କାଳିଆପାଣି (ରବି ନାରାୟଣ କର): ଅଭାବ ଓ ଅସୁବିଧା ହିଁ ବାଟ ଦେଖାଏ ବୋଲି ପ୍ରଖ୍ୟାତ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ ପାଖାପାଖି ହଜାର ବର୍ଷ ତଳେ କହିଥିଲେ। ଏହି ମାର୍ମିକ ଉକ୍ତିକୁ କାମରେ କରି ଦେଖାଇଛନ୍ତି ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ମହୁଲଖାଲ ଗାଁର ଯୁବ ମେକାନିକ୍ ରଞ୍ଜନ କୁମାର ମହାନ୍ତ(୩୪)। ମଧ୍ୟପ୍ରାଚ୍ୟରେ ସମଗ୍ର ବିଶ୍ବର ଜନତା ଏଲ୍ପିଜି ଗ୍ୟାସ୍ ସଙ୍କଟ ଦେଇ ଗତି କରୁଥିଲା ବେଳେ ରଞ୍ଜନ ଏକ ନିଆରା ପଦକ୍ଷେପ ନେଇଛନ୍ତି।
ଜାଳେଣି ଗ୍ୟାସ୍ର ଅଭାବ
୨ ମାସ ଧରି ଜାଳେଣି ଗ୍ୟାସ୍ର ଅଭାବ ରଞ୍ଜନ ପାଇଁ ହନ୍ତସନ୍ତ ହେଉଥିଲେ। ଏଣେ ନିଜ ଘରେ ଗ୍ୟାରେଜ୍ କରି ପାୱାର ଟିଲର ମରାମତି କରୁଥିବା ରଞ୍ଜନଙ୍କ ପାଖେ ବର୍ଜ୍ୟ ପୋଡ଼ା ମୋବିଲ ଗଚ୍ଛିତ ରହୁଥିଲା। ଏବେ ଗାଁ ଗହଳିରେ ଶଗଡ଼ର ବ୍ୟବହାର ନଥିବାରୁ ଅଧିକାଂଶ ମାତ୍ରାରେ ଅବ୍ୟବହୃତ ପୋଡ଼ା ମୋବିଲ ସବୁ ଏଣେତେଣେ ପିଙ୍ଗାହୋଇ ପରିବେଶକୁ ଦୂଷିତ କରୁଥିଲା। ଏହାକୁ ବ୍ୟବହାର କରି ସେ ଏକ ଷ୍ଟୋଭ୍ ପ୍ରସ୍ତୁତ କରିବାକୁ ଚାହିଥିଲେ।
ସ୍ବତନ୍ତ୍ର ଚୁଲା ପ୍ରସ୍ତୁତ
ଏଥିପାଇଁ ଘରେ ଥିବା ଲୁହାଲତା, ଅଧ ଇଞ୍ଚିଆ ବ୍ୟାସାର୍ଦ୍ଧର ୨ଟି ଜିଆଇ ପାଇପ୍, ହେମଦସ୍ତାର ତଳେ ଲାଗୁଥିବା ଲୁହା ପ୍ଲେଟ୍ ଉପରେ ୪ ଇଞ୍ଚିଆ ବ୍ୟାସାର୍ଦ୍ଧର ଲୁହାପାଇପ୍ ଯୋଗାଡ଼ କରି ନିଜ ୱେଲ୍ଡିଂ ମେସିନରେ ଲୁହା ସରଞ୍ଜାମ ଓ ପାଇପ୍ ଯୋଡ଼ି ସ୍ବତନ୍ତ୍ର ଚୁଲା ପ୍ରସ୍ତୁତ କରିଥିଲେ। ବୋତଲରେ ଖଞ୍ଜା ହୋଇଥିବା ଟ୍ୟାପ୍ରୁ ବିନ୍ଦୁବିନ୍ଦୁ ହୋଇ ପାଇପରେ ପଡ଼ୁଥିବା ମୋବିଲକୁ ଚୁଲି ଆଡ଼କୁ ଛାଟିବା ପାଇଁ ତାଙ୍କୁ ଅନ୍ଲାଇନରେ ୭ ଶହ ଟଙ୍କା ମୂଲ୍ୟର ଏକ ଏୟାର ବ୍ଲୋୟର କିଣିବାକୁ ପଡ଼ିଥିଲା। ଗତ ୧୭ ତାରିଖରେ ତାଙ୍କର ଏହି ଚୁଲାରେ ପ୍ରଥମକରି ରୋଷେଇ ହୋଇଥିଲା। ଏହାକୁ ଦେଖି ପତ୍ନୀ ହେମଲତା, ୨ ପୁଅ ଆକାଶ(୧୩), ବିକାଶ(୧୦) ଓ ଝିଅ ସାଇନି(୪) ଉତ୍ସାହିତ ହୋଇଥିଲେ।
ରଞ୍ଜନଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ
ସ୍ଥାନୀୟ ଟିସ୍କୋ କଲୋନିସ୍ଥିତ ଶ୍ରମଶକ୍ତି ସରକାରୀ ହାଇସ୍କୁଲରେ ଦଶମ ପର୍ଯ୍ୟନ୍ତ ପଢ଼ିଥିବା ରଞ୍ଜନ କାମାକ୍ଷାନଗର ଉପକଣ୍ଠ ରେକୁଳାର ଏକ ଗ୍ୟାରେଜ୍ରେ ଶ୍ରମିକ ଭାବେ କାମ କରୁଥିଲେ। ୨ ବର୍ଷ ପରେ ସେଠାରୁ ଗାଁକୁ ପାୱାର ଟିଲର ମରାମତି ଗ୍ୟାରେଜ୍ ଖୋଲିଥିଲେ। ୨୦୧୭ ମସିହାରୁ ୩ ବର୍ଷ ଧରି ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିର ଇଫ୍ଲୁଏଣ୍ଟ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍(ଇଟିପି)ରେ ଠିକା ମେକାନିକ୍ ଭାବେ କାର୍ଯ୍ୟ କରିଥିଲେ। ଖଣି ବନ୍ଦ୍ ପାଇଁ ଛଟେଇ ପରେ ବାପା ରମେଶ ମହାନ୍ତଙ୍କ ପରାମର୍ଶରେ ନିଜ ଜମିରେ ଏକ କୁକୁଡ଼ା ଫାର୍ମ କରିଛନ୍ତି। ସେଠାରେ କୁକୁଡ଼ା ମାଂସ କାଟିବା ପାଇଁ ପ୍ରତ୍ୟହ ୨୦ ରୁ ୫୦ ଲିଟର ପର୍ଯ୍ୟନ୍ତ ପାଣି ଗରମ କରିବାକୁ ପଡ଼ୁଥିବାରୁ ଏହି ଚୁଲା ଏବେ ସେହି କାମରେ ବ୍ୟବହୃତ ହେଉଥିବା ସେ କହନ୍ତି। ରଞ୍ଜନଙ୍କ ଏହି ନିଆରା ଉଦ୍ଭାବନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ

