କହିଛି।
ଯୁଦ୍ଧବିରତି ସୁନିଶ୍ଚିତ କରିବାରେ ପାକିସ୍ତାନ ବିଫଳ ହୋଇଥିବା ଇରାନର ଅଭିଯୋଗ
ଆମେରିକା ଆଲୋଚନା ପାଇଁ ଗମ୍ଭୀର ନ ଥିବା ତେହେରାନ କହିଲା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ସମ୍ଭାବ୍ୟ ଆଲୋଚନା ପାଇଁ ତାଙ୍କ ଦଳ ଇସଲାମାବାଦ ଯାତ୍ରା କରିବେ ବୋଲି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନ ଏହା ପ୍ରକାଶ କରିଛି। ବାଘାଇ କହିଛନ୍ତି, ଆମେରିକା ସହିତ ନୂତନ ପର୍ଯ୍ୟାୟ ଆଲୋଚନା ପାଇଁ କୌଣସି ଯୋଜନା ନାହିଁ। ଆଲୋଚନା ପାଇଁ ଆମେରିକା ଆଦୌ ଗମ୍ଭୀର ନ ଥିବା ସେ କହିଛନ୍ତି। ଇରାନର ମାଲବାହୀ ଜାହାଜକୁ ଆକ୍ରମଣ କରି ଆମେରିକା ନିଜ କବ୍ଜାକୁ ନେବା ପରେ ୱାସିଂଟନର ଆଭିମୁଖ୍ୟ ସ୍ଥିତିକୁ ଅଧିକ ଖରାପ କରୁଛି ବୋଲି ବାଘାଇ କହିଛନ୍ତି। ଇରାନ ପ୍ରସ୍ତାବିତ ଇସଲାମାବାଦ ଆଲୋଚନାରେ ଯୋଗ ଦେବାକୁ ମନା କରିବା ଏବଂ ଆମେରିକାର ଉଦ୍ଦେଶ୍ୟ ଓ ପାକିସ୍ତାନର ବିଶ୍ୱସନୀୟତା ଉଭୟକୁ ସାଧାରଣରେ ପ୍ରଶ୍ନ କରିବା ପରେ ମଧ୍ୟସ୍ଥତା ପ୍ରକ୍ରିୟା ବନ୍ଦ ହୋଇଯାଇଥିବା ପରି ମନେ ହେଉଛି।
ସୌଜନ୍ୟ ସମ୍ବାଦ