ଚେନ୍ନାଇ: ଚଳିତ ଆଇପିଏଲ୍ ଋତୁରେ ଅଧାରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଲାଣି। କିନ୍ତୁ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ସିଏସ୍କେ ପ୍ରଶଂସକଙ୍କ ଉତ୍କଣ୍ଠା ଏବେ ବି ଶେଷ ହୋଇନାହିଁ। କାରଣ ସେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି। ଗୋଡ଼ ମାଂସପେଶୀ ସମସ୍ୟା ଯୋଗୁଁ ସେ ଆଇପିଏଲ୍ର ପ୍ରଥମ ଦୁଇ ସପ୍ତାହ ଖେଳିବେ ନାହିଁ ବୋଲି କୁହାଯାଇଥିଲା, କିନ୍ତୁ ଏହି ପ୍ରତୀକ୍ଷା ଦିନକୁ ଦିନ ବଢ଼ିଚାଲିଛି।
ମଙ୍ଗଳବାର ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଧୋନି ଖେଳିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲେ ବି ପୁଣି ଥରେ ସେ ନିରାଶ କରିଛନ୍ତି। ସୂଚନା ଅନୁସାରେ ମାହି ସିଏସ୍କେ ଦଳ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା କରିନାହାନ୍ତି। ଏଣୁ ଏହି ମ୍ୟାଚ୍ରେ ବି ସେ ଖେଳିବା ଆଶା କ୍ଷୀଣ। ସେ ଚେନ୍ନାଇରେ ରହି ଆହତାବସ୍ଥାରୁ ଆରୋଗ୍ୟ ହାସଲ କରୁଛନ୍ତି।
ତେବେ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ନେଇ ସିଏସ୍କେ ଏବେ ବି ଆଶାବାଦୀ ଅଛି। ଚଳିତ ଋତୁରେ ସିଏସ୍କେର ଆହୁରି ପାଞ୍ଚଟି ମ୍ୟାଚ୍ ବାକିଥିବାବେଳେ ଦଳର ଜଣେ ଅଧିକାରୀ କହିଛନ୍ତି ଯେ ଆଇପିଏଲ୍ର ଯେକୌଣସି ପର୍ଯ୍ୟାୟରେ ଧୋନି ପଡ଼ିଆକୁ ଫେରିପାରନ୍ତି। ଦିଲ୍ଲୀ ମ୍ୟାଚ୍ ପରେ ଚେନ୍ନାଇରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍କୁ ଭେଟିବ ସିଏସ୍କେ।
ସୌଜନ୍ୟ ସମ୍ବାଦ

