NEET Paper Leak: ନିଟ୍‌ ପେପର୍‌ ଲିକ୍‌: ଗୁରୁଗ୍ରାମ ଡାକ୍ତରଙ୍କ ସହିତ ୩୦ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍‌

ନୂଆଦିଳ୍ଲୀ: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌କୁ ନେଇ ସାରା ଦେଶରେ ହଟଚମଟ ସୃ‌ଷ୍ଟି ହୋଇଥିବାବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆଗକୁ ଆସିବାରେ ଲାଗିଛି। ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛନ୍ତି ଯେ, ରାଜସ୍ଥାନର ଜାମୱା ରାମଗଡ଼ର ଦୁଇ ଭାଇ ମାଙ୍ଗିଲାଲ ଓ ଦିନେଶ ବିୱାଲ ଚଳିତ ବର୍ଷର ନିଟ୍‌ -ୟୁଜି ପ୍ରଶ୍ନପତ୍ର ଗୁରୁଗ୍ରାମର ଜଣେ ଡାକ୍ତରଙ୍କଠାରୁ ୩୦ ଲକ୍ଷ ଟଙ୍କାରେ କିଣିଥିଲେ। ପରୀକ୍ଷାର ସପ୍ତାହକ ପୂର୍ବରୁ ଏପ୍ରିଲ ୨୬ ତାରିଖରେ ଆଣିଥିଲେ। ଏହାପରେ ଜଣେ ଭାଇ ରାଜସ୍ଥାନର ସିକରରେ ଡାକ୍ତରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ନିଜ ପୁଅକୁ ଏହି ପ୍ରଶ୍ନପତ୍ର ପଠାଇଥି‌ଲେ, ସେମାନେ ଏପ୍ରିଲ ୨୯ ତାରିଖରେ ଅନ୍ୟ କିଛି ଲୋକଙ୍କୁ ବିକିଥିଲେ। ଜମୱା ରାମଗଡ଼ଠାରୁ ମାତ୍ର ଦୁଇରୁ ଅଢେଇ ଘଣ୍ଟା ଯାତ୍ରା ଦୂରତାରେ ଥିବା ସିକର ଏଥର ପେପର୍‌-ଲିକ୍‌ର କେନ୍ଦ୍ରସ୍ଥଳ ପାଲଟିଛି।

ପରୀକ୍ଷାର ଦିନକ ପୂର୍ବରୁ ପେପର୍‌-ଲିକ୍‌

ଜାମୱା ରାମଗଡ଼ରୁ ଏହି ପେପର୍‌ ସିକରର ଜଣେ ଏମ୍‌ବିବିଏସ୍‌ କାଉନସେଲିଂ ଏଜେଣ୍ଟ ରାକେଶ କୁମାର ମଣ୍ଡାୱାରିଆଙ୍କୁ ବିକ୍ରି କରାଯାଇଥିଲା। ମଣ୍ଡାୱାରିଆ ଏହାକୁ ଆଗକୁ ବଢ଼ାଇଥିଲେ। ରାକେଶ ଏହାକୁ ପରେ କେରଳରେ ଏମ୍‌ବିବିଏସ୍‌ କରୁଥିବା ସିକରର ଜଣେ ଛାତ୍ରକୁ ୩୦,୦୦୦ ଟଙ୍କାରେ ବିକ୍ରି କରିଥିଲା। ପରୀକ୍ଷାର ଦିନକ ପୂର୍ବରୁ ଛାତ୍ର ଜଣକ ପଶ୍ନପତ୍ର ତାଙ୍କ ବାପାଙ୍କୁ ପଠାଇଥିଲେ। ସିକରରେ ପିଜି ହଷ୍ଟେଲ ଅପରେଟର ଥିବା ବାପାଙ୍କୁ ଏହି ପଶ୍ନପତ୍ର ଦେଇ ଛାତ୍ର ଜଣକ କହିଥିଲେ ଯେ, ଏହି ପ୍ରଶ୍ନପତ୍ର ପରୀକ୍ଷାରେ ଆସିବ ହଷ୍ଟେଲର ଝିଅମାନଙ୍କୁ ଦେଇ ଦିଅ।

ଗୁରୁଗ୍ରାମର ଡାକ୍ତର ଏହି ମାମଲରେ ମୁଖ୍ୟ ସୂତ୍ରଧର ଥିବା ଜଣାପଡ଼ିଛି। ଏହାପୂର୍ବରୁ ରାଜସ୍ଥାନ ପୁଲିସ ସୂତ୍ରରୁ ଜଣାପଡ଼ିଥିଲା ଯେ ପ୍ରଶ୍ନପତ୍ର ଲିକ୍‌ ନାଶିକ୍‌ ପ୍ରିଣ୍ଟିଂ ପ୍ରେସ୍‌ରୁ ହୋଇଥିଲା। ଏହାପରେ ଚେନ୍‌ ନେଟୱର୍କରେ ଗୁରୁଗ୍ରାମ ଡାକ୍ତରଙ୍କ ନିକଟରେ ପହଞ୍ଚି ଥିଲା। ଗୁରୁଗ୍ରାମ ଡାକ୍ତରଙ୍କଠାରୁ ସମ୍ପୃକ୍ତ ଦୁଇଭାଇ ପ୍ରଶ୍ନପତ୍ର ପାଇଥିଲେ ଓ ପରେ ଅନ୍ୟ ଆଶାୟୀଙ୍କ ନିକଟରେ ପହଞ୍ଚି ଥିଲା। ଗୁରୁଗ୍ରାମ ଡାକ୍ତର ପ୍ରସଙ୍ଗରେ କୌଣସି ତଦନ୍ତକାରୀ ସଂସ୍ଥା ସେମାନଙ୍କୁ ଯୋଗାଯୋଗ କରିନଥିବା ଭାରତୀୟ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) ପକ୍ଷରୁ କୁହାଯାଇଛି। ରାଜସ୍ଥାନର ଦୁଇ ଭାଇ ମାଙ୍ଗିଲାଲ ଓ ଦିନେଶ ବିୱାଲଙ୍କୁ ପୁଲିସ ଗିରଫ କରିଛି। ଦିନେଶ ବିୱାଲର ଏକ ରାଜନୈତିକ ଦଳ ସହିତ ସମ୍ପର୍କ ରହିଛି।

 

 

 

ସୌଜନ୍ୟ ସମ୍ବାଦ