କଟକ: ରାଜ୍ୟ ବାହାରୁ ବା ଅଦାଲତଙ୍କ କ୍ଷେତ୍ରାଧିକାର (ଜୁରିସଡିକ୍ସନ) ବାହାରୁ ବିନା ୱାରେଣ୍ଟରେ ଗିରଫ କରାଯିବା, ଅଟକ ରଖିବା ଓ ଅଦାଲତରେ ଅଭିଯୁକ୍ତଙ୍କୁ ହାଜର କରାଯିବା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏଭଳି ଗିରଫଦାରୀ ବେଳେ ପୁଲିସକୁ ଏଣିକି କେତେକ ନିର୍ଦ୍ଦିଷ୍ଟ ନିୟମ ପାଳନ କରିବାକୁ ପଡ଼ିବ। ଏ ନେଇ ରାଜ୍ୟ ପ୍ରଶାସନ ଓ ଅନ୍ୟ ଅଂଶୀଦାରଙ୍କ ଉଦ୍ଦେଶ୍ୟରେ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ତଥା ମାର୍ଗଦର୍ଶିକା ହାଇକୋର୍ଟ ଜାରି କରିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କୁ ବାହାର ରାଜ୍ୟରୁ ବା ଅଦାଲତଙ୍କ କ୍ଷେତ୍ରାଧିକାର ବାହାରୁ ଗିରଫ କରାଯାଏ ଓ ତାଙ୍କୁ ୨୪ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଅଦାଲତରେ ହାଜର କରିବା ସମ୍ଭବ ହୋଇନଥାଏ, ତେବେ ତାଙ୍କୁ ବିନା ବିଳମ୍ବରେ ନିକଟସ୍ଥ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବାକୁ ହେବ ବୋଲି କହିଛନ୍ତି ହାଇକୋର୍ଟ।
ଅଦାଲତଙ୍କ କ୍ଷେତ୍ରାଧିକାର ଓ ରାଜ୍ୟ ବାହାରୁ ଗିରଫଦାରୀ ପ୍ରସଂଗ
ସମ୍ବିଧାନର ଧାରା ୨୨, ବିଏନଏସଏସର ଧାରା ୩୬, ୪୭, ୪୮, ସିଆରପିସିର ଧାରା ୪୧-ବି, ୫୦, ୫୦-ଏ ପାଳନ କରାଯିବ। ଗିରଫଦାରୀ ସମୟରେ ଗିରଫ କରୁଥିବା ଅଧିକାରୀ ସ୍ଥାନୀୟ ଥାନାର ସହାୟତା ନେବେ, ସ୍ଥାନୀୟ ପୁଲିସକୁ ଉପଯୁକ୍ତ ପୁସ୍ତିକାରେ ଗିରଫ ସମ୍ପର୍କିତ ତଥ୍ୟ ତାରିଖ, ସମୟ ଉଲ୍ଲେଖ କରିବାକୁ ଅନୁରୋଧ କରିବେ। ଗିରଫ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ପୁଲିସ ଅଧିକାରୀ ଓ ଅଭିଯୁକ୍ତ ରହୁଥିବା ଜିଲ୍ଲାର ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାକୁ ହେବ। ଗିରଫ ଅଭିଯୁକ୍ତଙ୍କୁ ସମ୍ପୃକ୍ତ ଅଦାଲତକୁ ଆଣିବା ପାଇଁ ପୁଲିସକୁ ନିକଟସ୍ଥ ମାଜିଷ୍ଟ୍ରେଟଙ୍କ ଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡ ଆଣିବାକୁ ପଡ଼ିବ। ଗିରଫ କରୁଥିବା ଅଧିକାରୀ ତୁରନ୍ତ ଇ-ମେଲ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଗିରଫର ତାରିଖ, ସମୟ ଏବଂ ସ୍ଥାନ ସମ୍ପର୍କରେ ସମ୍ପୃକ୍ତ କ୍ଷେତ୍ରାଧିକାରୀ ଅଦାଲତଙ୍କୁ ଜଣାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମାର ଏକ କପି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଅନୁପାଳନ ପାଇଁ ପଠାଇବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ଏହି ନିର୍ଦ୍ଦେଶର କପି ରାଜ୍ୟର ସମସ୍ତ ଫୌଜଦାରୀ ମାମଲା ଶୁଣାଣି କରୁଥିବା ଅଦାଲତ, ଓଡ଼ିଶା ଜୁଡିସିଆଲ ଏକାଡେମି ଓ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ଉପଲବ୍ଧ କରାଯିବ। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭି.ଦିଲ୍ଲୀପ କୁମାରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଇଘର ଥାନାର ଏକ ଦୁଷ୍କର୍ମ ଓ ମାନବ ଚାଲାଣ ଅଭିଯୋଗ ମାମଲାରେ ପୁଲିସ ଆନ୍ଧ୍ରପ୍ରଦେଶରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ପୁଲିସ ତାଙ୍କୁ ସେଠାକାର ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ନ କରି ସିଧା ଓଡ଼ିଶା ନେଇ ଆସିଥିବା ଅଭିଯୋଗ ହୋଇଥିଲା। ଯାତ୍ରା ସମୟକୁ ବାଦ୍ ଦେଲେ ମଧ୍ୟ ଅଭିଯୁକ୍ତଙ୍କୁ ପ୍ରାୟ ୩୨ ଘଣ୍ଟା କାଳ ଅଟକ ରଖାଯାଇଥିଲା, ଯାହାକି ସମ୍ବିଧାନର ଧାରା ୨୨(୨) ଓ ବିଏନଏନଏସର ଧାରା ୫୮ ର ଉଲ୍ଲଘଂନ ବୋଲି ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣି ବେଳେ ଦର୍ଶାଯାଇଥିଲା। ହାଇକୋର୍ଟ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହିତ ଭବିଷ୍ୟତରେ ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।
ସୌଜନ୍ୟ ସମ୍ବାଦ

