ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁଜରାଟରୁ ୪୩,୩୩୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ନେଇ ଫେରିବାର କିଛି ଦିନ ଭିତରେ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉଦ୍ୟମ ଆରମ୍ଭ ହୋଇଛି। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିବେଶ ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ବୈଠକରୁ ଜଣାପଡ଼ିିଛି ଯେ ରାଜ୍ୟ ସରକାର ଭଦ୍ରକର ଧାମରା ଅଞ୍ଚଳରେ ବନ୍ଦରଭିତ୍ତିକ ଓ ଆନୁଷଙ୍ଗିକ ଶିଳ୍ପ ବିକାଶ କରିବାକୁ ଚାହୁଛନ୍ତି। ସେଥିପାଇଁ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିବେଶକମାନଙ୍କୁ ସୁବିଧାସୁଯୋଗ ଯୋଗାଇ ଦେବାକୁ ସରକାର ବିଚାର କରୁଛନ୍ତି। ଏଥି ସହିତ ଗୁଜରାଟ ଗସ୍ତରୁ ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ୍ କ୍ଷେତ୍ରର କିଛି ନିବେଶ ପ୍ରସ୍ତାବ ଆସିଛି। ସେଗୁଡ଼ିକ ନିମନ୍ତେ ସ୍ଥାନ ନିରୂପଣ ଓ ଜମି ଚିହ୍ନଟ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

