ଦେଶ ବିଦେଶବାଣିଜ୍ୟ

Petrol, Diesel Price Hike: ଯୁଦ୍ଧ ଲମ୍ବା ଚାଲିଲେ ତେଲ ଦର ବଢ଼ିବ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ଶେଷ ହୋଇଯାଇଥିବାରୁ ସରକାରଙ୍କ ଉପରେ ବିଶେଷ ଚାପ ନାହିଁ। ଏପଟେ ତୈଳ କମ୍ପାନିଗୁଡ଼ିକ ବଜାର ଦରଠାରୁ କମ୍‌ ଦାମ୍‌ରେ ତେଲ ବିକ୍ରି କରୁଥିବାରୁ ଦିନକୁ ୧୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହୁଛନ୍ତି। ଏଭଳି ଏକ ସମୟରେ ତେଲ ଦର ନିଶ୍ଚିତ ବଢ଼ିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ‌ସେହି ଚର୍ଚ୍ଚାରେ ଯୋଡ଼ି ହୋଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଯୁଦ୍ଧ ଲମ୍ବା ସମୟ ଚାଲିବ ତେବେ ତେଲ ଦର ବଢ଼ାଇବାକୁ ପଡ଼ିବ। ଦରବୃଦ୍ଧି ପାଇଁ କେବଳ ସମୟକୁ ଅପେକ୍ଷା ବୋଲି ସେ କହିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହୋଇପାରୁନାହିଁ। ତାହାର ପ୍ରଭାବରେ କିଛି ମାସ ହେଲାଣି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ରହିଛି। ତେଲ କମ୍ପାନିଗୁଡ଼ିକୁ ଅଧିକ ଦାମ୍‌ ଦେଇ ତେଲ କିଣିବାକୁ ପଡ଼ୁଛି। ସେମାନଙ୍କ ଉପରେ ପଡ଼ିଥିବା ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଫଳରେ ସେମାନଙ୍କ ଉପରୁ ୩୦ ହଜାର କୋଟି ଟଙ୍କାର ଆର୍ଥିକ ଚାପ କମ୍‌ ହୋଇଛି। ଏହାସତ୍ତ୍ବେ ତେଲ କମ୍ପାନିଗୁଡ଼ିକ ପ୍ରତିଦିନ ବିପୁଳ କ୍ଷତି ସହୁଛନ୍ତି ‌ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି।

ତେଲ କମ୍ପାନିଗୁଡ଼ିକ ପ୍ରତି ମାସରେ ବାଣିଜ୍ୟିକ ଏଲ୍‌ପିଜି, ଏଟିଏଫ୍ ଓ ଏଭଳିକି ୫ ‌କେଜିଆ ଏଲ୍‌ପିିଜି ସିଲିଣ୍ଡର ଦରରେ ବୃଦ୍ଧି କରୁଛନ୍ତି। କିନ୍ତୁ ସେମାନେ ସାଧାରଣ ପରିବାରଗୁଡ଼ିକ ବ୍ୟବହାର କରୁଥିବା ୧୪.୨ କେଜି ବିଶିଷ୍ଟ ଏଲ୍‌ପିିଜି ଏବଂ ପେଟ୍ରୋଲ, ଡିଜେଲ ଦରରେ କୌଣସି ବୃଦ୍ଧି କରିନାହାନ୍ତି। ନିକଟରେ ସେମାନେ ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ଷର ୯୯୩ ଟଙ୍କା ବୃଦ୍ଧି କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button