ଦେଶ ବିଦେଶ

Tamil Nadu Poll: ବିଜୟଙ୍କ ବିଜୟ ପରେ ଚର୍ଚ୍ଚାରେ ତ୍ରିଶା; ଅଛନ୍ତି ଖୁବ ଉତ୍ସାହିତ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଅଭିନେତା ଥାଲାପତି ବିଜୟଙ୍କ ଦଳ ଟିଭିକେ ୧୦୦ ରୁ ଅଧିକ ଆସନରେ ଆଗୁଆ ରହିଛି। ତାମିଲନାଡ଼ୁରେ ସବୁଠୁ ବଡ଼ ଦଳ ଭାବରେ ଆଗରେ ରହିବା ପରେ ବିଜୟ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ଏକପ୍ରକାର ସୁନିଶ୍ଚିତ ହୋଇଛି। ଟିଭିକେ ଓ ବିଜୟଙ୍କ ବିଜୟ ପାଇଁ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ଶୁଭ ମନା ଯାଉଛି। ସୋମବାର ଅର୍ଥାତ୍‌ ୪ ମେ ତ୍ରିଶାଙ୍କ ଜନ୍ମଦିନ ଥିବାବେଳେ ନିର୍ବାଚନରେ ଟିଭିକେ ଆଗରେ ରହିଛି। ବିଜୟଙ୍କ ସହିତ ତ୍ରିଶାଙ୍କ ନାଁ ଅନେକ ଦିନ ହେଲା ଯୋଡା ଯାଉଛି। ତାମିଲନାଡୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ସକାଳେ ତ୍ରିଶା ତିରୁମାଲା ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ଅପରାହ୍ଣରେ ସେ ବିଜୟଙ୍କ ଘରକୁ ଯାଇଥିଲେ।

ଟିଭିକେ ଓ ବିଜୟଙ୍କ ବିଜୟ ପାଇଁ ତ୍ରିଶା କୃଷ୍ଣନଙ୍କୁ ଶୁଭ ମନା ଯାଉଛି

୫୧ ବର୍ଷୀୟ ବିଜୟ ଆଜି ତାମିଲ ସିନେମାର ସବୁଠାରୁ ବଡ଼ ଷ୍ଟାର ହୋଇଥିବାବେଳେ ତ୍ରିଶା କୃଷ୍ଣନଙ୍କୁ ଦକ୍ଷିଣ ଭାରତ ଫିଲ୍ମ ଜଗତର ରାଣୀ କୁହାଯାଏ। ବିଜୟ-ତ୍ରିଶା ପ୍ରାୟ ପାଞ୍ଚଟି ଫିଲ୍ମରେ ଏକାଠି କାମ କରିଛନ୍ତି, ଯେଉଁଥିରେ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ଲିଓ’ ମଧ୍ୟ ସାମିଲ। ଏହି ସମୟରେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ କୋର୍ଟରେ ଛାଡପତ୍ର ପାଇଁ ଲଢ଼ୁଥିଲେ। ସଙ୍ଗୀତା ସୋର୍ନାଲିଙ୍ଗମ୍‌ ନିଜ ଛାଡ଼ପତ୍ର ଆବେଦନରେ ବିଜୟଙ୍କ ଉପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ତେବେ ସେ କାହାର ନାମ ନେଇନଥିଲେ। ବିଜୟ ଓ ସଙ୍ଗୀତା ୧୯୯୯ ମସିହାରେ ବିବାହ କରିଥିଲେ ଓ ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି।

ବିଜୟ ସେମାନଙ୍କ ଛାଡପତ୍ର ଘୋଷଣା କରିବା ପରେ ନିକଟରେ ତ୍ରିଶାଙ୍କ ସହିତ ଏକ ସାର୍ବଜନୀନ ସ୍ଥାନରେ ଦେଖାଯାଇଥିଲେ। ଅନେକ ବିଶ୍ୱାସ କରିଥିଲେ ଯେ, ଛାଡପତ୍ର ପରେ ଦୁହେଁ ସେମାନଙ୍କର ସମ୍ପର୍କକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିବେ। କିନ୍ତୁ ବିଜୟଙ୍କ ବଡିଗାର୍ଡ଼ ଏକ ପୋଷ୍ଟ ସେୟାର କରି ଦୁଇଜଣଙ୍କ ସମ୍ପର୍କ ଏକ ଗୁଜବ ଓ ଏହାକୁ ସ୍ପଷ୍ଟ କରିବାର ସମୟ ଆସିଛି ‌ବୋଲି ଲେଖିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button