Police action: ବେଲପାହାଡ଼ ହତ୍ୟାକାଣ୍ଡ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ: ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଗାନ୍ଧୀନଗର ଅଞ୍ଚଳରେ ସୋମବାର ହୋଇଥିବା ହତ୍ୟାକାଣ୍ଡ ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଏନ୍‌କାଉଣ୍ଟର କରିଛି। ବେଲପାହାଡ଼ରୁ ହେମଗିରି ରାସ୍ତାର କରଲାଖମନ ଜଙ୍ଗଲରେ ଉଭୟଙ୍କୁ ପୁଲିସ କାବୁ କରିବାକୁ ଯିବାବେଳେ ଦୁଇ ଅଭିଯୁକ୍ତ ପ୍ରଥମେ ଗୁଳିମାଡ଼ କରିଥିଲେ। ପୁଲିସର ପାଲଟା ଗୁଳିରେ ଉଭୟ ଆହତ ହୋଇଛନ୍ତି।

ବେଲପାହାଡ଼ ଥାନା ଅନ୍ତର୍ଗତ ଗାନ୍ଧୀନଗର କଲେଜପଡ଼ାରେ ଗତକାଲି ସଂଘଟିତ ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ଲାଗି ଏକାଧିକ ଟିମ୍ ଗଠନ କରିଥିଲା। ଗୋଟିଏ ଟିମ୍ ଅଭିଯୁକ୍ତଙ୍କ ଘର ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୌଡ଼ପାଲି ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିଫଳ ହୋଇଥିଲା। ଏମିତିକି ଅଭିଯୁକ୍ତମାନେ ଗତକାଲି ଯାହାର ଘରକୁ କୁଣିଆ ହୋଇ ଆସି ଏହି ହତ୍ୟାକାଣ୍ଡ ଘଟାଇଥିଲେ ସେହି ଘରର ରିଙ୍କି ସାଗରଙ୍କୁ ନେଇ ବୁର୍ଲାରେ ଛାନ୍‌ଭିନ୍‌ କରିଥିଲା ପୁଲିସ। ହେଲେ କୌଣସି ସୁଫଳ ମିଳିନଥିଲା। ଏଭଳି ସ୍ଥିତିରେ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ବୁର୍ଲାର ଚାନ୍ଦ ବନଛୋର (୨୫) ଓ ସୁନୀଲ ମହାନନ୍ଦ (୨୨)
କରଲାଖମନ ଜଙ୍ଗଲରେ ଲୁଚିଥିବା ନେଇ ସୂଚନା ପାଇଥିଲା ପୁଲିସ। ମଙ୍ଗଳବାର ସକାଳ ୬ଟାରେ ବିଭିନ୍ନ ଥାନା ପକ୍ଷରୁ ମିଳିତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ କରଲାଖମନ ୟୁପି ସ୍କୁଲ ପଛପଟେ ଥିବା ଜଙ୍ଗଲରୁ ଥାଇ ପ୍ରଥମେ ଗୁଳି ମାଡ଼ କରିଥିଲେ। ସେମାନେ ଥରକୁ ଥର ୬ ରାଉଣ୍ଡରୁ ଅଧିକ ଗୁଳି ମାଡ଼ କରିଥିଲେ। ଏହା ପରେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୁଲିସ ୪ ରାଉଣ୍ଡ ଗୁଳି କରିବାରୁ ଉଭୟଙ୍କ ଗୋଡ଼ରେ ବାଜିଥିଲା। ଫଳରେ ଦୁହିଁଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଥିବା ଝାରସୁଗୁଡ଼ା ଏସ୍‌ପି ଜିଆର୍ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।

ବନ୍ଧୁକ, ରକ୍ତଲଗା ଭୁଜାଲି, ଖୋକା ଜବତ
ଗିରଫ ୨ ଅପରାଧୀଙ୍କ ମଧ୍ୟରୁ ଜଣେ ଏଡ୍‌ସ ରୋଗୀ

ଦୁଇ ଅପରାଧୀଙ୍କୁ ପ୍ରଥମେ ଲଖନପୁର ଡାକ୍ତରଖାନା ଏବଂ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଯାଇଛି। ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ପୁଲିସ ସୂଚନା ଦେଇଛି। କରଲାଖମନ ଜଙ୍ଗଲର ଏନ୍‌କାଉଣ୍ଟର ସ୍ଥଳରୁ ଅଭିଯୁକ୍ତଙ୍କ ଦ୍ବାରା ବ୍ୟବହୃତ ଏକ ଦେଶୀ ବନ୍ଧୁକ, ଗତକାଲି ହତ୍ୟାରେ ବ୍ୟବହୃତ ରକ୍ତଲଗା ଭୁଜାଲି, ଗୁଳିର ଖୋକା ଓ ହଳେ ଚପଲ ପୁଲିସ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏଚ୍ଆଇଭି ରୋଗୀ ହୋଇଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିବା ନେଇ ଏସ୍‌ପି ଶ୍ରୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବୁର୍ଲାରୁ ବେଲପାହାଡ଼ ଗାନ୍ଧୀନଗରର ରିଙ୍କି ସାଗରଙ୍କ ଘରକୁ ଆସିଥିବା ଚାନ୍ଦ ବନଛୋର, ସୁନୀଲ ମହାନନ୍ଦ ପ୍ରମୁଖ ଏକ ମାରୁତି କାର୍‌ରେ ଫାଟକ ଆଡ଼କୁ ଫେରୁଥିଲେ। ଏହି ସମୟରେ ରାହୁଲ ମାହାତୋ ଓ ଆକାଶ ସାହୁ ଆସୁଥିବା ଏକ ବାଇକ୍‌ ସହ ସେମାନଙ୍କର ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁନୀଲ ଓ ଚାନ୍ଦ ଭୁଜାଲିରେ ରାହୁଲ ଏବଂ ଆକାଶଙ୍କୁ ହାଣି ପକାଇଥିଲେ। ଏଥିରେ ରାହୁଲଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆକାଶ ଗୁରୁତର ଆହତ ହୋଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ